• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଔରଙ୍ଗାବାଦ : ଟିକା ନେଇ ନଥିବା ଲୋକେ ବାହାରେ ବୁଲିପାରିବେନି କି ଅତ୍ୟାବଶ୍ୟକ ସାମଗ୍ରୀ କିଣିପାରିବେ ନାହିଁ । ତୁରନ୍ତ ଟିକା ନେବାକୁ ପଡ଼ିବ, ନହେଲେ ଘରେ ବନ୍ଦ ରହିବାକୁ ପଡ଼ିବ । ଅମାନିଆଙ୍କୁ ସାବାଡ଼ କରିବାକୁ କଟକଣା କଡ଼ାକଡ଼ି କଲା ଜିଲ୍ଲା ପ୍ରଶାସନ୍ । ମହାରାଷ୍ଟ୍ରର ଔରଙ୍ଗାବାଦରେ ରାସନ ଦୋକାନ, ଗ୍ୟାସ ଏଜେନ୍ସି ଏବଂ ପେଟ୍ରୋଲ ପମ୍ପ ଗୁଡ଼ିକୁ ଜିଲ୍ଲା ପ୍ରଶାସନ କଠୋର ନିର୍ଦ୍ଦେଶ ଦେଇଛି । ଯେଉଁ ନାଗରିକମାନେ COVID-19 ଟିକା ନେଇଥିବେ ସେମାନଙ୍କୁ ହିଁ ପେଟ୍ରୋଲ, ଡିଜେଲ୍ ଆଉ ରାସନ୍ ଦିଆଯିବ ।

ଔରଙ୍ଗାବାଦରେ ଟିକାକରଣକୁ ଗୁରୁତ୍ୱ ଦେଉନାହାନ୍ତି ଲୋକେ । କରୋନା ସଂକ୍ରମଣ ସାମାନ୍ୟ କମିଥିବା ବେଳେ ବେପରୁଆ ହୋଇ ବାହାରେ ବୁଲୁଛନ୍ତି । ରାଜ୍ୟର ୩୬ଟି ଜିଲ୍ଲା ମଧ୍ୟରୁ ଟିକାକରଣରେ ଔରଙ୍ଗାବାଦ ୨୬ ତମ ସ୍ଥାନରେ ରହିଛି । ଏବେ ସୁଦ୍ଧା ଜିଲ୍ଲାରେ ମାତ୍ର ୫୫ ପ୍ରତିଶତ ଲୋକଙ୍କର ଟିକାକରଣ ହୋଇଛି । ଏହାସହ ରାଜ୍ୟରେ ମୋଟ୍ ୭୪ ପ୍ରତି ଲୋକଙ୍କୁ ଟିକା ପ୍ରଦାନ କରାଯାଇଛି ।

ଜିଲ୍ଲାରେ ହ୍ରାସ ପାଇଥିବା ଟିକାକରଣ ବେଗକୁ ଦୃଷ୍ଟିରେ ରଖି ମଙ୍ଗଳବାର ରାତିରେ ଔରଙ୍ଗାବାଦ ଜିଲ୍ଲାପାଳ ସୁନୀଲ ଚୌହାନ୍ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଟିକାକରଣ ପ୍ରମାଣପତ୍ର ଦେଖାଇଲେ ହିଁ ଲୋକଙ୍କୁ ରାସନ୍, ପେଟ୍ରୋଲ ଓ ଇନ୍ଧନ ଦେବା ପାଇଁ ଦୋକାନ, ଗ୍ୟାସ ଏଜେନ୍ସି ଏବଂ ପେଟ୍ରୋଲ ପମ୍ପ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କେବଳ ଏତିକି ନୁହେଁ ଟିକା ନେଇନଥିବା ଲୋକଙ୍କୁ ବାହାରେ ବୁଲିବାକୁ ମଧ୍ୟ ବାରଣ କରାଯାଇଛି । ସେମାନେ ରାଜ୍ୟ ତଥା ରାଜ୍ୟ ବାହାରକୁ ଭ୍ରମଣ କରିବାକୁ ଯାଇପାରିବେ ନାହିଁ ।

ନିର୍ଦ୍ଦେଶ ଅବମାନନା କଲେ କଠୋର ଦଣ୍ଡବିଧାନ କରାଯିବ । ବିପର୍ଯ୍ୟୟ ପରିଚାଳନା ଆଇନ ଏବଂ ମହାମାରୀ ରୋଗ ଅଧିନିୟମ ଅନୁଯାୟୀ ସମ୍ପୃକ୍ତ ଲୋକଙ୍କ ବିରୋଧରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଯେଉଁମାନେ ଗୋଟିଏ ବି ଟିକା ନେଇନାହାନ୍ତି ତାଙ୍କୁ ଔରଙ୍ଗାବାଦର ଐତିହାସିକ ସ୍ଥାନ ତଥା ସ୍ମାରକୀ ଭିତରକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ ।

ଟିକାକରଣ ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ ଔରଙ୍ଗାବାଦ ଜିଲ୍ଲା ପରିଷଦ ସନ୍ଧ୍ୟାରେ ମଧ୍ୟ ଟିକାକରଣ କରିବାକୁ ନିଷ୍ପତ୍ତି ନେଇଛି ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି । ଅନେକ ଲୋକ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ କ୍ଷେତରେ କାମ କରନ୍ତି । ଫଳରେ ଟିକା ନେଉପାରୁ ନାହାନ୍ତି ।  ବର୍ତ୍ତମାନ ସେମାନେ ଅପରାହ୍ନ ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ ।