• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜିଠାରୁ ଆରମ୍ଭ ହେଉଛି ସଂସଦର ବଜେଟ୍‌ ଅଧିବେଶନ । ଆଜି ବଜେଟ ଅଧିବେଶନର ପ୍ରଥମ ଦିନ ହୋଇଥିବାରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ରାଜ୍ୟସଭା ଓ ଲୋକସଭାର ସାଂସଦଙ୍କୁ ଏକାଠି ସମ୍ବୋଧନ କରିବେ । ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଜଣାପଡ଼ିବ କେନ୍ଦ୍ର ସରକାରଙ୍କ ଏଜେଣ୍ଡା । ଆଜି ଓ ଆସନ୍ତାକାଲି ପ୍ରଶ୍ନୋତ୍ତର କିମ୍ବା ଶୂନ୍ୟକାଳ ହେବ ନାହିଁ । କରୋନା କଟକଣା ଭିତରେ ସଂସଦର ବଜେଟ୍‌ ଅଧିବେଶନ ହେବ । ତେଣୁ ଲୋକସଭାର ବାଚସ୍ପତି ଓମ୍ ବିର୍ଲା ଓ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ଏହାର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ।

ସେହିପରି, ଆସନ୍ତାକାଲି ଲୋକସଭାରେ ବଜେଟ୍‌ ଉପସ୍ଥାପନ ହେବ । ବଜେଟ ଆଗତ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କାହାକୁ ସେ କଣ ଦେବେ, ତା ଉପରେ ରହିଛି ସାରା ଦେଶର ନଜର । ବଜେଟ୍‌ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରି ୧୧ ଯାଏ ଚାଲିବ । ଏବଂ ପରେ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୪ରୁ ଆରମ୍ଭ ହୋଇ ଏପ୍ରିଲ ୮ ତାରିଖରେ ଶେଷ ହେବ । କରୋନା ପାଇଁ ଏଥର ଗୃହ କାର୍ଯ୍ୟରେ କିଛି ପରିବର୍ତ୍ତନ କରାଯାଇଛି ।

ରାଜ୍ୟସଭାର ଶୂନ୍ୟକାଳ ପ୍ରତ୍ୟେକ ଦିନ ୩୦ ମିନିଟ ରହିବ। ବଜେଟ ଅଧିବେଶନର ଏଜେଣ୍ଡା ପ୍ରସ୍ତୁତ କରିବା ପାଇଁ ‌ଆଜି ସଂଧ୍ୟା ୫ଟାରେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ବିଭିନ୍ନ ଦଳର ନେତାଙ୍କ ଏକ ବୈଠକ ଡାକିଛନ୍ତି । ଅନ୍‌ଲାଇନ୍‌ ଜରିଆରେ ଏହି ବୈଠକ ଅନୁଷ୍ଠିତ ହେବ । ବଜେଟ ଅଧିବେଶନରେ ଏଥର ପେଗାସସ୍ ବିବାଦ ମଧ୍ୟ ଉଠିପାରେ ବୋଲି ଆଶା କରାଯାଉଛି ।

ଚଳିତ ବର୍ଷ ହେବାକୁ ଥିବା ବଜେଟ୍‌ ଉପରେ ଗୃହିଣୀ, ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଉଦ୍ୟୋଗୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନଜର ରହିଛି । ନିର୍ମଳା ସୀତାରମଣଙ୍କ ବହି ଖାତାରୁ କଣ ବାହାରିବ ? କାହା ପାଇଁ ସେ କଣ ରଖିଛନ୍ତି ? ବିଶେଷ କରି କରୋନା ମାଡ଼ରେ ପ୍ରଭାବିତ ହୋଇଥିବା ଆମ୍ ଆଦମୀକୁ ସେ କଣ ଦେବେ ? ଦେଶର ଅର୍ଥନୀତିକୁ ବଳ ଦେବାକୁ କିଛି ବିଶେଷ ଘୋଷଣା କରିବେ କି ? ଏହି ସବୁ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଛି । ତେବେ ଏହି ସମସ୍ତ ପ୍ରଶ୍ନର ଉତ୍ତର ବଜେଟ୍‌ ଅଧିବେସନ ପରେ ହିଁ ଜଣାପଡିବ ।