/odishatv-khabar/media/post_attachments/uploadimage/library/16_9/16_9_0/IMAGE_1661654307.jpg)
Special story
ଆଜି ମାଟିରେ ମିଶିବ ଟ୍ୱିନ୍ ଟାୱାର୍ । ଉତ୍ତରପ୍ରଦେଶ ନୋଏଡ଼ାରେ ଥିବା ସୁପରଟେକ୍ ଟ୍ୱିନ୍ ଟାଓ୍ୱାରକୁ ଆଜି ଅପରାହ୍ଣ ଅଢ଼େଇଟା ବେଳେ ଭଙ୍ଗାଯିବ । ଏଥିଲାଗି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ଏଥିପାଇଁ ସେକ୍ଟର ୯୩A ରେ ଥିବା ଏମେରାଲ୍ଡ କୋର୍ଟ ଓ ପାଖା ଏଟିଏସ୍ ଭିଜେଜ୍ ସୋସାଇଟିର ପ୍ରାୟ ୫୦୦୦ ଲୋକଙ୍କୁ ଆଜି ସକାଳ ୭ଟା ସୁଦ୍ଧା ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି । ଏହା ସହିତ ପ୍ରାୟ ୩୦୦୦ ଗାଡ଼ି ଓ ୧୪୦-୨୦୦ ଗୃହପାଳିତ ପଶୁ ମଧ୍ୟ ସ୍ଥାନାନ୍ତର ହୋଇଛନ୍ତି ।
ମାତ୍ର ୯ ସେକଣ୍ଡରେ ଧୂଳିସାତ ହେବ ସୁପରଟେକ୍ ଟ୍ୱିନ୍ ଟାୱାର । ମାଟିରେ ମିଶିଯିବ ଦୁଇ ନଭଶ୍ଚମ୍ଭି ଅଟ୍ଟାଳିକା । ବିରାଟକାୟ ଟ୍ୱିନ୍ ଟାୱାରକୁ ଭାଙ୍ଗିବା ପାଇଁ ପ୍ରାୟ ୩୭ କ୍ୱିଣ୍ଟାଲ ବିସ୍ଫୋରକ ସାମଗ୍ରୀ ବ୍ୟବହାର କରାଯିବ । କୋଠାରେ ପ୍ରାୟ ୧ ହଜାର ଡିଟୋନେଟର ଖଂଜାଯାଇଛି । ଗୋଟିଏ ସ୍ୱିଚ୍ ମାରିବା କ୍ଷଣି ସମସ୍ତ ଡିଟୋନେଟର ବ୍ଲାଷ୍ଟ ହେବ । ବିଂଲଡି ଭାଂଗିବାକୁ ୧୦ ଜଣିଆ ଟେକନିକାଲ ଟିମ୍ ନିୟୋଜିତ ହୋଇଛନ୍ତି । ଏହି ଦୁଇ ବିଲ୍ଡିଂକୁ ଭାଙ୍ଗିବା ଦ୍ୱାରା ପ୍ରାୟ ୩୫ ହଜାର ବର୍ଗ ମିଟର ଧ୍ୱଂସାବଶେଷ ବାହାରିବ । ଏହାକୁ ସଫା କରିବାକୁ ପ୍ରାୟ ୩ ମାସ ସମୟ ଲାଗିବ ।
ବ୍ଲାଷ୍ଟିଂ ଅଂଚଳରୁ ଯେପରି ଧ୍ୱଂସାବଶେଷ ବାହରକୁ ନଯାଏ ସେଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଲୁହା ପ୍ଲେଟର ୪ଟି ଆସ୍ତରଣ ସହ ଆଉ ଦୁଇଟି ଆସ୍ତରଣ ରହିଛି । ବିଲ୍ଡିଂ ଭାଙ୍ଗିବା ପରେ କାଳେ ଏହାର ଧ୍ୱଂସାବଶେଶ ଲୋକଙ୍କ ଘର ନିକଟକୁ ମାଡ଼ିଯିବ, ଏହାକୁ ନେଇ ଲୋକଙ୍କ ଭୟ ରହିଛି । ଆଖପାଖ ସମସ୍ତ ବିଲ୍ଡିଂକୁ ଘୋଡ଼ାଇ ରଖିବା ପାଇଁ ମୋଟୋ ପଲିଥିନ୍ ଘୋଡ଼ା ଯାଇଛି ।
ପାଖରେ ଥିବା ବିଲ୍ଡିଂ ଉପରେ ଏହାର କୌଣସି ପ୍ରଭାବ ପଡ଼ିବନି ବୋଲି ଦକ୍ଷିଣ ଆଫ୍ରିକାର ଏଡିଫାଇସ୍ ଇଂଜିନିୟରିଂ ସଂସ୍ଥା ପକ୍ଷରୁ କୁହାଯାଇଛି । ନୋଏଡାର ଏହି ଟ୍ୱିନ୍ ଟାୱାର ଦିଲ୍ଲୀର ଐତିହାସିକ କୁତବ ମୀନାରଠାରୁ ଅଧିକ ଉଚ୍ଚତମ । ବେଆଇନ ଭାବେ ନିର୍ମାଣ ହୋଇଥିବାରୁ ଏହାକୁ ଭାଙ୍ଗିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)