• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜନସ୍ୱାର୍ଥ ମାମଲା ଏବେ ବ୍ୟକ୍ତିଗତ ସ୍ୱାର୍ଥ ମାମଲାରେ ପରିଣତ ହୋଇଛି । ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ମକଦ୍ଦମା ରୁଜୁ ବଦଳରେ ଏବେ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ରୁଜୁ ହେଉଛି ମକଦ୍ଦମା । ରାଜନୈତିକ ଏବଂ କର୍ପୋରେଟ୍‌ ପ୍ରତିଦ୍ୱନ୍ଦୀଙ୍କୁ ଅକଳରେ ପକାଇବାକୁ ପିଆଇଏଲ୍‌କୁ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି ।

ସେହିପରି ବିଭିନ୍ନ ପ୍ରକଳ୍ପକୁ ସ୍ଥଗିତ ରଖିବା ଏବଂ ସରକାରୀ କର୍ତ୍ତପକ୍ଷଙ୍କୁ ଆତଙ୍କିତ କରିବା ଉଦ୍ଦେଶ୍ୟରେ ମଧ୍ୟ ପିଆଇଏଲ (PIL)ର ବହୁଳ ବ୍ୟବହାର ହେଉଛି । ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ରମଣା । ମୁଖ୍ୟମନ୍ତ୍ରୀ ଓ ବିଚାରପତିଙ୍କ ସମ୍ମିଳନୀରେ ସମ୍ବୋଧନ କରିବା ଅବସରରେ ଏନେଇ ପ୍ରତିକ୍ରିୟା ରଖିଥିଲେ ସିଜେଆଇ ଜଷ୍ଟିସ ରମଣା ।

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି କାର୍ଯ୍ୟକ୍ରମରେ ନିଜର ଉଦ୍‌ବୋଧନ ରଖିଛନ୍ତି । ସେ କହିଛନ୍ତି ଦେଶରେ ସୁଲଭ, ତ୍ୱରିତ ନ୍ୟାୟ ଆବଶ୍ୟକ । ଦେଶର ନ୍ୟାୟିକ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ଅପିଲ୍ କରିଛନ୍ତି । ସମସ୍ତଙ୍କ ପାଇଁ ନ୍ୟାୟ ସୁଲଭ, ତ୍ୱରିତ ଓ ସୁନିଶ୍ଚିତ ହେବା ଜରୁରୀ । ନ୍ୟାୟ ପ୍ରକ୍ରିୟାରେ ବିଳମ୍ବ ହେବା କଥା ନୁହେଁ, ଏଥିପାଇଁ ଉଦ୍ୟମ ଜରୁରୀ । ନ୍ୟାୟପାଳିକାରେ ବି ବୈଷୟିକ ଜ୍ଞାନକୌଶଳକୁ ଗୁରୁତ୍ୱ ଦିଆଯାଉଛି ।

ବର୍ତ୍ତମାନ କୋର୍ଟରେ ଖାଲି ଥିବା ପଦବୀ ପୂରଣ ପାଇଁ ପ୍ରକ୍ରିୟା ଜାରି ରହିଛ । କୋର୍ଟରେ ସ୍ଥାନୀୟ ଭାଷାକୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ଅଛି । ଏହା ଦ୍ୱାରା ନ୍ୟାୟିକ ବ୍ୟବସ୍ଥା ଉପରେ ସାଧାରଣ ଲୋକଙ୍କ ବିଶ୍ୱାସ ବଢ଼ିବ । ବୈଷୟିକ ଓ ଡାକ୍ତରୀ ଶିକ୍ଷା କାହିଁକି ମାତୃଭାଷାରେ ହୋଇ ପାରିବନି ବୋଲି କହିଛନ୍ତି ମୋଦି । ୨୦୧୫ରେ ୧୪୫୦ଟି ଅଦରକାରୀ ଆଇନ କେନ୍ଦ୍ର ଉଚ୍ଛେଦ କରିଥିଲା । ନ୍ୟାୟପାଳିକାର ଭୂମିକା ସମ୍ବିଧାନର ସଂରକ୍ଷକ ଭାବେ ରହିଛି । କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକା ମିଶି ଦେଶର ସ୍ୱପ୍ନର ଭବିଷ୍ୟ ଗଢୁଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଡିଜିଟାଲ୍ କାରବାରରେ ଭାରତ ଏବେ ଅଗ୍ରଣୀ ସ୍ଥାନରେ

ନ୍ୟାୟିକ ବ୍ୟବସ୍ଥାରେ ଟେକ୍ନୋଲୋଜିର ସମ୍ଭାବନାକୁ ମଧ୍ୟ ଭାରତ ସରକାର ଡିଜିଟାଲ ଇଣ୍ଡିଆ ମିଶନର ଏକ ଅତ୍ୟାବଶ୍ୟକ ଅଂଶ ଭାବରେ ବିବେଚନା କରୁଛନ୍ତି । ଉଦାହରଣ ସ୍ୱରୂପ ଇ-କୋର୍ଟ ପ୍ରକଳ୍ପ ମିଶନ୍ ମୋଡରେ କାର୍ଯ୍ୟକାରୀ ହେଉଛି । ଛୋଟ ସହର ଏବଂ ଏପରିକି ଗାଁରେ ଆଜି ଡିଜିଟାଲ୍ କାରବାର ଅତି ସାଧାରଣ ହେବାରେ ଲାଗିଛି । ଗତ ବର୍ଷ ଦୁନିଆରେ ଘଟିଥିବା ସମସ୍ତ ଡିଜିଟାଲ କାରବାର ମଧ୍ୟରୁ ୪୦ ପ୍ରତିଶତ ଡିଜିଟାଲ କାରବାର ଭାରତରେ ହୋଇଥିବା କହିଛନ୍ତି ।

ଲିଗାଲ ଏଜୁକେସନ୍ ଆନ୍ତର୍ଜାତୀୟ ଶିକ୍ଷା ଅନୁଯାୟୀ ହେବା ଉଚିତ୍

ଆଜିକାଲି ଅନେକ ଦେଶରେ ଆଇନ ବିଶ୍ୱବିଦ୍ୟାଳୟରେ ବ୍ଲକ୍ ଚେନ୍, ଇଲେକ୍ଟ୍ରୋନିକ୍ ଡିସକଭରି, ସାଇବର ସିକ୍ୟୁରିଟି, ରୋବୋଟିକ୍ସ, ଏବଂ ବାୟୋଥିକ୍ସ ଭଳି ବିଷୟରେ ଶିକ୍ଷା ଦିଆଯାଉଛି । ଆମ ଦେଶରେ ଆଇନ ଶିକ୍ଷା ମଧ୍ୟ ଆନ୍ତର୍ଜାତୀୟ ମାନକ ଅନୁଯାୟୀ ହେବା ଉଚିତ ଓ ଏହା ଆମର ଦାୟିତ୍ୱ ବୋଲି କୁହାଯାଇଛି ।