• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବୋରୱେଲରେ ଫସିଥିବା ରାହୁଲକୁ ଉଦ୍ଧାର ପାଇଁ ୧୦୪ ଘଣ୍ଟାର ଅପରେସନ ଭିତରେ ଲୁଚିଛି ଲୋମଟାଙ୍କୁରା କାହାଣୀ । ଅପରେସନର ଶେଷ ପର୍ଯ୍ୟାୟରେ ନିଆଯାଇଥିଲା ଦେଶୀ ଯୁଗାଡ଼ର ସାହାଯ୍ୟ । କେମିତି ଆଇଡିଆ କାମ ଦେଲା, ଜାଞ୍ଜଗିରି-ଚାମ୍ପା ଜିଲ୍ଲାପାଳଙ୍କ କଥା ଶୁଣିଲେ ସମସ୍ତେ ‌ଆଶ୍ଚର୍ଯ୍ୟ ହେବେ । ସେପଟେ ଯେଉଁ ବୋରୱେଲ୍ ଭିତରେ ରାହୁଲ ପଡ଼ିଯାଇଥିଲା, ଖୋଳା ଯାଉଥିବା ସମୟରେ ସେ ଗାଁରେ ହିଁ ନଥିଲା ।

 ରାହୁଲକୁ ଶେଷ ମୁହୁର୍ତ୍ତରେ ଗାତରୁ ଟାଣି ଆଣିଥିଲା ଆଉ ଏକ ବାଳକ । କେମିତି ମୁଣ୍ଡକୁ ଜୁଟିଲା ବୁଦ୍ଧି ? ୮୦ ଫୁଟ ଗାତ ଭିତରୁ ରାହୁଲକୁ କେମିତି କରାଗଲା ଉଦ୍ଧାର ? ସେ କାହାଣୀ ବଖାଣିଛନ୍ତି ଖୋଦ୍ ଜାଞ୍ଜଗିରି ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଳା । ଅପରେସନରେ ସାମିଲ ଯବାନମାନଙ୍କୁ ସମ୍ବର୍ଦ୍ଧନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଆୟୋଜିତ ସଭାରେ ଜିଲ୍ଲାପାଳ କହିଛନ୍ତି, ରାହୁଲ ପାଖେ ପହଞ୍ଚିବାକୁ ସୁଡ଼ଙ୍ଗରେ ବାରମ୍ବାର ପଥର ପଡୁଥିବାରୁ ଆମେ ବେଳେ ବେଳେ ହତୋତ୍ସାହିତ ହେଉଥିଲୁ । ତଥାପି ମୁଖ୍ୟମନ୍ତ୍ରୀ ଫୋନ୍ କରି ଆମ ଉତ୍ସାହ ବୃଦ୍ଧି କରୁଥିଲେ ।

ଶେଷ ପର୍ଯ୍ୟାୟ ଖନନ ବେଳେ ରାହୁଲ ଉପରେ ପଥର ଖଣ୍ଡ ପଡ଼ିବାର ଆଶଙ୍କା ଥିଲା । କେମିତି ସେଥିରୁ ତାକୁ ସୁରକ୍ଷା ଦେଇହେବ, ସେଥିପାଇଁ ଏକ ଦେଶୀ ଯୁଗାଡରେ ଆଇଡିଆ ଜୁଟିଥିଲା । ଗାତ ଭିତରକୁ ଏକ ଢାଙ୍କୁଣି ଭଳି ଜିନିଷ ରାହୁଲକୁ ଘୋଡ଼ାଇବାକୁ ପକାଇଥିଲୁ । ଆଉ ଅନ୍ତିମ ପର୍ଯ୍ୟାୟରେ ରାହୁଲକୁ ଗାତରୁ ଟେକି ଆଣିବାକୁ ସହମତିରେ ଆଉ ଏକ ବାଳକର ଗୋଡ଼ରେ ଦଉଡ଼ି ବାନ୍ଧି ଓଲଟାଇ ତାକୁ ଗାତ ଭିତରକୁ ଛାଡ଼ିଥିଲୁ ।

ଓଲଟା ଓହଳି ଯାଇଥିବା ବାଳକ ଚଟକରି ରାହୁଲର ହାତ ଧରି ଉଠାଇ ଆଣିଥିଲା । ଲାଗିଲା ଯେମିତି ମନୋବଳ ଆଉ ବିଶ୍ୱାସ ଆଗରେ ବୁଦ୍ଧି ଓ ବଳର ଜିତ୍ ହେଲା । କଥା ହେଉଛି ଯେଉଁ ବୋରେଓ୍ୱଲ୍ ଗାତରେ ରାହୁଲ ଖସି ପଡିଥିଲା,ତାହା ମାତ୍ର ମାସେ ତଳେ ଖୋଳା ଯାଇଥିଲା । ଆଉ ସେତେବେଳେ ରାହୁଲ ତା ପିଉସୀଙ୍କ ଘରେ ଥିଲା, ପିଉସାଙ୍କ ଔଷଧ ଦୋକାନରେ ବସି କେତେବେଳେ ମେଡିସିନ୍ ବଢ଼ାଇ ଦେଉଥିଲା ତ କେତେବେଳେ ଗ୍ରାହକଙ୍କଠୁ ପଇସା ଆଣୁଥିଲା ।

ଗତ ୯ତାରିଖରେ ନିଜ ଗାଁ ଚାମ୍ପା ଜିଲ୍ଲାର ପିରହିଦରେ ପହଞ୍ଚି ତା ପରଦିନ ଦ୍ୱିପହରରେ ବାଡ଼ିରେ ଖେଳୁଥିବାବେଳେ ଅଜାଣତରେ ହଠାତ୍ ବୋରେଓ୍ୱଲ୍ ଭିତରେ ଖସି ପଡ଼ିଥିଲା । ରାହୁଲଙ୍କ ବାପା କହିଛନ୍ତି-ସେ ୧୨୫ଫୁଟ୍ ବୋରେଓ୍ୱଲ୍ ଖୋଳାଇଥିଲେ, କିନ୍ତୁ ପାଣି ନପଡ଼ିବାରୁ ଆଉ ଖୋଳି ନଥିଲେ । କିନ୍ତୁ ଖନନକାରୀ ନିରାଶ ହେବାରୁ ଲଗାଇଥିବା ପାଇପକୁ ବି ନେଇଯାଇଥିଲେ ୭୦ ଫୁଟ୍ ପର୍ଯ୍ୟନ୍ତ ୮ ଇଞ୍ଚ ଗୋଲେଇ ଥିବାବେଳେ, ବାକି ତଳକୁ ୬ ଇଞ୍ଚ ଗାତ ରହିଥିଲା ଯାଫଳରେ ରାହୁଲ ୭୦ ଫୁଟ୍ରେ ହିଁ ଅଟକି ଯାଇଥିଲା ।

ସେପଟେ ୧୦୪ଘଣ୍ଟା ଧରି ରାହୁଲ ରେସ୍କ୍ୟୁ ଅପରେସନରେ ସାମିଲ ଉଦ୍ଧାରକାରୀ ଟିମକୁ ସମ୍ବର୍ଦ୍ଧିତ କରିଛନ୍ତି ଛତିଶଗଡ଼ ସରକାର । ସମସ୍ତ ପ୍ରାଶାସନିକ ଅଧିକାରୀ, ପୋଲିସ, ଅଗ୍ନିଶମ କର୍ମଚାରୀ, ଏସଡିଆରଏଫ୍ ଓ ଏନଡିଆରରଏଫ୍ ଟିମକୁ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । ବିଶେଷ କରି ଓଡ଼ିଶାରୁ ଯାଇଥିବା ଏସଡିଆରଏଫ୍ ଟିମକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ।

ରାହୁଲ୍ ବୋରୱେଲରେ ଫସିବା ପରଠୁ ଉଦ୍ଧାର ଯାଏଁ ସାରା ଦେଶର ନଜରରେ ଥିବା ଚାମ୍ପା ଜିଲ୍ଲାର ପିରହିଦ୍ ଗାଁ ଏବେ ସତେ ଯେମିତି ପାଲଟିଛି ଏକ ଚର୍ଚ୍ଚିତ ସ୍ଥାନ । ରାହୁଲକୁ ଉଦ୍ଧାର ପାଇଁ ଖୋଳାଯାଇଥିବା ଖନନ ସ୍ଥଳ ଦେଖିବାକୁ ଦିନତମାମ ଲାଗୁଛି ଗହଳି ।