• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବିଗତ ଦିନରେ ୱାର୍କ ଲୋଡ୍‌କୁ ନେଇ ମୃତ୍ୟୁ ହେଉଥିବା କଥା ଆପଣମାନଙ୍କ ନଜରରେ ଆସିଥିବ । ବର୍ତ୍ତମାନ ପୁଣି ଏପରି ଏକ ଖବର ପୂରା କର୍ପୋରେଟ୍ ଜଗତକୁ ଚହଲାଇ ଦେଇଛି । କାମ ପ୍ରେସର୍‌ରେ ଉତ୍ତର ପ୍ରଦେଶ ଝାନ୍ସୀରେ ଥିବା ଏକ ଫାଇନାନ୍ସ କମ୍ପାନୀର କର୍ମଚାରୀ ୪୨ ବର୍ଷୀୟ ତରୁଣ ସାକ୍ସେନ ଗତ ରବିବାର ଦିନ ଆତ୍ମହତ୍ୟା କରିଛନ୍ତି ।

ମୃତ୍ୟୁର କାରଣ ଭାବେ ସେ ସିନିୟରଙ୍କ ଦ୍ୱାରା ଦିଆଯାଉଥିବା କାମର ଚାପ ଓ ମାନସିକ ନିର୍ଯ୍ୟାତନାକୁ ଦର୍ଶାଇଛନ୍ତି । ଅସହ୍ୟ କାର୍ଯ୍ୟ ଚାପ ଏବଂ ମାନସିକ ନିର୍ଯାତନାକୁ ବରଦାସ୍ତ କରିବା ତାଙ୍କ ପକ୍ଷେ ଅସମ୍ଭବ ଥିଲା ବୋଲି ସେ ଦର୍ଶାଇଛନ୍ତି । ତେବେ ସୂଚନା ଅନୁସାରେ ଏପରି କଠୋର ପଦକ୍ଷେପ ନେବା ପୂର୍ବରୁ ସେ ନିଜର ପତ୍ନୀ ଏବଂ ଦୁଇ ପିଲାଙ୍କୁ ଗୋଟିଏ କୋଠରୀରେ ତାଲା ପକାଇ ରଖିଥିଲେ ବୋଲି ଜଣାପଡ଼ିଛି ।

ନିଜର ସର୍ବଶ୍ରେଷ୍ଠ ଉଦ୍ୟମ ସତ୍ତ୍ୱେ ତାଙ୍କର ସିନିୟର ତାଙ୍କ ଉପରେ ଖୁସି ନଥିବା କଥା ସେ ନିଜ ସୁଇସାଇଡ୍ ନୋଟ୍‌ରେ ଲେଖିଛନ୍ତି । ଏପରି ଭାବେ ବାରମ୍ବାର ତାଙ୍କୁ ଅପମାନ ସହ୍ୟ କରିବାକୁ ପଡ଼ୁଥିବା କଥା ମଧ୍ୟ ସେ ଲେଖିଛନ୍ତି । ୪୫ ଦିନ ଧରି ତାଙ୍କୁ ରାତିରେ ନିଦ ହେଉନଥିଲା । ଖାଇବା ପିଇବା ଠିକ୍‌ସେ କରୁନଥିବା ବେଳେ ଅତ୍ୟଧିକ ଚାପରେ ଥିଲେ ବୋଲି ସେ ଲେଖିଛନ୍ତି ।

ନିଜ ପରିବାରକୁ କ୍ଷମା ମାଗିବା ସହ ପରସ୍ପରର ଯତ୍ନ ନେବାକୁ ମଧ୍ୟ ସେ ନିଜ ସୁଇସାଇଡ ନୋଟ୍‌ରେ ଲେଖିଦେଇଛନ୍ତି । ଅନ୍ୟପଟେ ସେ ନିଜ ସୁଇସାଇଡ ନୋଟ୍‌ରେ ନିଜ ପରିବାର ପାଇଁ ଏକ ଘର ନିର୍ମାଣ କରିଦେବାକୁ ମଧ୍ୟ ସେ ନିଜ ପିତାମାତାଙ୍କୁ ଅନୁରୋଧ କରିଛନ୍ତି ।

ତେବେ ତରୁଣଙ୍କ ମୃତଦେହ ତାଙ୍କ ପତ୍ନୀଙ୍କୁ ହସ୍ତାନ୍ତର କରିଦିଆଯାଇଛି ବୋଲି ପୋଲିସ ତରଫରୁ ପ୍ରକାଶ । ତରୁଣ ସାକ୍ସେନା ଏକ ପ୍ରାଇଭେଟ୍ କମ୍ପାନୀରେ ଏରିଆ ମ୍ୟାନେଜର ଭାବରେ କାର୍ଯ୍ୟ କରୁଥିଲେ । ଗତ ରବିବାର ଦିନ ସେ ଆତ୍ମହତ୍ୟା କରିଛନ୍ତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ତରୁଣଙ୍କ ମୃତ୍ୟୁକୁ ନେଇ କମ୍ପାନୀ ତରଫରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ ।

ଅନ୍ୟପଟେ ଗତ କିଛିଦିନ ଧରି ଏପରି କାର୍ଯ୍ୟକ୍ଷେତ୍ରରେ ଚାପ ସାମ୍ନାକୁ ଆସିବାରେ ଲାଗିଛି । କର୍ମକ୍ଷେତ୍ରରେ ଚାପକୁ ନେଇ ଦେଶବ୍ୟାପୀ ବିତର୍କ ସୃଷ୍ଟି ହୋଇଛି । ପ୍ରାୟ ଚାରିମାସ ଧରି EY ର ପୁଣେ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ୨୬ ବର୍ଷିୟ ଆନ୍ନାଙ୍କର ଗତ ଜୁଲାଇରେ ଦେହାନ୍ତ ହୋଇଥିଲା । ଏନେଇ ତାଙ୍କ ମାଆ କାର୍ଯ୍ୟକ୍ଷେତ୍ରରେ ଅଧିକ ଚାପକୁ ଦାୟୀ କରିଥିଲେ ।

ପରେ ଅନ୍ୟ ଏକ ଘଟଣାକ୍ରମରେ ଜଣେ HDFC ବ୍ୟାଙ୍କ କର୍ମଚାରୀ ଅଫିସରେ ମୃତ୍ୟୁ ବରଣ କରିଥିଲେ । ତାଙ୍କର ସହକର୍ମୀମାନେ ମଧ୍ୟ କାର୍ଯ୍ୟକ୍ଷେତ୍ରରେ ଅଧିକ ଚାପକୁ ଦାୟୀ କରିଥିଲେ ।

OTV is now on Whatsapp

Join and get latest news update delivered to you via whatsapp

Join Now