Advertisment

କଂଗ୍ରେସ ୨.୦ ପାଇଁ ପିକେ ପ୍ଲାନ; ୨୦୨୪ରେ ଭାରତ ବିଜୟ ପାଇଁ ବ୍ଲୁପ୍ରିଣ୍ଟ

କଂଗ୍ରେସ ପାଇଁ କମର କସିବେ ପିକେ। ସୋନିଆ ଗାନ୍ଧିଙ୍କ ସହ ଅନ୍ତିମ ପର୍ଯ୍ୟାୟ ଭେଟଘାଟ ପରେ ବଡ଼ ନିଷ୍ପତ୍ତି। ଅଣ-ଗାନ୍ଧୀ ନେତାଙ୍କୁ କାର୍ଯ୍ୟକାରୀ ସଭାପତି କରିବାକୁ ପିକେଙ୍କ ପରାମର୍ଶ।

author-image
Pramod Behera
PK plan for Congress 2.0; The blueprint for India's victory in 2024

PK plan for Congress 2.0; The blueprint for India's victory in 2024

ଜାତୀୟ ରାଜନୀତିରେ ଚିତ୍‌ପଟାଙ୍ଗ ମାରିଥିବା ଏବଂ ହାର୍ ପରେ ହାରର ସମ୍ମୁଖିନ ହୋଇ ସଙ୍କଟ ମଧ୍ୟରେ ଗତି କରୁଥିବା କଂଗ୍ରେସର ଭଙ୍ଗା ଡଙ୍ଗାକୁ ଦିଲ୍ଲୀର କୂଳରେ ପହଞ୍ଚାଇବା ପାଇଁ ପାଗ ଭିଡୁଛନ୍ତି ରାଜନୀତି ରଣନୀତିକାର ପ୍ରଶାନ୍ତ କିଶୋର- ପିକେ। ୨୦୧୪ରୁ ବିଜେପି ନାରା ଦେଇଥିଲା କଂଗ୍ରେସ ମୁକ୍ତ ଭାରତ, ଆଉ ଏବେ ସେହି କଂଗ୍ରେସ ଦେଖୁଛି ଭାରତ ବିଜୟର ସ୍ୱପ୍ନ।

Advertisment

କଂଗ୍ରେସର ଦଶା, ଦିଶା ଓ ପଟ୍ଟ ପରିବର୍ତ୍ତନ ପାଇଁ ଅଣ୍ଟା ଭିଡିଛନ୍ତି ପିକେ । ପିକେ- ପଲିଟିକାଲ୍‌ ଏନାଲିଷ୍ଟ୍‌ ପ୍ରଶାନ୍ତ କିଶୋର। ବୁଡ଼ି ଯାଉଥିବା କଂଗ୍ରେସର ରାଜନୈତିକ ନୌକାକୁ ୨୦୨୪ ନିର୍ବାଚନରେ ଦିଲ୍ଲୀ ଦରବାରେ ପହଞ୍ଚାଇବା ପାଇଁ ସାଜୁଛନ୍ତି ସାରଥୀ।

ଅଳ୍ପଦିନ ମଧ୍ୟରେ ଦିଲ୍ଲୀରେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କ ଉପସ୍ଥିତିରେ ସାମିଲ ହୋଇ ମୃତପ୍ରାୟ କଂଗ୍ରେସ ପାଇଁ ସଂଜୀବନି ସାବ୍ୟସ୍ତ ହେବେ । ଏବେ ଏମିତି କିଛି ଚର୍ଚ୍ଚା ସହ ଉତ୍ସାହିତ ଅଛନ୍ତି ଦଳୀୟ ନେତୃବୃନ୍ଦ । ୨୪ ସାଧାରଣ ନିର୍ବାଚନ ପାଇଁ ଦିଲ୍ଲୀର ୨୪ ଆକବର ରୋଡ୍ ପିକେଙ୍କୁ ସ୍ୱାଗତ ପାଇଁ ବି ପ୍ରସ୍ତୁତ ରହିଛି ।

Advertisment

ଏହା ପୂର୍ବରୁ ଦଳର ସ୍ଥିତି ମଜବୁତ ପାଇଁ ରାଜନୀତି ରଣନୀତିକାର ପ୍ରଶାନ୍ତ କିଶୋର ଦେଇଥିବା କେତେକ ପ୍ରସ୍ତାବକୁ ନିଜେ ସୋନିଆ ସ୍ୱିକୃତୀ ଦେଇଛନ୍ତି । ପ୍ରଶାନ୍ତଙ୍କ ବ୍ଲୁପ୍ରିଣ୍ଟକୁ ରାହୁଲ ଗାନ୍ଧୀ ମଧ୍ୟ ହଁ ରେ ହଁ ଭରିଛନ୍ତି । ବିଭିନ୍ନ ରାଜ୍ୟରେ କଂଗ୍ରେସ ମୁଖିଆଙ୍କୁ ପରିବର୍ତ୍ତନ ହେଉ କିମ୍ବା ସାଂଗଠିନିକ ସ୍ଥିତିରେ ପରିବର୍ତ୍ତନ । ଏବେଠୁ ପ୍ରଶାନ୍ତଙ୍କ କଂଗ୍ରେସ ୨ ପଏଣ୍ଟ କୁ ନେଇ ଚର୍ଚ୍ଚା ଜୋର ।

କଂଗ୍ରେସରେ ରାଜନୀତି ରଣନୀତିକାର ପ୍ରଶାନ୍ତ କିଶୋର ସାମିଲ ହେଉଥିବା ଖବର ଏବଂ ଏହାକୁ ନେଇ ରାଜନୀତି ଏବେ ଦିଲ୍ଲୀ ରାଜନୀତିକୁ ସରଗରମ କରିଛି । ଦୁଇ ସପ୍ତାହରେ ତିନି ଥର ସୋନିଆ ଏବଂ ପ୍ରଶାନ୍ତଙ୍କ ମଧ୍ୟରେ ହୋଇଥିବା ମାନସ ମନ୍ଥନରୁ ଏହା ସ୍ପଷ୍ଟ ଯେ, ପିକେ କଂଗ୍ରେସ ପାଇଁ ପ୍ରସ୍ତୁତ କରିଥିବା ରିଭାଇଭାଲ୍‌ ପ୍ଲାନ୍ ସହ ନୂଆ ରାଜନୈତିକ ଯାତ୍ରା ଆରମ୍ଭ କରିବେ । ପିକେଙ୍କୁ ନେଇ ବେଶ୍ ଗମ୍ଭୀର ଥିବା ସୋନିଆ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଭଦ୍ରାଙ୍କ ସହ ମଧ୍ୟ ଦଳର ସ୍ଥିତି ନେଇ ଆଲୋଚନା କରିଛନ୍ତି ।

ପିକେଙ୍କ ପ୍ଲାନ ସହ ୨୪ ସାଧାରଣ ନିର୍ବାଚନ ଲଢ଼ିବାକୁ ଦଳ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି । ଏଥିପାଇଁ ପ୍ରଶାନ୍ତ ପ୍ରସ୍ତୁତ କରିଥିବା କଂଗ୍ରେସ ୨.୦ ପ୍ଲାନ୍ ରେ ବିଜେପିର ବିଜୟ ପଥ ରୋକିବାକୁ ରାମବାଣ ଉପାୟ ସହ ରହିଛି ଅମୋଘ ଅସ୍ତ୍ର । କଂଗ୍ରେସ ୨.୦ର ବ୍ଲୁପ୍ରିଣ୍ଟରେ କ’ଣ ରହିଛି ସେନେଇ ସବିଶେଷ ତଥ୍ୟ ଜଣାପଡ଼ି ନଥିଲେ ମଧ୍ୟ ଏକ ଜାତୀୟ ଗଣମାଧ୍ୟମ ସଂସ୍ଥା ତାହା ପାଇଥିବା ଦାବି କର ଖବର ପ୍ରକାଶ କରିଛି । ଜାଣନ୍ତୁ କଂଗ୍ରେସ ଭବିଷ୍ଯତ କେମିତି ନିର୍ଦ୍ଧାରଣ କରିଛନ୍ତି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର-ପିକେ।

ରିପୋର୍ଟରେ ଦାବି କରାଯାଇଛି ଯେ, ୨୪ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ପ୍ରଶାନ୍ତଙ୍କ ସହ ଗତବର୍ଷ ହିଁ ଯୋଗାଯୋଗ କରିଥିଲେ । ୨୦୨୧ ବର୍ଷରେ ହିଁ ପ୍ରଶାନ୍ତ କଂଗ୍ରେସ ପାଇଁ ପ୍ରସ୍ତୁତ କରିଥିଲେ ଏହି କଂଗ୍ରେସ ୨.୦ର ଫର୍ମୁଲା ବା ଇଟ୍ସ ଏବାଉଟ୍‌ ଓ୍ୱିନିଙ୍ଗ ଇଣ୍ଡିଆ ଇନ୍ ୨୦୨୪। ଏଥିରେ ସେ ଦଳ ଦେଖିଥିବା ବିପର୍ଯ୍ୟୟ, ହାର ଏବଂ ନେତୃତ୍ୱ ସଂକଟ ସମ୍ପର୍କରେ ସୂଚନା ଦେଇଛନ୍ତି । ବିଶେଷ କରି ୧୯୮୪ରୁ ୨୦୧୯ ମଧ୍ୟରେ ଦଳର ସ୍ଥିତି ସମ୍ପର୍କରେ ଉଲ୍ଲେଖ କରିଛନ୍ତି ।

ପିକେଙ୍କ ପ୍ଲାନ୍‌ କହୁଛି, କଂଗ୍ରେସର ପୁନର୍ଜନ୍ମ ପାଇଁ ଶୀର୍ଷ ନେତୃତ୍ୱ ଦଳର ପୁନନିର୍ମାଣ ଏବଂ ଏହାକୁ ଲୋକତାନ୍ତ୍ରିକ ଭାବେ ଗଢ଼ିବାର ଆବଶ୍ୱକତା ରହୁଛି । ସୋନିଆ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ରହିଲେ ମଧ୍ୟ ଜଣେ ଅଣ ଗାନ୍ଧୀ ନେତା କାର୍ଯ୍ୟକାରୀ ସଭାପତି ଭାବେ ଦଳର ଦାୟିତ୍ୱ ତୁଲାଇବାର ଆବଶ୍ୟକତା ରହିଛି । କଂଗ୍ରେସ ପାଇଁ ଜଣେ ଅଣ ଗାନ୍ଧୀ ପରିବାରର ନେତା ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷଭାବେ ନିଯୁକ୍ତି ହୋଇ ଦଳ ପାଇଁ ପ୍ରଭାବୀ କାମ କରିବାର ରହିଛି। ଏବେ ଆସନ୍ତୁ ନଜର ପକାଇବା ପିକେଙ୍କ ପ୍ଲାନ୍‌ର କିଛି ବିଶେଷ ବିନ୍ଦୁ ଉପରେ।

  • କଂଗ୍ରେସ ୨.୦ ପାଇଁ ପିକେ ପ୍ଲାନ
  • ଜନତାଙ୍କ ପାଇଁ ନୂଆ କଂଗ୍ରେସର ନିର୍ମାଣ
  • ନିଜର ମୂଲ୍ୟବୋଧ ଏବଂ ମୂଳ ସିଦ୍ଧାନ୍ତର ରକ୍ଷା କରିବା
  • ଅଧିକାର ଏବଂ ଚାଟୁକାରିତାର ଭାବନା ନଷ୍ଟ କରିବା
  • ଗଠବନ୍ଧନର ଗଣିତକୁ ବୁଝିବା
  • ଭାଇ-ଜାତିବାଦକୁ ରୋକିବା ପାଇଁ ଗୋଟିଏ ପରିବାର ଗୋଟିଏ ଟିକଟ୍‌ ନୀତି ଅବଲମ୍ବନ କରିବା
  • ନିର୍ବାଚନ ମାଧ୍ୟମରେ ସାଂଗଠନିକ ପଦ ପଦବୀ ଲାଗି ନେତା ଚୟନ କରିବା
  • କଂଗ୍ରେସ ଅଧ୍ୟକ୍ଷ ଏବଂ କଂଗ୍ରେସ କାର୍ଯ୍ୟ ସମିତି ସହ ସବୁ ପଦ ପାଇଁ ନିଶ୍ଚିତ କାର୍ଯ୍ୟକାଳ ନିର୍ଦ୍ଧାରଣ
  • ତୃଣମୂଳ ସ୍ତରରେ ୧୫ ହଜାର କର୍ମଠ ନେତା ଏବଂ ୧ କୋଟି କଂଗ୍ରେସୀ ସୈନିକ ବା କର୍ମୀଙ୍କୁ ସକ୍ରିୟ କରିବା
  • ଦଳକୁ ଅଧିକ ବଳଶାଳୀ କରିବା ପାଇଁ ୨ଶହରୁ ଅଧିକ ସମାନ ବିଚାରଧାରାର ଇନଫ୍ଲୁଏନ୍ସର, ସାମାଜିକ କର୍ମୀ, ନାଗରିକଙ୍କୁ ନେଇ ଏକ ଫେଡେରସନ କରିବା

କୁହାଯାଉଛି ସୋନିଆଙ୍କ ଫାଇନାଲ ମିଟ୍ ପରେ ପିକେଙ୍କୁ ନେଇ ବଡ଼ ଘୋଷଣା କରିପାରେ କଂଗ୍ରେସ । କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ମାରାଥନ ଆଲୋଚନା ପରେ ହାଇକମାଣ୍ଡ ପିକେଙ୍କୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି । ପିକେ ଯଦି କଂଗ୍ରେସ ସହ ସାମିଲ ହୋଇ ଆଗକୁ ବଢ଼ନ୍ତି କେବେ ସେ ଅଣିବିଜେପି ଏବଂ ଅଣ ଏନ୍‌ଡିଏ ପାର୍ଟିକୁ ଏକାଠି କରିବା ଦିଗରେ କେତେ ସମର୍ଥ ହେଉଛନ୍ତି ତାହା ସମୟ ହିଁ କହିବ ।

(ରିପୋର୍ଟ : ରାମକୃଷ୍ଣ ଡାକୁଆ)

National News PK Plan For Congress 2.0
Advertisment
Advertisment