• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମହିଳାଙ୍କୁ ଦୁର୍ବ୍ୟବହାର ଓ ଅପଶବ୍ଦ ପ୍ରୟୋଗ କରି ଆସିଥିଲେ ବିବାଦ ଘେରକୁ ଆସିଥିବା ଶ୍ରୀକାନ୍ତ ତ୍ୟାଗୀ ଗିରଫ । ଅଭିଯୁକ୍ତ ଶ୍ରୀକାନ୍ତ ତ୍ୟାଗୀଙ୍କ ସହିତ ପୋଲିସ ମେରଟରୁ ଆଉ ତିନି ଜଣଙ୍କୁ ଗିରଫ କରିଛି । ନୋଏଡାର ଗ୍ରାଣ୍ଡ ଓମ୍ୟାକ୍ସ କଲୋନୀରେ ଜଣେ ମହିଳାଙ୍କ ସହ ଅସଦାଚରଣ କରି ସେ ଫେରାର ଥିଲେ । ଘଟଣାର ତିନି ଦିନ ପରେ ଏବେ ତାଙ୍କୁ ଗିରଫ କରାଯାଇଛି ।

ଶ୍ରୀକାନ୍ତ ତ୍ୟାଗୀ ଫେରାର ହେବା ପର ଠାରୁ ତାଙ୍କ ପତ୍ନୀ ଏବଂ ଓକିଲଙ୍କ ସହ କଥାବାର୍ତ୍ତା କରିବାକୁ ଚେଷ୍ଟା କରୁଥିଲେ । ଏଥିରୁ ହିଁ ପୋଲିସକୁ ସେ ଲୁଛିଥିବା ସ୍ଥାନ ସମ୍ପର୍କରେ ସୂଚନା ମିଳିଥିଲା । ଏହାପରେ ପୁଲିସର ଏକ ଟିମ୍‌ ମେରଠରୁ ଫେରାର ନେତାଙ୍କୁ କାବୁ କରିଥିଲା ।

ମଙ୍ଗଳବାର ଦିନ ପୋଲିସ୍‌ ତାଙ୍କ ପତ୍ନୀଙ୍କୁ ଦ୍ୱିତୀୟ ଥର ପାଇଁ ପଚରାଉଚରା କରିଥିଲା । ଏହାପୂର୍ବରୁ ଶୁକ୍ରବାର ଦିନ ପୋଲିସ ଶ୍ରୀକାନ୍ତ ତ୍ୟାଗୀଙ୍କ ପତ୍ନୀଙ୍କୁ ଗିରଫ କରି ୨୪ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରିଥିଲା । ଶ୍ରୀକାନ୍ତ ତ୍ୟାଗୀ ଫେରାର ହେବା ପରେ ତାଙ୍କୁ ଧରାଇଦେଲେ ୨୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲା ପୋଲିସ୍‌ । ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ପୋଲିସ୍‌ର ୮ଟି ଟିମ୍‌ ୩ଟି ରାଜ୍ୟରେ ତଲାସୀ ଜାରି ରଖିଥିଲେ ।

ମହିଳାଙ୍କୁ ଅସଦାଚରଣ, ଗାଳିଗୁଲଜ ଓ ଗୁଣ୍ଡାଗର୍ଦ୍ଦି ଅଭିଯୋଗରେ ଶ୍ରୀକାନ୍ତ ତ୍ୟାଗୀ ବିରୋଧରେ ମାମଲା ରୁଜୁ କରିଥିଲେ ନୋଏଡ଼ା ପୋଲିସ । ତାଙ୍କ ବିରୋଧରେ ଗ୍ୟାଙ୍ଗଷ୍ଟର୍ ନିରୋଧୀ ‌ଆଇନରେ କାର୍ଯ୍ୟାନୁଷ୍ଠାନ ନେଉଥିଲା ପୋଲିସ । ଜାତୀୟ ମହିଳା କମିଶନ ମଧ୍ୟ ଶ୍ରୀକାନ୍ତଙ୍କୁ ଗିରଫ କରିବାକୁ ଉତ୍ତରପ୍ରଦେଶ ଡିଜିପିକୁ ଚିଠି ଲେଖିଥିଲେ ।

ସେପଟେ ସୋମବାର ଦିନ ଶ୍ରୀକାନ୍ତ ତ୍ୟାଗୀ ଦ୍ୱାରା କରାଯାଇଥିବା ଜବରଦଖଲକୁ ବୁଲଡୋଜର ଲଗାଇ ଉଚ୍ଛେଦ କରିଥିଲା ନୋଏଡ଼ା ପ୍ରଶାସନ । ସୋସାଇଟି ଭିତରେ ପ୍ରଥମେ ଜବରଦଖଲ କରି ନିର୍ମାଣ ଏବଂ ତା ପରେ ଅଧିକ ଜାଗା ନିଜ ଅକ୍ତିଆରକୁ ନେବା ପାଇଁ ଜୋର ଜବରଦସ୍ତ କିଛି ଗଛ ଲଗାଇବାକୁ କେନ୍ଦ୍ର କରି ମହିଳାଙ୍କ ସହ ଶ୍ରୀକାନ୍ତଙ୍କ ପାଟିତୁଣ୍ଡ ହୋଇଥିଲା । ଆଉ ସେହି ଜବରଦଖଲ ନିର୍ମାଣ ହିଁ ମାଟିରେ ମିଶାଇ ଦେଇଥିଲା ପ୍ରଶାସନ ।