• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ହିଂସା କ୍ଷତିଗ୍ରସ୍ତ ମଣିପୁରରେ ବିଦ୍ରୋହୀଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି । ରାଜ୍ୟ ସରକାର, କେନ୍ଦ୍ର ସରକାର ଏବଂ ସୁରକ୍ଷା ଏଜେନ୍ସିଙ୍କ ମିଳିତ ଉଦ୍ୟମ ସତ୍ତ୍ୱେ ହିଂସା ଥମିବାର ନାଁ ନେଉନି । ହେଲେ ହିଂସାକୁ ଆଳ କରି ହେଉ କିମ୍ବା ପ୍ରାଣ ଭୟରେ ହେଉ ଅଫିସ୍‌ ଆସୁନାହାନ୍ତି କୌଣସି ସରକାରୀ କର୍ମଚାରୀ । ଏହାକୁ ଦୃଷ୍ଟିରେ ରଖି ମଣିପୁର ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । 'କାମ ନାହିଁ ତ, ଦରମା ନାହିଁ' ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯେଉଁମାନେ ରାଜ୍ୟର ହିଂସା ପ୍ରଭାବିତ ସ୍ଥିତି ଯୋଗୁଁ କାର୍ଯ୍ୟକ୍ଷେତ୍ରକୁ ଆସୁନାହାନ୍ତି, ସେହି କର୍ମଚାରୀଙ୍କ ସମ୍ପର୍କରେ ତଥ୍ୟ ପ୍ରଦାନ କରିବାକୁ ସାଧାରଣ ପ୍ରଶାସନ ବିଭାଗ (GAD) କୁହାଯାଇଛି ।

ନିୟମ ମୁତାବକ ସରକାରୀ କର୍ମଚାରୀ ଯେଉଁ ଦିନ ଅଫିସକୁ ଆସିବେ ନାହିଁ, ସେହି ଦିନ ପାଇଁ ତାଙ୍କୁ ଦରମା ଦିଆଯିବ ନାହିଁ । ସବୁଦିନ ଦରମା ଦରକାର ତ ସବୁଦିନ ଅଫିସ ଆସି କାମ କରିବାକୁ ପଡିବ । ହିଂସା ସ୍ଥିତି ପାଇଁ ମଣିପୁର ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଏକ ଲକ୍ଷରୁ ଅଧିକ କର୍ମଚାରୀ ଅଫିସ ଆସୁନାହାନ୍ତି । ଏଥିପାଇଁ ପ୍ରାୟ ସରକାରୀ ଅଫିସରେ କାମ ଠପ ହୋଇ ପଡିରହିଛି । ଫଳରେ ଦିନକୁ ଦିନ କାମର ବୋଝ ବଢ଼ିବାରେ ଲାଗିଛି । 

ସୂଚନାଯୋଗ୍ୟ ଗତ ମେ’ ୩ ତାରିଖରୁ ରାଜ୍ୟରେ ମୁଣ୍ଡ ଟେକିଥିବା ହିଂସା ଦିନକୁ ଦିନ ଉଗ୍ର ରୂପ ନେଉଛି । ଦଙ୍ଗାକାରୀମାନେ ଗତକାଲି ପୂର୍ବ ଇମ୍ଫାଲ ଚିଙ୍ଗାରେଲରେ ମଣିପୁର ମନ୍ତ୍ରୀ ଏଲ୍ ସୁସିନ୍ଦ୍ରୋଙ୍କ ଗୋଦାମ ଜାଳି ଦେଇଥିଲେ । ଏହା ପୂର୍ବରୁ ମଧ୍ୟ ଗତ ଜୁନ୍ ୧୪ରେ ଇମ୍ଫାଲ ପଶ୍ଚିମ ଜିଲ୍ଲାରେ ରାଜ୍ୟର ଜଣେ ମନ୍ତ୍ରୀଙ୍କ ଘର ଉପରେ ଦଙ୍ଗାକାରୀ ଆକ୍ରମଣ କରିଥିଲେ ।

ତେବେ ଏପଟେ ଇମ୍ଫାଲ ସହରରେ କିନ୍ତୁ ଧୀରେ ଧୀରେ ସ୍ୱାଭବିକ ହେଉଛି ସ୍ଥିତି। କେବଳ କିଛି ନିର୍ଦ୍ଦିଷ୍ଟ ସ୍ଥାନକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ସ୍ଥାନରେ ସ୍ଥିତି ସାମାନ୍ୟ ଥିବା ମଣିପୁର ପୁଲିସ କହିଛି । ଅଧିକାଂଶ ଅଞ୍ଚଳରେ ଏବେ କର୍ଫ୍ୟୁକୁ କୋହଳ କରାଯାଇଛି । ଇମ୍ଫାଲରେ ଦୋକାନ ବଜାର ସ୍ୱାଭବିକ ଭାବେ ଖୋଲାଯାଇଛି। ଲୋକମାନେ କିଣାବିକା କରୁଥିବା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଦିନ ଧରି ରାଜ୍ୟରେ ଲାଗିଥିବା ହିଂସା ଯୋଗୁଁ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୫୦ ହଜାର ଲୋକ ବିସ୍ଥାପିତ ହୋଇଛନ୍ତି ।