Advertisment

ରାଷ୍ଟ୍ରପତି ନିର୍ବାଚନ : ଶରଦ ପାଓ୍ୱାରଙ୍କୁ ବିରୋଧୀଙ୍କ ସମର୍ଥନ

ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ। ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ ପକ୍ରିୟା। ସେପଟେ ବିରୋଧୀ ଦଳ ପକ୍ଷରୁ କାହାକୁ ପ୍ରାର୍ଥୀ କରାଯିବ ସେନେଇ ମମତା ବାନାର୍ଜୀଙ୍କ ଆହ୍ୱାନରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ ।

author-image
Pramod Behera
ଅଦ୍ୟତନ ହୋଇଛି
Notification for president election

Notification for president election

ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଏଥିସହିତ ଆଜିଠୁ ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ ପକ୍ରିୟା। ସେପଟେ ବିରୋଧୀ ଦଳ ପକ୍ଷରୁ କାହାକୁ ପ୍ରାର୍ଥୀ କରାଯିବ ସେନେଇ ଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆହ୍ୱାନରେ ବସିଥିବା ଏହି ବୈଠକରେ କଂଗ୍ରେସ, ଟିଏମ୍‌ସି, ଏନ୍‌ସିପି, ଶିବସେନା, ସମଜାବାଦୀ ପାର୍ଟି, ଜେଡିଏସ୍, ଆର୍‌ଜେଡି, ପିଡିପି, ନ୍ୟାସ୍‌ଲାନ୍ କନ୍‌ଫରେନ୍ସ, ଡିଏମ୍‌କେ, ସିପିଆଇ, ସିପିଏମ୍ ଭଳି ୧୭ଟି ରାଜନୈତିକ ଦଳର ନେତାମାନେ ଯୋଗ ଦେଇଥିଲେ।

Advertisment

ଏଥିରେ ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ଜଣେ ମିଳିତ ପ୍ରାର୍ଥୀଙ୍କୁ ଛିଡ଼ା କରିବା ଲାଗି ସଂକଳ୍ପ ପାରିତ ହୋଇଛି। ଶରଦ ପାଓ୍ୱାରଙ୍କ ପ୍ରାର୍ଥିତ୍ୱ ସଂପର୍କରେ ବିରୋଧୀ ଦଳମାନେ ସହମତି ପ୍ରକାଶ କରିଥିଲେ ବି ଖୋଦ୍ ପାଓ୍ୱାର ଏଥିପାଇଁ ରାଜି ହୋଇ ନଥିବା କୁହାଯାଉଛି।

ଯଦି ସେ ରାଜି ହୁଅନ୍ତି ତେବେ ସବୁ ବିରୋଧୀ ଦଳ ତାଙ୍କୁ ସମର୍ଥନ କରିବେ ବୋଲି ମମତା କହିଛନ୍ତି। ଅନ୍ୟପକ୍ଷରେ ବୈଠକରେ ଗୋପାଳକୃଷ୍ଣ ଗାନ୍ଧି ଓ ଫାରୁକ୍ ଅବଦୁଲ୍ଲାଙ୍କ ନାଁ ଉପରେ ବି ଚର୍ଚ୍ଚା ହୋଇଛି ।

Advertisment

ଖୁବ୍ ଶୀଘ୍ର ଏ ସଂପର୍କରେ ଆଉ ଏକ ବୈଠକ ବସିବ। ସେପଟେ ମମତା ଡାକିଥିବା ଏହି ବୈଠକରେ ଆରମ୍ଭରୁ ହିଁ ଫାଟ ଦେଖାଦେଇଛି। ବିଜେଡି ସମେତ ଆପ୍, ଟିଆର୍‌ଏସ୍, ଅକାଳୀ, ଟିଡିପି ଭଳି ଦଳ ବୈଠକରେ ଯୋଗ ଦେଇନାହାନ୍ତି। ଅରିବିନ୍ଦ କେଜ୍ରିଓ୍ୱାଲ୍‌ଙ୍କ ଆମ୍ ଆଦ୍‌ମୀ ପାର୍ଟି ହେଉ କି କେ. ଚନ୍ଦ୍ରଶେଖର ରାଓଙ୍କ ତେଲେଙ୍ଗାନା ରାଷ୍ଟ୍ର ସମିତି ମୋଦି ସରକାରଙ୍କ ବିରୋଧରେ ଖୋଲାଖୋଲି ବିରୋଧ କରୁଥିଲେ ମଧ୍ୟ ବିରୋଧି ଦଳ ବୈଠକରେ ଯୋଗ ନ ଦେବା ନେଇ ନାନା ଚର୍ଚ୍ଚା ସୃଷ୍ଟି କରିଛି। କଂଗ୍ରେସ ବୈଠକରେ ସାମିଲ ଥିବାରୁ ଟିଆର୍ଏସ୍ ଅନୁପସ୍ଥିତି ରହିଥିବା କୁହାଯାଉଛି। ସେହିପରି ପ୍ରାର୍ଥୀ ଘୋଷଣା ପରେ ଆମ୍ ଆଦ୍‌ମୀ ପାର୍ଟି କୌଣସି ନିଷ୍ପତ୍ତି ନେଇପାରେ।

ଆଜିର ବୈଠକକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା। ହେଲେ ବିଜେଡି ଏଥିରେ ସାମିଲ ହୋଇ ନଥିଲା। ତେବେ ଓ୍ୱାଇଏସ୍ଆର୍ କଂଗ୍ରେସକୁ ବୈଠକକୁ ଡକା ଯାଇ ନଥିଲା। ଆସନ୍ତା ନିର୍ବାଚନରେ ବିଜେଡି ଓ ଓ୍ୱାଇଏସ୍ଆର୍ କଂଗ୍ରେସ୍ ନିର୍ଣ୍ଣାୟକ ଭୂମିକା ନେବେ ବୋଲି କୁହାଯାଉଛି। ତେଣୁ ନବୀନଙ୍କ ଆଭିମୁଖ୍ୟ କ’ଣ ହେବ ତା’ ଉପରେ ସବୁ ରାଜନୈତିକ ଦଳର ନଜର ରହିଛି।

ଯଦିଓ ବିଜେଡି ସବୁବେଳେ ସମଦୂରତା ବଜାୟ ରଖିଥିବା କହିଆସୁଛି, ତେବେ ୨୦୧୯ ନିର୍ବାଚନ ପରଠାରୁ ବିଜେଡି-ବିଜେପି ମଧ୍ୟରେ ମଧୁର ସଂପର୍କ ଥିବା ଚର୍ଚ୍ଚା ହେଉଛି। ବିଭିନ୍ନ ବିଲ୍ ଆଗତ ବେଳେ ରାଜ୍ୟସଭାରେ କେନ୍ଦ୍ର ସରକାରଙ୍କୁ ସମର୍ଥନ କରିଛି ବିଜେଡି। ସେପଟେ ଦଳ କହିଛି, ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ ତାହା ହିଁ ଚୂଡାନ୍ତ।

ଆସନ୍ତା ୨୯ ତାରିଖ ହେଉଛି ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ। ଜୁଲାଇ ୧୮ରେ ଭୋଟ୍ ଗ୍ରହଣ ହେବ ଏନ୍‌ଡିଏ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଅନେକ ନାଁକୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ଏପର୍ଯ୍ୟନ୍ତ କିନ୍ତୁ କାର୍ଡ ଖୋଲାଯାଇ ନାହିଁ।

(ରିପୋର୍ଟ: ଭୁବନେଶ୍ୱରରୁ ହରିହର ଚାନ୍ଦ)

President Election
Advertisment
Advertisment