• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପ୍ରେମ ପାଇଁ କିଏ ଜୀବନ ନେଇଯାଉଛି ତ କିଏ ଜୀବନ ଦେଇ ବି ଦେଉଛି । ପ୍ରେମ କେଉଁଠି, କେବେ ଆଉ କେତେବେଳେ ହୋଇଯିବ ତାହା ବୋଧ ହୁଏ କହିହେବ ନାହିଁ । PUBG ଖେଳୁ ଖେଳୁ ହୋଇଗଲା ପ୍ରେମ । ଏମିତିକି ପ୍ରେମିକକୁ ପାଇବା ପାଇଁ ବର୍ଡର ପାର୍‌ କରିଗଲେ ମହିଳା । ନିଜର ବାକି ଜୀବନ ପ୍ରେମିକ ସହ ବିତାଇବା ପାଇଁ ନିଷ୍ପତ୍ତି ନେଲେ ଜଣେ ପାକିସ୍ତାନି ମହିଳା । ନିଜର ଚାରି ଛୁଆଙ୍କୁ ସାଙ୍ଗରେ ଧରି ସୀମା ପାର୍‌ କରି ଭାରତ ପଳେଇ ଆସିଲେ । ଏଭଳି ଘଟଣା ଦିଲ୍ଲୀର ଗ୍ରେଟର ନଏଡାରେ ଦେଖିବାକୁ ମିଳିଛି । ଆଜିକୁ ପ୍ରାୟ ମାସେ କାଳ ସେମାନେ ଏକ ଭଡ଼ା ଘରେ ରହୁଥିବାର ପୋଲିସ ସୂଚନା ଦେଇଛି ।

ସୂଚନା ମୁତାବକ ଦିଲ୍ଲୀର ଜଣେ ଯୁବକ ସଚିନ୍‌ ପବଜି ଖେଳରେ ଜଣେ ପାକିସ୍ତାନ ମହିଳାଙ୍କୁ ଭଲ ପାଇ ବସିଥିଲେ । ଦୁହେଁ ଅନଲାଇନ୍‌ରେ ଚାଟ୍‌ ମଧ୍ୟ କରୁଥିଲେ । ମହିଳାଙ୍କୁ ପ୍ରେମର ନିଶା ଏମିତି ଚଢ଼ିଲା ଯେ ସେ ପ୍ରେମିକ ସହ ଜୀବନ ବିତାଇବା ପାଇଁ ପାକିସ୍ତାନରୁ ୪ ଶିଶୁଙ୍କୁ ଧରି ଭାରତ ଆସି ପହଞ୍ଚିଲେ । ପାକିସ୍ତାନର କରାଚୀ ସହରର ସୀମା ହାଇଦର ବିବାହିତା ହୋଇଥିବା ବେଳେ ତାଙ୍କର ୪ଟି ଛୁଆ ମଧ୍ୟ ଅଛନ୍ତି । ଏହାସତ୍ତ୍ୱେ ସେ ସଚିନଙ୍କ ପ୍ରେମରେ ପାଗଳ ହୋଇ ଦେଶ ଛାଡ଼ିବାକୁ ନିଷ୍ପତ୍ତି ନେଲେ।

ସୂଚନାନୁଯାୟୀ ମହିଳା ଜଣକ ପ୍ରଥମେ ଛୁଆଙ୍କୁ ଧରି ଦୁବାଇ ଯାଇଥିଲେ । ଦୁବାଇରେ ତାଙ୍କ ସ୍ୱାମୀ ରହୁଥିଲେ । ସେଠାରୁ ସେ ନେପାଳ କାଠମାଣ୍ତୁ ପାଇଁ ଫ୍ଲାଇଟ୍‌ କରିଥିଲେ । ନେପାଳ ପହଞ୍ଚିବା ପରେ ସେ ଭାରତ ସୀମା ପାର୍‌ କରି ପ୍ରଥମେ ପୋଖରା ତା’ପରେ ଗ୍ରେଟର୍‌ ନଏଡାରେ ପହଞ୍ଚିଥିଲେ । ସୀମାଙ୍କ କହିବାନୁଯାୟୀ ଯେ ସେ ସଚିନ୍‌ଙ୍କୁ PUBG ଖେଳରୁ ଚିହ୍ନିଥିଲେ । ଏହାପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ତାଙ୍କ ସ୍ୱାମୀ ଦୁବାଇରେ ଚାକିରି କରିଥିବା ବେଳେ ତାଙ୍କ ଭାଇ ପାକିସ୍ତାନ ଆର୍ମିରେ ଚାକିରି କରିଛନ୍ତି ।

ଭାରତରେ ପହଞ୍ଚିବା ପରେ ସଚିନ ଏକ ଭଡ଼ା ଘର ଠିକ୍‌ କରି ସୀମା ଓ ପିଲାଙ୍କୁ ରଖିଥିଲେ । ସଚିନ, ସୀମା ଓ ପିଲାମାନେ ପ୍ରାୟ ମାସେରୁ ଊର୍ଦ୍ଧ୍ୱ ସମୟ ଧରି ଉକ୍ତ ଭଡ଼ା ଘରେ ରହିଥିଲେ । ସେଠାକୁ ସଚିନଙ୍କ ପରିବାର ଲୋକେ ବି ଆସୁଥିଲେ । ତେଣୁ କେହି ପଡ଼ୋଶୀ ସେମାନଙ୍କୁ ସନ୍ଦେହ କରିନଥିଲେ।

ତେବେ ଜଣେ ପାକିସ୍ତାନୀ ମହିଳା ଭାରତରେ ପ୍ରବେଶ କରିଥିବା ନେଇ ଖବର ପ୍ରଚାରିତ ହେବା ପରେ ପୋଲିସ୍‌ ଘଟଣାର ଯାଞ୍ଚ ଆରମ୍ଭ କରିଛି । ପୋଲିସ ସଚିନ୍‌ଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି ।