• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଦେଶର ୭୫ ହଜାର ଯୁବାଙ୍କୁ ଆପଏଣ୍ଟମେଣ୍ଟ ଲେଟର । ୧୦ ଲକ୍ଷଙ୍କୁ ଖୁବ୍ ଶୀଘ୍ର ମିଳିବ ସରକାରୀ ଚାକିରି । ଧନ୍‌ତେରସରେ ଯୁବାବର୍ଗଙ୍କ ପାଇଁ ଆଗୁଆ ଦୀପାବଳିର ଖୁସି ଆଣି ମେଗା ରୋଜଗାର ମେଳାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ସମ୍ବୋଧନରେ କହିଛନ୍ତି, ‘ବିକଶିତ ଭାରତର ସଂକଳ୍ପରୁ ସିଦ୍ଧି ଲକ୍ଷ୍ୟରେ ଏବେ ଆମେ ଆତ୍ମନିର୍ଭର ଭାରତର ରାସ୍ତାରେ ଆଗେଇ ଚାଲିଛି ଏହି ଧାରା । ଆଗକୁ ବି ଜାରି ରହିବ । ୫ଜି ଆସିଯାଇଥିବାରୁ ରୋଜଗାରର ସୁଯୋଗ ଆହୁରି ବଢ଼ିବ’ ।

ନୂଆ ଜୋସ୍, ନୂଆ ଆଶା, ନୂଆ ଆତ୍ମବିଶ୍ୱାସ । ନୂଆ ଭାରତର ୭୫ ହଜାର ଯୁବାଙ୍କ ହାତରେ ସମ୍ଭାବନାର ନିଯୁକ୍ତିପତ୍ର ।  ଧନତେରସରେ ଆଗୁଆ ଦିୱାଲି ଧମାକା । ବେରୋଜଗାରୀ ବିରୋଧରେ ଲଢ଼େଇ ସ୍ୱରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନ୍‌ଫରେନ୍ସିଂ ଯୋଗେ ଦେଶରେ ନିଯୁକ୍ତି ମେଳାର ନୂଆ ଧାରା ଆରମ୍ଭ କରିଛନ୍ତି ।

ରୋଜଗାର ମେଳା ଜରିଆରେ ଆଗାମୀ ବର୍ଷକ ଭିତରେ ୧୦ ଲକ୍ଷ ସରକାରୀ ପଦରେ ନିଯୁକ୍ତିର ଲକ୍ଷ୍ୟ ରଖାଯାଇଥିଲା ବେଳେ ପ୍ରଥମ ପର୍ଯ୍ୟାୟରେ ଆଜି ୭୫ ହଜାର ୨୨୬ ଆଶାୟୀଙ୍କୁ ଅଫର ଲେଟର ମିଳିଛି । ମେଳାର ଶୁଭାରମ୍ଭ ଅବସରରେ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଦେଶ ଏବେ ସଂକଳ୍ପରୁ ସିଦ୍ଧି ହାସଲ ଲକ୍ଷ୍ୟରେ ଆତ୍ମନିର୍ଭର ରାସ୍ତାରେ ଆଗକୁ ବଢୁଛି । ବହୁ ବଡ଼ ରାଷ୍ଟ୍ର ମୁଦ୍ରାସ୍ଫୀତି, ବେରୋଜଗାରୀ ବିରୋଧରେ ଜୁଝୁଥିଲା ବେଳେ ୮ ବର୍ଷ ଭିତରେ ୧୦ମ ସ୍ଥାନରୁ ଉଠି ଭାରତ ବିଶ୍ୱର ପଞ୍ଚମ ବୃହତ ଅର୍ଥନୀତି ହୋଇପାରିଛି । ଦେଶରେ ନିଯୁକ୍ତି ପ୍ରକ୍ରିୟା ତ୍ୱରିତ ଓ ସହଜ ହୋଇଛି’ । 5G ଯୁଗରେ ରୋଜଗାର ସୁଯୋଗ ଆହୁରି ବଢ଼ିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

 

ଏକ ସମୟରେ ଦେଶର ୫୦ ସହରରେ ଆୟୋଜିତ ଏଇ ମେଗା ରୋଜଗାର ମେଳାରେ ୫୦ ଜଣ କେନ୍ଦ୍ରମନ୍ତ୍ରୀ ଯୋଗ ଦେଇ ନିୟୁକ୍ତିପତ୍ର ବାଣ୍ଟିଥିଲେ । ଆଲୋକ ଓ ଆନନ୍ଦର ପର୍ବ ଦୀପାବଳିର ଠିକ୍ ପୂର୍ବରୁ ହାତରେ ସରକାରୀ ଚାକିରିର ଅଫର୍ ପାଇ ଖୁସିରେ ଆତ୍ମହରା ଆଶାୟୀ ।

ଭୁବନେଶ୍ୱରରେ ଆୟୋଜିତ ନିଯୁକ୍ତି ମେଳାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଦାନ ଓ ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗ ଦେଇ ୨୩୯ ଜଣଙ୍କୁ ନିଯୁକ୍ତିପତ୍ର ଦେଇଥିଲା ବେଳେ କଟକରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ୧୦୫ ଜଣଙ୍କୁ ଆପଏଣ୍ଟମେଣ୍ଟ ଲେଟର ବାଣ୍ଟିଥିଲେ ।

କେନ୍ଦ୍ର ସରକାରଙ୍କ ୩୮ଟି ମନ୍ତ୍ରଣାଳୟ ଓ ବିଭାଗରେ ଖାଲି ପଡ଼ିଥିବା ପଦବୀରେ ଯୁବକଯୁବତୀଙ୍କୁ ଏଇ ନିଯୁକ୍ତି ମିଳିଛି । ମୁଖ୍ୟତଃ  ପ୍ରତିରକ୍ଷା, ରେଳ, ଗୃହ, ଡାକ, ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ, କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ, ସିବିଆଇ, କଷ୍ଟମ୍ସ ଏବଂ ବ୍ୟାଙ୍କିଂ କ୍ଷେତ୍ରରେ ଏହି ଚାକିରି ଦିଆଯାଇଛି । ୟୁପିଏସ୍‌ସି, SSC ଏବଂ ରେଲୱେ ଭଳି ସରକାରୀ ରିକ୍ରୁଟ୍‌ମେଣ୍ଟ ଏଜେନ୍ସି ଜରିଆରେ ଏହି ନିଯୁକ୍ତି ମିଳିଛି ।

(ରୁପୋର୍ଟ- କଟକରୁ ଦେବାଶିଷ ମହାନ୍ତି ଓ ଭୁବନେଶ୍ୱରରୁ ସୌମ୍ୟରଞ୍ଜନ ସାହୁ)