Advertisment

ପାକିସ୍ତାନର ପୋଲ୍‌ ଖୋଲିଲା ଆତଙ୍କବାଦୀ, କହିଲା- ‘ଭାରତରେ ଆକ୍ରମଣ ପାଇଁ ମୋତେ ୩୦ ହଜାର ଟଙ୍କା ମିଳିଥିଲା’

କିଛି ଟଙ୍କା ଦେଇ ଜଣେ ପାକିସ୍ତାନ କର୍ଣ୍ଣେଲ ଆତଙ୍କବାଦୀଙ୍କୁ ଭାରତରେ ଆକ୍ରମଣ ପାଇଁ ପଠାଇ ଥିବା ଜଣାପଡ଼ିଛି। ପାକ୍ ଅଧିକୃତ କାଶ୍ମୀରରୁ ଆସିଥିବା ଆତଙ୍କବାଦୀ ତବ୍ରକ୍ ହୁସେନ୍‌ ଭାରତୀୟ ସେନା ହାତରେ ଧରାପଡ଼ିବା ପରେ ସତ ସାମ୍ନାକୁ ଆସିଛି।

author-image
Rajalaxmi Sahoo
Pakistan colonel paid Rs 30,000 to target Indian Army, says captured terrorist

Pakistan colonel paid Rs 30,000 to target Indian Army, says captured terrorist

‘ମୋତେ ପଠାଇଥିଲା ପାକିସ୍ତାନ ସେନା। ଏଥିପାଇଁ ମୋତ ଟଙ୍କା ମଧ୍ୟ ମିଳିଥିଲା।’ ନିଜ ସୁଇସାଇଡ୍ ମିଶନ ସମ୍ପର୍କରେ କ୍ୟାମେରା ଆଗରେ ଏଭଳି କିଛି କହିଛନ୍ତି ଧରାପଡ଼ିଥିବା ଜଣେ ଆତଙ୍କବାଦୀ। କିଛି ଟଙ୍କା ଦେଇ ଜଣେ ପାକିସ୍ତାନ କର୍ଣ୍ଣେଲ ତାଙ୍କୁ ଭାରତରେ ଆକ୍ରମଣ ପାଇଁ ପଠାଇ ଥିବା ଜଣାପଡ଼ିଛି। ‘ମୋତେ ୩୦ ହଜାର ଟଙ୍କା(ପାକିସ୍ତାନୀ ମୁଦ୍ରା) ଦେଇ ଭାରତୀୟ ସେନାକୁ ଟାର୍ଗେଟ୍ କରିବାକୁ ପାକିସ୍ତାନର କର୍ଣ୍ଣେଲ ଚୌଧୁରୀ ୟୁନୁସ୍ ପଠାଇଥିଲେ। ପାକ୍ ଅଧିକୃତ କାଶ୍ମୀରରୁ ଆସିଥିବା ଆତଙ୍କବାଦୀ ତବ୍ରକ୍ ହୁସେନ୍‌ ଭାରତୀୟ ସେନା ହାତରେ ଧରାପଡ଼ିବା ପରେ ଏମିତି ସତ ଓଗାଳିଛନ୍ତି। 

Advertisment

ଗତ ୨୧ ତାରିଖରେ ତବ୍ରକ୍ ଅନୁପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଏଲ୍ଓସି ନିକଟରେ ଧରାପଡ଼ିଥିଲା। ଜମ୍ମୁ-କାଶ୍ମୀର ରଜୌରୀ ସେକ୍ଟର ନୌଶେରାରେ ସେ ଗୁରୁତର ଅବସ୍ଥାରେ ଧରାପଡ଼ିଥିଲା। ଭାରତୀୟ ସେନା ପକ୍ଷରୁ ତା’ର ଚିକିତ୍ସା କରାଯାଉଛି। ତବ୍ରକ୍‌ର ଘର ପିଓକେ ଅଧୀନସ୍ଥ ସବ୍‌ଜକୋଟ୍‌ରେ। ସେ ପୂର୍ବରୁ ମଧ୍ୟ ୨୦୧୬ରେ ଏଲ୍ଓସି ଡେଇଁ ଭାରତ ଆସିଥିବା କହିଛି। 

ତବ୍ରକ୍‌ର ଚିକିତ୍ସା କରୁଥିବା ସେନା ଡାକ୍ତର ବ୍ରିଗେଡ଼ିୟର ରାଜୀବ ନାୟାର୍  କହିଛନ୍ତି, ତବ୍ରକ୍‌ର ଜଘଂ ଓ କାନ୍ଧରେ ୨ଟି ଗୁଳି ବାଜିଥିଲା ଏବଂ ପ୍ରଚୁର ରକ୍ତ ବହିଯାଇଥିଲା। ତାକୁ ବଞ୍ଚାଇବା ପାଇଁ ସର୍ଜରୀ କରାଯିବା ସହିତ ୩ ବୋତଲ ବିରଳ O ନେଗେଟିଭ୍ ଗ୍ରୁପ୍‌ର ରକ୍ତ ଦିଆଯାଇଛି। ଏବେ ସେ ସେନା ହସ୍ପିଟାଲର ଆଇସିୟୁରେ ଅଛି ଏବଂ ତାର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତେବେ ସେ ଆତ୍ମଘାତୀ ହମ୍‌ଲା କରି ଯେଉଁ ଭାରତୀୟ ସେନାର ରକ୍ତ ବୁହାଇବାକୁ ଆସିଥିଲା, ସେଇ ଭାରତୀୟ ସେନା ତାକୁ ରକ୍ତ ଦେଇ ବଞ୍ଚାଇଛି ବୋଲି ବ୍ରିଗେଡ଼ିୟର ନାୟାର୍ କହିଛନ୍ତି।

Advertisment

ଅନ୍ୟପକ୍ଷେ, ଗତ ୪୮ ଘଣ୍ଟା ମଧ୍ୟରେ ଦୁଇ ଦୁଇଟି ବଡ଼ ଅନୁପ୍ରବେଶ ଉଦ୍ୟମ ରୋକାଯାଇପାରିଥିବା ସେନା ପକ୍ଷରୁ କୁହାଯାଇଛି। ଏଥିରେ ୨ ଜଣ ଅନୁପ୍ରବେଶକାରୀ ପ୍ରାଣ ହରାଇଛନ୍ତି। ବନ୍ଧୁକ, ଗୁଳି, ପାକିସ୍ତାନୀ ମୁଦ୍ରା ଆଦି ଜବତ ହୋଇଛି। ଧରାପଡ଼ିଥିବା ଆତଙ୍କବାଦୀ ତବ୍ରକ୍ ୨୦୧୬ରେ ଅନୁପ୍ରବେଶ କରି ଧରାପଡ଼ିଥିଲା ଏବଂ ୨୦୧୭ରେ ମାନବିକତା ଦେଖାଇ ତାକୁ ଭାରତ ପାକିସ୍ତାନକୁ ପ୍ରତ୍ୟର୍ପଣ କରିଥିଲା ବୋଲି ସେନା କହିଛି। ହେଲେ ଏବେ ପୁଣିଥରେ ଭାରତୀୟ ସୀମାକୁ ଅନୁପ୍ରବେଶ କରି ଭାରତୀୟ ସେନାକୁ ଟାର୍ଗେଟ୍ କରି ଆକ୍ରମଣ ପାଇଁ ଯୋଝନା କରିଥିଲା।  

Terror Attack Terrorist Attack
Advertisment
Advertisment