• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜାନୁଆରୀ ୨୨ ତାରିଖରେ ସାରା ଦେଶରେ ଦୀପାବଳି ପାଳିବାକୁ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଦିନ ଅଯୋଧ୍ୟାରେ ନବ ନିର୍ମିତ ଶ୍ରୀରାମ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ତେଣୁ ଏହି ଖୁସିର ଅବସରେ ସାରା ଦେଶକୁ ଦୀପାବଳି ପାଳିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ଏହି ନିଆରା ଆହ୍ୱାନ୍‌କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଛି । ଅନେକ ମହଲରେ ମୋଦିଙ୍କ ଏଭଳି ଆହ୍ୱାନକୁ ସ୍ୱାଗତ କରାଯାଇଥିବା ବେଳେ ଅନେକ ଏହାକୁ ଖୁବ୍‌ ପ୍ରଶଂସା କରିଛନ୍ତି ।

ମୋଦି ଆହୁରି କହିଛନ୍ତି ଅଯୋଧ୍ୟା ନଗରି ଦୀପ ଆଲୋକରେ ଆଲୋକିତ ହେଉଥିବା ବେଳେ ସାରା ଦେଶ ବି ସେହି ଦିନ ଦୀପରେ ସଜେଇ ହେଉ । ଏହା ଇତିହାସ ପୃଷ୍ଠାରେ ସବୁଦିନ ପାଇଁ ଲିପିବଦ୍ଧ ହୋଇ ରହିବ । ଏହି ଉତ୍ସବ ସାରା ଦେଶରେ ଏକ ସକରାତ୍ମକ ମାହୋଲ ସୃଷ୍ଟି କରିବ । ଶାନ୍ତି ଓ ମୈତ୍ରୀ ପାଇଁ ଏହି ଜାନୁଆରୀ ୨୨ରେ ଦୀପ ଜଳାଇ ଦୀପାବଳି ପାଳିବାକୁ ଆହ୍ୱାନ ଦେଇଛନ୍ତି ମୋଦି ।

ଖାଲି ସେତିକି ନୁହେଁ, ମୋଦି ଆହୁରି କହିଛନ୍ତି ଏଭଳି ଐତିହାସିକ ମୂହୁର୍ତ୍ତ ସବୁବେଳେ ସମସ୍ତଙ୍କ ଭାଗ୍ୟରେ ଆସିନଥାଏ । ଜୀବନରେ ଥରେ ଏଭଳି ଐତିହାସିକ ମୂହୁର୍ତ୍ତ ଆସିଥାଏ । ଏହି ଦିନ ଦୀପ ଜାଳି ଆମେ ଦେଶ ପାଇଁ କିଛି ଭଲ ପ୍ରତିଜ୍ଞା କରିବା ଆଉ ନିଜ ଭିତରେ ଆତ୍ମବିଶ୍ୱାସର ଶକ୍ତିକୁ ବୃଦ୍ଧି କରିବା । ତେଣୁ ଦେଶର ୧୪୦ କୋଟି ଜନତା ନିଜ ଘରେ ରାମଙ୍କ ପାଇଁ ଜାନୁଆରୀ ୨୨ ତାରିଖରେ ଦୀପ ଜାଳନ୍ତୁ ।

ସେପଟେ ଆଜି ନବକଳେବର ହୋଇଥିବା ଅଯୋଧ୍ୟା ଧାମ ଷ୍ଟେସନର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୪୦ କୋଟି ଟଙ୍କା ବ୍ୟୟରେ ଅଯୋଧ୍ୟା ଧାମ ଷ୍ଟେସନର ଆଧୁନିକୀକରଣ କରାଯାଇଛି । ଏହି ଅତ୍ୟାଧୁନିକ ଷ୍ଟେସନରେ ଯାତ୍ରୀଙ୍କୁ ଅନେକ ସୁବିଧା ମିଳିବ । ଷ୍ଟେସନରେ ଯାତ୍ରୀଙ୍କ ସୁବିଧା ପାଇଁ ଲିଫ୍ଟ ଏସକେଲେଟର, ଫୁଡ୍ ପ୍ଲାଜା, ପୂଜା ସାମଗ୍ରୀ ଦୋକାନ, ଯାତ୍ରୀ ଜିନିଷ ରଖିବା ସ୍ଥାନ, ଶିଶୁ ଯତ୍ନ ଗୃହ ଓ ପ୍ରତୀକ୍ଷାଳୟ ରହିଛି । ଷ୍ଟେସନ ଲୋକାର୍ପଣ ଉତ୍ସବରେ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ୨ଟି ଅମୃତ ଭାରତ ଟ୍ରେନ୍ ଓ ୬ଟି ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିଥିଲେ । ଅମୃତ ଭାରତ ଟ୍ରେନ୍ ହେଉଛି ଦେଶର ଏକ ନୂତନ ଧରଣର ସୁପରଫାଷ୍ଟ ଯାତ୍ରୀବାହୀ ଟ୍ରେନ୍ । ଯେଉଁଥିରେ ଏକ ଅଣ-ଶୀତତାପ ନିୟନ୍ତ୍ରିତ କୋଚ୍ ସହିତ LHB କୋଚ ଦ୍ୱାରା ଚଳାଚଳ କରିବ ।

ଏହା ଏକ ପୁସ୍ ପୁଲ ଟ୍ରେନ୍ ଭାବେ ଉଭୟ ପାର୍ଶ୍ୱରେ ଇଂଜିନ ସହିତ ଚଳାଚଳ କରିବ । ଟ୍ରେନରେ ଯାତ୍ରୀଙ୍କ ପାଇଁ ସୁନ୍ଦର ତଥା ଆକର୍ଷଣୀୟ ଡିଜାଇନ୍ ସିଟ୍, ଉନ୍ନତ ଲଗେଜ୍ ର୍ୟାକ୍, ଉପଯୁକ୍ତ ମୋବାଇଲ୍ ଧାରକ ସହିତ ମୋବାଇଲ୍ ଚାର୍ଜିଂ ପଏଣ୍ଟ, ଏଲଇଡି ଲାଇଟ୍, ସିସିଟିଭି, ସର୍ବସାଧାରଣ ସୂଚନା ବ୍ୟବସ୍ଥା ଭଳି ଉନ୍ନତ ସୁବିଧା ରହିଛି ।