• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଜିର ଦୁନିଆରେ କିଏ ବା କାହାର । ମଣିଷ ମଣିଷ ମଧ୍ୟରେ ଲଢ଼େଇ ଚାଲିଛି । ଭାଇ ଭାଇର ନିଜର ନୁହେଁ, ବାପା ପୁଅକୁ ପଚାରୁନି । ଏଭଳି ସମୟରେ ପଶୁପକ୍ଷୀଙ୍କ କଥା କିଏ ପଚାରେ । ହେଲେ କୁକୁର ପାଇଁ ସାତ ସମୁଦ୍ର ତେର ନଈ ଡେଇଁ ଆସିବା ପରି ଖବର ଶୁଣିଲେ ହୁଏତ ଆପଣ ଅଶ୍ଚର୍ଯ୍ୟ ହେବେ ନିଶ୍ଚୟ । ଉତ୍ତରପ୍ରଦେଶର ମିରଟ ସହରରୁ ଏପରି ଏକ ଖବର ଆସିଛି । ରହସ୍ୟମୟ ସ୍ଥିତିରେ ଏକ ପୋଷା କୁକୁର ନିଖୋଜ ହୋଇଯିବା ପରେ ପରିବାର ଲୋକ ତାକୁ ଖୋଜି ଖୋଜି ନୟାନ୍ତ ହୋଇଗଲେଣି । ହେଲେ କୁକୁରର କୌଣସି ପତ୍ତା ମିଳୁନାହିଁ । ତେବେ ଏଥିପାଇଁ କୁକୁରକୁ ତା’ ମାଲିକାଣୀ ଖୋଜିବା ପାଇଁ ଏକ ସପ୍ତାହ ଛୁଟି ନେଇ ଲଣ୍ଡନରୁ ମିରଟ ଆସିଛନ୍ତି ।

ଉତ୍ତର ପ୍ରଦେଶ ମିରଟ ସହରର ଏକ ପରିବାରର ପୋଷା କୁକୁର ଅଗଷ୍ଟ । ସେପ୍ଟେମ୍ବର ୨୪ରୁ କେଉଁଆଡ଼େ ଗାୟବ୍ ହୋଇଯାଇଛି । ଏଥିପାଇଁ ଏବେ ଅଗଷ୍ଟକୁ ଖୋଜିବାକୁ ଲଣ୍ଡନରୁ ଆସିଛନ୍ତି ମେଘା । କେବଳ ମେଘା ନୁହେଁ ତାଙ୍କ ଭଉଣୀ ମଧ୍ୟ ଦିଲ୍ଲୀରୁ ଘରକୁ ଆସିଛନ୍ତି । ଦୁଇ ଭଉଣୀଙ୍କ ସହିତ ପୁରା ପରିବାର ଅଗଷ୍ଟକୁ ଖୋଜୁଛନ୍ତି । ଏଥିପାଇଁ ସେମାନଙ୍କୁ ବହୁ କସରତ କରିବାକୁ ପଡ଼ିଲାଣି ।

ଅଗଷ୍ଟର ବୟସ ପ୍ରାୟ ୮ ବର୍ଷ । ଦିଲ୍ଲୀରେ ପଢୁଥିବା ବେଳେ ମେଘା ତାକୁ ଘରକୁ ଆଣିଥିଲେ । ଆଉ ତା’ ପର ଠାରୁ ଅଗଷ୍ଟ ତାଙ୍କ ପରିବାର ସଦସ୍ୟଙ୍କ ପରି ହୋଇଯାଇଥିଲା । କେହି କାହାକୁ ଘଡ଼ିଏ ନଦେଖିଲେ ଅନ୍ଧ । ଏହାରି ଭିତରେ ମେଘା ଲଣ୍ଡନ ଯାଇ ସେଠାରେ ଚାକିରି କରୁଛନ୍ତି । ଯେତେବେଳେ ସେ ଶୁଣିଲେ ଅଗଷ୍ଟ ହଜି ଯାଇଛି, ସେ ଆଉ ରହିପାରିଲେ ନାହିଁ । ଅଫିସରୁ ଏକ ସପ୍ତାହ ଛୁଟି ନେଇ ତାଙ୍କ ପ୍ରିୟ କୁକୁରକୁ ଖୋଜିବା ପାଇଁ ଘରକୁ ଆସିଛନ୍ତି ।

ବର୍ତ୍ତମାନ କୁକୁର ସଂପର୍କରେ ସୂଚନା ଦେବାକୁ ମିରଟ ସହର ସାରା ମରାଯାଇଛି ପୋଷ୍ଟର । ପ୍ରଥମେ ପୁରସ୍କାର ରାଶି ଥିଲା ୫ ହଜାର, ପରେ ତାକୁ ୧୫ ହଜାରକୁ ବୃଦ୍ଧି କରାଯାଇଛି । ହଜିଥିବା କୁକୁର ସମ୍ପର୍କରେ ଯିଏ ସୂଚନା ଦେବ, ତାକୁ ଏହି ପୁରସ୍କାର ମିଳିବ ବୋଲି ଖବର କାଗଜରେ ମଧ୍ୟ ବିଜ୍ଞାପନ ଦିଆଯାଇଛି ।

ମଜାର କଥା ହେଉଛି, କେବଳ ମେଘା ନୁହନ୍ତି, ତାଙ୍କ ସ୍ୱାମୀ ବି କୁକୁରକୁ ଖୋଜିବାକୁ ଲଣ୍ଡନରୁ ଆସିଛନ୍ତି । ଯିଏ ବି ଅଗଷ୍ଟ ସଂପର୍କରେ କିଛି ସୂଚନା ପାଏ, ତୁରନ୍ତ ଜଣାଇବାକୁ ଅନୁରୋଧ କରିଛନ୍ତି ମେଘା ଓ ତାଙ୍କ ପରିବାର ।