• Astrospeak
  • Live TV
  • Read In English

Iran Israel War: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ନିଆଁ; ଆମେରିକାର ଆଟାକ୍‌ ପରେ ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି

ଇରାନର ପରମାଣୁ ଘାଟିରେ ଆମେରିକାର ପ୍ରଚଣ୍ଡ ଆକ୍ରମଣ ପରେ ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି । ଯୁଦ୍ଧ ସ୍ଥିତିକୁ ନେଇ ଗଭୀର ଚିନ୍ତା ବ୍ୟକ୍ତ କରିବା ସହ ଉତ୍ତେଜନା ହ୍ରାସ ପାଇଁ ଇରାନ ରାଷ୍ଟ୍ରପତିଙ୍କୁ ଅପିଲ୍ କଲେ ।

 Iran Israel War
ଇରାନ-ଇସ୍ରାଏଲ ଯୁଦ୍ଧ

ଜଳୁଛି ମଧ୍ୟପ୍ରାଚ୍ୟ । ଇରାନ-ଇସ୍ରାଏଲ ଯୁଦ୍ଧ ଦିନକୁ ଦିନ ଅତି ଭୀଷଣ ରୂପ ନେଉଛି । ଖାସ୍‌ କରି ଏହି ଯୁଦ୍ଧରେ ଏବେ ଆମେରିକାର ଏଣ୍ଟ୍ରି ଇରାନ ପାଇଁ ବଡ଼ ବିପଦ ସାଜିବା ସହ ଆହୁରି ଭୟଙ୍କର ସଂଘର୍ଷର ଆଶଙ୍କା ସୃଷ୍ଟି କରିଛି । B2 ବୋମାବାହୀ ବିମାନରେ ଇରାନର ୩ଟି ପରମାଣୁ ଘାଟିକୁ ଧ୍ୱଂସ କରିଦେଇଛି ଆମେରିକା । ଏହି ଘଟଣାକ୍ରମ ପରେ ଆଜି ଇରାନ ରାଷ୍ଟ୍ରପତି ମସୁଦ ପେଜେଶକିୟାନଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯୁଦ୍ଧ ସ୍ଥିତିକୁ ନେଇ ଗଭୀର ଚିନ୍ତା ବ୍ୟକ୍ତ କରିବା ସହ ଉତ୍ତେଜନା ହ୍ରାସ ପାଇଁ ଇରାନ ରାଷ୍ଟ୍ରପତିଙ୍କୁ ସେ ଅପିଲ୍ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ଏନେଇ Xରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, ଇରାନ ରାଷ୍ଟ୍ରପତିଙ୍କ ସହ ମୋର କଥାବାର୍ତ୍ତା ହୋଇଛି । ଆମେ ଲାଗି ରହିଥିବା ଉତ୍ତେଜନା ସ୍ଥିତି ସମ୍ପର୍କରେ ଆଲୋଚନା କରିଛୁ । ଦୁଇ ଦେଶ ମଧ୍ୟରେ ସୈନ୍ୟ ସଂଘର୍ଷ ନେଇ ମୁଁ ଗଭୀର ଚିନ୍ତା ବ୍ୟକ୍ତ କରିବା ସହ କୂଟନୀତି ଓ କଥାବାର୍ତ୍ତା ମାଧ୍ୟମରେ ଉତ୍ତେଜନା ହ୍ରାସ ପାଇଁ ତାଙ୍କୁ ଅପିଲ୍ କରିଛି ଏବଂ ଶୀଘ୍ର ଶାନ୍ତି, ସୁରକ୍ଷା ଓ ସ୍ଥିରତା ଫେରାଇ ଆଣିବାକୁ କହିଛି ।

ଅଧିକ ପଢନ୍ତୁ: ସବୁଠୁ ଶକ୍ତିଶାଳୀ ରାଷ୍ଟ୍ରର ବଡ଼ ଆକ୍ରମଣ, ହେବ କି ତୃତୀୟ ବିଶ୍ୱ ଯୁଦ୍ଧ?

ଉଲ୍ଲେଖଯୋଗ୍ୟ, ଆମେରିକା ବଙ୍କର ବଷ୍ଟର ବୋମା ସହ ଗୁପ୍ତ ବୋମାବାହୀ ବିମାନ B2ରେ ଇରାନର ୩ଟି ପରମାଣୁ ଘାଟି ଉପରେ ବୋମାମାଡ଼ କରିଛି । ଫୋର୍ଡୋ, ନାଟାଞ୍ଜ ଓ ଇସଫାହାନ ପରମାଣୁ ଘାଟି ଧ୍ୱଂସ କରିଦେଇଛି । ଇରାନର ପରମାଣୁ କ୍ଷମତା ପଙ୍ଗୁ କରିବା ଲକ୍ଷ୍ୟରେ ଆମେରିକା କରିଛି ବଡ଼ ଆକ୍ରମଣ । ଆକ୍ରମଣ ନେଇ ସୂଚନା ଦେବା ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଏବେ ଶାନ୍ତିର ସମୟ ଆସିଛି । ଆକ୍ରମଣ କରିବାକୁ ଚାହୁଁନଥିଲା ଆମେରିକା । କଥା ନ ମାନିବାରୁ ଆକ୍ରମଣ କରିବାକୁ ବାଧ୍ୟ ହେଲୁ ।

ଇରାନଙ୍କ ଉପରେ ଆକ୍ରମଣକୁ ଐତିହାସିକ ସଫଳତା ମିଳିଛି । ଇରାନ ହେଉଛି ଏକ ଆତଙ୍କବାଦୀ ଦେଶ । ଏଣୁ ଆଣବିକ ବିପଦକୁ ବନ୍ଦ କରିବା ହିଁ ଆମର ଉଦ୍ଦେଶ୍ୟ। ଇରାନର ଆଣବିକ କ୍ଷମତାକୁ ନଷ୍ଟ କରିବା ଆମର ମୁଖ୍ୟ ଲକ୍ଷ୍ୟ ଥିଲା ।  ଏହି ଆକ୍ରମଣ ଦ୍ବାରା ଇରାନର ପ୍ରମୁଖ ଆଣବିକ ପ୍ରତିଷ୍ଠାନ ସମ୍ପୂର୍ଣ୍ଣ ରୂପେ ବିଲୋପ ହୋଇଯାଇଛି । ଆଗକୁ ଇରାନ ଆକ୍ରମଣ ପାଇଁ ଭାବିଲେ ଭୟଙ୍କର ସ୍ଥିତି ହେବ ବୋୱଲି ଚେତାଇ ଦେଇଛନ୍ତି ଟ୍ରମ୍ପ । ଆକ୍ରମଣ ପାଇଁ ଟ୍ରମ୍ପଙ୍କୁ କୃତଜ୍ଞତା ଜଣାଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତନ୍ୟାହୁ । ସେପଟେ ଆମେରିକାର ଆକ୍ରମଣକୁ ନିନ୍ଦା କରିଛି ଇରାନ୍ । ଫର୍ଡୋ ପରମାଣୁ ଘାଟି ସଂପୂର୍ଣ୍ଣ ଧ୍ୱଂସ ହୋଇଥିବା ମାନିଛି ଇରାନ୍ ।