• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଖୁବଶୀଘ୍ର ସମୃଦ୍ଧି ଓ ସଫଳତାର ନୂଆ ଅଧ୍ୟାୟ ଲେଖିବାକୁ ଯାଉଛି ଜାମ୍ମୁ ଓ କାଶ୍ମୀର । ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ଜମ୍ମୁକୁ ଗସ୍ତ କରି ହଜାର ହଜାର ପଞ୍ଚାୟତସ୍ତରୀୟ ପ୍ରତିନିଧି ଓ ସାଧାରଣ ଲୋକଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୦ ହଜାର କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ କରି କହିଛନ୍ତି, ଏହା ଅଞ୍ଚଳର ବିକାଶଧାରାକୁ ଆହୁରି ତ୍ୱରାନ୍ୱିତ କରିବ । ଏଥିସହ ଘାଟିର ଯୁବବର୍ଗଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ, ସେମାନଙ୍କ ବାପା ଅଜାଙ୍କୁ ଯାହା ଭୋଗିବାକୁ ପଡ଼ିଲା, ସେମାନଙ୍କୁ ସେଦିନ ଦେଖିବାକୁ ପଡ଼ିବନି ।

ଭାରତର ଭୂସ୍ୱର୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ୱାଗତ । ଅଗଷ୍ଟ ୨୦୧୯ ଧାରା ୩୭୦ ଉଚ୍ଛେଦର ପ୍ରାୟ ୩ ବର୍ଷ ପରେ ପ୍ରଥମ ଥର ପାଇଁ ଜମ୍ମୁ ଗସ୍ତ କରି ମୋଦି । ଆଉ ସେଠାରେ କହିଛନ୍ତି, ଏହି ଅଞ୍ଚଳ ମୋ ପାଇଁ ନୂଆ ନୁହେଁ, କି ଆପଣମାନଙ୍କ ପାଇଁ ମୁଁ ବି ନୂଆ ନୁହେଁ । ଜାମ୍ମୁ ଓ କାଶ୍ମୀରର ତୃଣମୂଳ ସ୍ତରରେ ଗଣତନ୍ତ୍ର ପ୍ରବେଶ କରିସାରିଛି । ଆସନ୍ତା ୨୫ ବର୍ଷ ଭିତରେ ସଫଳତାର ନୂଆ କାହାଣୀ ଲେଖିବ ଜାମ୍ମୁ ଓ କାଶ୍ମୀର ।

ଗତକାଲି ପଞ୍ଚାୟତିରାଜ ଦିବସ ଅବସରରେ ସାମ୍ବା ଜିଲ୍ଲା ପଲ୍ଲୀରୁ ଦେଶବ୍ୟାପୀ ଗ୍ରାମସଭା ଗୁଡ଼ିକୁ ସମ୍ବୋଧନ କରିଛନ୍ତି ମୋଦି । ତେବେ ଫୋକସରେ ଥିଲା ଜାମ୍ମୁ ଓ କାଶ୍ମୀର । ଏହି କେନ୍ଦ୍ର ଶାସିତ ଅଞ୍ଚଳର ବିକାଶ ପାଇଁ ୨୦ ହଜାର କୋଟି ଟଙ୍କା ପ୍ରକଳ୍ପର ଶିଲାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ଯେଉଁଥିରେ ସାମିଲ ଅଛି ପ୍ରାୟ ୯ କିଲୋମିଟର ଦୀର୍ଘ ବନିହାଲ୍-କାଜିଗୁଣ୍ଡ୍ ଟନେଲ୍ ଏବଂ ଚେନାବ୍ ନଦୀରେ ନିର୍ମାଣ ହେବାକୁ ଥିବା ୮୫୦ ଓ ୫୪୦ ମେଗାଓ୍ୱାଟର ୨ଟି ଜଳ ବିଦ୍ୟୁତ ପ୍ରକଳ୍ପ । ପ୍ରମୁଖ ପଲ୍ଲୀରେ ୫ଶହ କିଲୋଓ୍ୱାଟ୍ ସୋଲାର୍ ପାଓ୍ୱାର୍ ପ୍ଲାଣ୍ଟ୍ ଲୋକାର୍ପଣ ହେବା ଫଳରେ ଏହା ଦେଶର ପ୍ରଥମ କାର୍ବୋନ୍ ନ୍ୟୁଟ୍ରାଲ୍ ପଞ୍ଚାୟତ ବନିଛି ।

ଏଥିସହ ଦେଶର ପ୍ରତି ଜିଲ୍ଲାରେ ୭୫ଟି ଜଳାଶୟର ପୁନରୁଦ୍ଧାର ପାଇଁ ଅମୃତ ସରୋବର ଅଭିଯାନର ମଧ୍ୟ ଶୁଭାରମ୍ଭ କରିଛନ୍ତି ମୋଦି । ବିରୋଧୀଙ୍କୁ ଟାର୍ଗେଟ୍ କରି କହିଛନ୍ତି, ସ୍ୱାଧୀନତାର ୭ ଦଶନ୍ଧି ଭିତରେ ଜାମ୍ମୁ ଓ କାଶ୍ମୀରରେ ମାତ୍ର ୧୭ ହଜାର କୋଟି ଟଙ୍କାର ଘରୋଇ ନିବେଶ ହୋଇଥିଲା, ଯାହାକି ଗଲା ୨ ବର୍ଷ ଭିତରେ ୩୮ ହଜାର କୋଟିରେ ପହଞ୍ଚିଛି । ପୂର୍ବ ସରକାର ଗୁଡ଼ିକରେ ଏଠାରେ ଲୋକମାନେ ପ୍ରାୟ ୨୫୦ଟି କେନ୍ଦ୍ରୀୟ ଯୋଜନାରୁ ବଞ୍ଚିତ ହେଉଥିଲେ ଯାହାକି ଆମେ ଲାଗୁ କରି ଦେଖାଇଛୁ ।

ଗତକାଲିର କାର୍ଯ୍ୟକ୍ରମରେ ହଜାର ହଜାର ପଞ୍ଚାୟତସ୍ତରୀୟ ଜନପ୍ରତିନିଧି ଓ ସାଧାରଣ ଲୋକ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ସହ ମଞ୍ଚରେ ଉପସ୍ଥିତ ଥିଲେ ଜାମ୍ମୁ ଓ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଏବଂ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ଓ ଜିତେନ୍ଦ୍ର ସିଂ ପ୍ରମୁଖ । ତେବେ ନିକଟ ଭବିଷ୍ୟତରେ ଜାମ୍ମୁ ଓ କାଶ୍ମୀରରେ ବିଧାନସଭା ନିର୍ବାଚନ ଆୟୋଜନ ହୋଇପାରେ ବୋଲି କୁହାଯାଉଥିବାରୁ, ମୋଦିଙ୍କ ଆଜିର ଗସ୍ତ ବେଶ୍ ଗୁରୁତ୍ୱ ବହନ କରୁଛି ।

ବିଗତ ୪୮ ଘଣ୍ଟା ଭିତରେ ସୁରକ୍ଷାକର୍ମୀ ଚାରିଜଣ ଜୈସ୍ ଆତଙ୍କୀଙ୍କୁ ସଫା କରିଥିବା ବେଳେ, ଗତକାଲି ମଧ୍ୟ ମୋଦିଙ୍କ ସଭା ସ୍ଥଳଠୁ ୧୨ କିଲୋମିଟର ଦୂରରେ ଏକ ସନ୍ଦେହଜନକ ବିସ୍ଫୋରଣ ହୋଇଥିବା ସୂଚନା ମିଳିଥିଲା । ଏହି ଦୃଷ୍ଟିରୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଗ୍ରହଣ କରାଯାଇଥିଲା ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା ।