• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଯାହାଙ୍କ ପାଇଁ ରାଷ୍ଟ୍ରପତି ବି ଓହ୍ଲାଇ ଆସିଲେ ।

  • ଉଚ୍ଚତା କି ଶରୀର ନୁହେଁ, କର୍ମ ସ୍ଥିର କରେ ପରିଚୟ ।

  • ସଫଳତାର ଶିଖର ଛୁଇଁଲେ ପାରା ଆଥଲେଟ୍ କେ.ଓ୍ୱାଇ. ଭେଙ୍କଟେଶ୍ ।

ନୂଆଦିଲ୍ଲୀ: କଥାରେ ଅଛି ମଣିଷ ତାର ସୁକର୍ମ ପାଇଁ ସମାଜରେ ପାଏ ପରିଚୟ, ହୁଏ ସମ୍ମାନିତ । ଏଇ ଯେମତି ପାରା ଆଥଲେଟ୍ କେ. ଓ୍ୱାଇ. ଭେଙ୍କଟେଶ୍ । ଉଚ୍ଚତା କମ୍ ସତ୍ତ୍ୱେ ଛୁଇଁଛନ୍ତି ସଫଳତାର ଶିଖର । ସେଇଥିପାଇଁ ତ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିବା ବେଳେ ଖୋଦ୍ ରାଷ୍ଟ୍ରପତି ବି ତାଙ୍କ ପ୍ରତି ଦେଖାଇଛନ୍ତି ମହାନୁଭବ । କେମିତି ଆସନ୍ତୁ ଜାଣିବା ।

କୁହାଯାଏ, ମନୁଷ୍ୟର ଉଚ୍ଚତା କି ଶରୀର ନୁହେଁ ବରଂ ତା କର୍ମ ସ୍ଥିର କରିଥାଏ ତାର ପରିଚୟ । ଏମିତି କିଛି ଲୋକ ଅଛନ୍ତି ଯେଉଁମାନଙ୍କ ଶାରୀରିକ ଉଚ୍ଚତା, କୌଣସି ପ୍ରକାରେ ସେମାନଙ୍କୁ ସଫଳତାର ଶିଖର ଛୁଇଁବାରେ ପ୍ରତିବନ୍ଧକ ସାଜି ପାରିନଥାଏ । ଆମେ କହୁଛୁ ପାରା ଆଥଲେଟ୍ କେ. ଓ୍ୱାଇ. ଭେଙ୍କଟେଶ୍‌ଙ୍କ କଥା ।ଏମିତି ବହୁତ କମ୍ ଥର ହୋଇଥାଏ, ଯେତେବେଳେ ପୁରସ୍କାର ପ୍ରଦାନକାରୀ ଅତିଥି, ପୁରସ୍କାର ବିଜେତାଙ୍କ ସହିତ ମଞ୍ଚ ତଳକୁ ଓହ୍ଲାଇ ଆସନ୍ତି । ତେବେ ରାଷ୍ଟ୍ରପତି ଭବନରେ ଗତ ମଙ୍ଗଳବାର ଏମିତି ହିଁ କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାରା ଆଥଲେଟ୍ ଭେଙ୍କଟେଶ୍‌ଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରିଥିଲେ । ଭେଙ୍କଟେଶ୍ ଓ୍ୱାର୍ଲଡ ଡ୍ୱାର୍ଫ ଗେମ୍ସରେ ଅନେକ ମେଡାଲ୍ ଜିତିଛନ୍ତି । କ୍ରୀଡ଼ା ଓ ଏହାର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବା ପାଇଁ ଭେଙ୍କଟେଶ୍‌ଙ୍କୁ ସମ୍ମାନିତ କରାଯାଇଛି । ଯେତେବେଳେ ଭେଙ୍କଟେଶ୍‌ଙ୍କୁ ସମ୍ମାନିତ କରାଯାଉଥିଲା, ସେତେବେଳେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ତାଳିମାଡ଼ ଭିତରେ ଭେଙ୍କଟେଶ୍ ଯେତେବେଳେ ମଞ୍ଚ ନିକଟକୁ ଯାଉଥିଲେ, ସମସ୍ତଙ୍କ ନଜର ତାଙ୍କ ଉପରେ କେନ୍ଦ୍ରୀଭୂତ ଥିଲା । ସେ ଷ୍ଟେଜ୍ ନିକଟରେ ପହଞ୍ଚିବା ପରେ ରାଷ୍ଟ୍ରପତି ଦେଖିଲେ ଯେ, ଭେଙ୍କଟେଶ୍ ବାମନ ହୋଇଥିବାରୁ ଦୁହିଁଙ୍କ ମଧ୍ୟରେ ଉଚ୍ଚତା ବ୍ୟବଧାନ ଅଧିକ ରହିଛି । ଏହାପରେ ରାଷ୍ଟ୍ରପତି ଭେଙ୍କଟେଶ୍‌ଙ୍କୁ ପାହାଚରୁ ଓହ୍ଲାଇ ତଳକୁ ଯିବାକୁ କହିଥିଲେ, ଯଦ୍ୱାରା ଦୁହେଁ ଏକ ସମତଳରେ ଛିଡ଼ା ହୋଇପାରିବେ । ଏହାପରେ ଭେଙ୍କଟେଶ ତଳକୁ ଓହ୍ଲାଇଥିଲେ । ଆଉ ତାଙ୍କ ସହିତ ରାଷ୍ଟ୍ରପତି ବି । ତାପରେ ତାଙ୍କୁ ସମ୍ମାନିତ କରାଯାଇଥିଲା । ଏହାଦେଖି ତାଳି ମାଡ଼ରେ କଂପି ଉଠିଥିଲା ରାଷ୍ଟ୍ରପତି ଭବନର ଦରବାର ହଲ୍ ।

କେ. ଓ୍ୱାଇ. ଭେଙ୍କଟେଶ୍ ହେଉଛନ୍ତି କର୍ଣ୍ଣାଟର ପାରା ଆଥଲେଟ୍ । ଯାହାଙ୍କ ଉଚ୍ଚତା ମାତ୍ର ୪ ଫୁଟ୍ ୨ ଇଞ୍ଚ୍ । ୨୦୦୫ରେ ଅନୁଷ୍ଠିତ ଚତୁର୍ଥ ବିଶ୍ୱ ଡ୍ୱାର୍ଫ ଗେମ୍ସରେ ୬ଟି ପଦକ ଜିତି ସେ ନିଜ ନାଁ ଲିମ୍‌କା ବୁକ୍ ଅଫ୍ ରେକର୍ଡସରେ ଲେଖାଇଥିଲେ । ସେ ପ୍ରଥମ ଭାରତୀୟ ଭାବେ ଏହି ଗେମ୍ସରେ ଦେଶର ପ୍ରତିନିଧିତ୍ୱ କରିଥିଲେ । ସେ ଆଥଲେଟିକ୍ସ ଓ ବ୍ୟାଡମିଣ୍ଟନରେ ଦେଶ ପାଇଁ ପଦକ ଜିତିଥିଲେ । ଏବେ ସେ ବୃତ୍ତିଗତ କ୍ରୀଡ଼ାରୁ ଅବସର ନେଇସାରିଛନ୍ତି, କିନ୍ତୁ କର୍ଣ୍ଣାଟକ ପାରା ବ୍ୟାଡମିଣ୍ଟନ ସଂଘର ସଚିବ ଅଛନ୍ତି । ବୋନ୍ ଗ୍ରୋଥ୍ ଡିସ୍ଅର୍ଡର ଯୋଗୁଁ ତାଙ୍କ ଉଚ୍ଚତା ସ୍ୱାଭାବିକ ହୋଇପାରି ନଥିଲା । ଏହାସତ୍ତ୍ୱେ ନିଜର କମ୍ ଉଚ୍ଚତାକୁ କେବେ ବି ନିଜ ସଫଳତାର ବାଟ ଓଗାଳିବାକୁ ଦେଇନାହାନ୍ତି । ୨୦୧୨ରେ ହୋଇଥିବା ସ୍ପାନିଶ୍ ପାରା ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ସେ ବ୍ରୋଞ୍ଜ୍ ପଦକ ଜିଣିଥିଲେ । ଏଥିସହ ୨୦୦୯ ଓ୍ୱାର୍ଲଡ ଡ୍ୱାର୍ଫ ଗେମ୍ସରେ ଡିସ୍କସ୍ ଥ୍ରୋରେ ଗୋଲ୍ଡ ମେଡାଲ୍, ଜାଭେଲିନ୍‌ରେ ବ୍ରୋଞ୍ଜ ଏବଂ ବ୍ୟାଡମିଣ୍ଟନ ସିଙ୍ଗଲ୍ ଓ ଡବଲ୍ସ ଇଭେଣ୍ଟରେ ପଦକ ପାଇଥିଲେ । ଭାରତ ସରକାର ତାଙ୍କୁ ଚଳିତ ବର୍ଷ ଜାନୁଆରୀ ୨୬ ତାରିଖରେ ଦେଶର ଚତୁର୍ଥ ବଡ଼ ବେସାମିରକ ସମ୍ମାନ ପଦ୍ମଶ୍ରୀ ଦେବାକୁ ଘୋଷଣା କରିଥିଲେ ।