• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ହାଜିପୁର: ବିହାରର ଏକ ସରକାରୀ ଡାକ୍ତରଖାନାକୁ ନେଇ ଏବେ ଢ଼େର ଚର୍ଚ୍ଚା । ତେବେ ଏହି ଚର୍ଚ୍ଚାର କାରଣ ଜାଣିଲେ ଯିଏ କେହି ଆଶ୍ଚର୍ଯ୍ୟ ହେବ । କାରଣ ଏଠାରେ ପୁଅ ରାତାରାତି ହୋଇଯାଏ ଝିଅ । ପୁଅକୁ ଝିଅରେ ପରିବର୍ତ୍ତନ କରିବାର ଯାଦୁ ଏହି ଡାକ୍ତରଖାନା ଜାଣିଛି । ଆଉ ଏହାର ସମସ୍ତ ଶ୍ରେୟ ଡାକ୍ତରଖାନାର କର୍ମଚାରୀଙ୍କୁ ଯାଉଛି । କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । କିମ୍ବା ଆପଣ ଭାବୁଥିବେ ଆମେ ଆପଣଙ୍କୁ ଏଣୁ ତେଣୁ କହି ଦ୍ୱନ୍ଦ୍ୱରେ ପକାଉଛି ।

ଅଭିଯୋଗ ଅନୁଯାୟୀ, ଜଣେ କୁନି ପୁଅର ସ୍ୱାସ୍ଥ୍ୟ ଖରାପ ହେବାରୁ ଏହି ହସ୍ପିଟାଲରେ ଚିକିତ୍ସା ପାଇଁ ଶିଶୁୱାର୍ଡରେ ଭର୍ତ୍ତି କରାଯାଇଥିଲା । ଆଉ ୪ ଦିନର ଚିକିତ୍ସା ପରେ ତାର ମୃତ୍ୟୁ ହୋଇଥିଲା । ହେଲେ ଆଶ୍ଚର୍ଯ୍ୟ କଥା ଯେ, ପୁଅ ଛୁଆଟିର ମୃତ୍ୟୁ ବେଳକୁ ଝିଅ ପାଲଟିଯାଇଛି । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଏହି ମାମଲା ହାଜିପୁର ସହ ଜଡିତ ଏବଂ ମୃତ ଶିଶୁର ସମ୍ପର୍କୀୟଙ୍କ ଦ୍ୱାରା ଏହି ଅଭିଯୋଗ କରାଯାଉଛି । ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଡିଏସ୍ ଡକ୍ଟର ଏସ.କେ ବର୍ମା ତଦନ୍ତ ପାଇଁ ଏକ ତିନି ଜଣିଆ ଟିମ୍ ଗଠନ କରିଛନ୍ତି । କୁହାଯଉଛି ଯେ, ଏପ୍ରିଲ ୧୪ ରେ, ରାଜାପାକଡ଼ ଥାନା ଅଞ୍ଚଳରେ ରହୁଥିବା ମହମ୍ମଦ ୟୁସୁଫ, ତାଙ୍କ ବୋହୂଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ବିଦୁପୁର ମେଡିକାଲ ନେଇ ଯାଉଥିଲେ । ହେଲେ ଦୁର୍ଭାଗ୍ୟବସତଃ ରାସ୍ତାରେ ହିଁ ତାଙ୍କର ପ୍ରସବ ହୋଇଥିଲା । ଏହା ପରେ ନବଜାତ ଶିଶୁକୁ ନେଇ ପରିବାର ଲୋକ ଡାକ୍ତରଖାନାରେ ପହଞ୍ଚିଥିଲେ । ସେଠାରେ ଶିଶୁର ସ୍ୱାସ୍ଥ୍ୟ ଖରାପ ରହିଥିବା ଦର୍ଶାଇ ମେଡିକାଲ କର୍ମଚାରୀ ଶିଶୁକୁ ଚିକିତ୍ସା ପାଇଁ SNCU ରେ ଭର୍ତ୍ତି କରାଇଥିଲେ । ତିନି ଦିନ ପର୍ଯ୍ୟନ୍ତ ପରିବାର ସଦସ୍ୟ ଶିଶୁକୁ ଭେଟୁଥିଲେ ।

ତେବେ ମେଡିକାଲ ରେଜିଷ୍ଟରଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଶିଶୁର ଲିଙ୍ଗ ମେଲ୍‌ ବୋଲି ଲେଖାଯାଇଥିଲା । କିନ୍ତୁ ଚତୁର୍ଥ ଦିନରେ ହସ୍ପିଟାଲ ପକ୍ଷରୁ କୁହାଗଲା ଯେ, ଶିଶୁର ସ୍ୱାସ୍ଥ୍ୟାବସ୍ଥା ଖରାପ ରହିଛି । ଆଉ ଏହାର ପ୍ରାୟ ଦେଢ଼ ଘଣ୍ଟା ପରେ ଶିଶୁଟିର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ସବୁଠାରୁ ବଡ଼ କଥା ହେଲା ଗତ ତିନି ଦିନ ଧରି ଯେଉଁ ଶିଶୁଟି ମେଲ୍‌ ଥିଲା, ଚତୁର୍ଥ ଦିନ ମୃତ୍ୟୁ ବେଳକୁ ସେ ଫିମେଲ୍‌ ହୋଇଯାଇଛି । ଯାହାକୁ ନେଇ ମୃତ ଶିଶୁର ସମ୍ପର୍କୀୟମାନେ ହସ୍ପିଟାଲ ମଧ୍ୟରେ ହୋହଲ୍ଲା କରିଥିଲେ । ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ମେଡିକାଲ କର୍ତ୍ତୃପକ୍ଷ ତିନି ଜଣିଆ ତଦନ୍ତକାରୀ ଟିମ୍‌ ଗଠନ କରିଛନ୍ତି ।

ଏହି ଘଟଣା ସମ୍ପର୍କରେ ମୃତ ଶିଶୁର ଜେଜେମା କୁଲସୁନ୍ ଖାତୁନ୍ କହିଛନ୍ତି ଯେ, ତାଙ୍କ ଆଖି ସାମ୍ନାରେ ହିଁ ତାଙ୍କ ବୋହୁ ଗାଡ଼ି ଭିତରେ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । କିନ୍ତୁ ତାର ମୃତ୍ୟୁ ପରେ ଯେତେବେଳେ ଶିଶୁର ମୃତଦେହ ମଗାଯାଇଥିଲା ସେତେବେଳେ ତାଙ୍କୁ ଏକ କନ୍ୟା ସନ୍ତାନର ମୃତଦେହ ହସ୍ତାନ୍ତର କରାଯାଇଥିଲା ।