• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ରାଜଧାନୀ ଦିଲ୍ଲୀରେ ଏ କ’ଣ ଚାଲିଛି। ମେଟ୍ରୋ ଭିତରେ ଖୁଲମଖୁଲା ପ୍ରେମ । ମହିଳା ଓ ଛୋଟ ପିଲାଙ୍କୁ ନେଇ ମେଟ୍ରୋରେ ଯାତ୍ରା କରିବା ପୂର୍ବରୁ ଦୁଇଥର ଭାବିବାକୁ ପଡ଼ୁଛି । ପ୍ରେମୀଯୁଗଳଙ୍କ କାରନାମାକୁ ନେଇ ବଡ଼ ବିଷମ ସ୍ଥିତିରେ ସହଯାତ୍ରୀ । ମେଟ୍ରୋ ଭିତରେ ଅଶାଳୀନତାର ସୀମା ଲଂଘିଲେ ପ୍ରେମୀଯୁଗଳ । ଭିଡିଓ ଭାଇରାଲ୍ ପରେ ସୋସିଆଲ୍ ମିଡିଆ ୟୁଜର୍ସ ଏହାକୁ ସମାଲୋଚନା କରିଛନ୍ତି । ଗୋଟିଏ କି ଦୁଇଟି ନୁହେଁ, ଅନେକ ଥର ଏଭଳି ସ୍ଥିତି ଉପୁଜିବା ପରେ ଅନେକ ଏବେ ଦିଲ୍ଲୀ ମେଟ୍ରୋକୁ ପର୍ଣ୍ଣ ସାଇଟ୍ ସହ ତୁଳନା କରୁଛନ୍ତି ।

ଦିଲ୍ଲୀ ମେଟ୍ରୋରେ ଇଏ କଣ ଚାଲିଛି? ପୁଣି ଅଶାଳୀନତାର ସୀମା ଲଂଘିଲେ ଯାତ୍ରୀ ! ଭାଇରାଲ୍ ହେଲା ଖୁଲ୍ଲମଖୁଲ୍ଲା ପ୍ରେମ ପ୍ରଦର୍ଶନର ଭିଡିଓ । ପ୍ରେମୀଯୁଗଳଙ୍କ କାରନାମା ପାଇଁ ଚିନ୍ତାରେ କର୍ତ୍ତୃପକ୍ଷ । ଜାତୀୟ ଗଣମାଧ୍ୟମରେ ଖବରର ଶିରୋନାମା ପାଲଟିଥିବା ଏହି ଭାଇରାଲ୍ ଭିଡିଓକୁ ଟିଭି ସ୍କ୍ରିନରେ ସ୍ପଷ୍ଟ ଦେଖାଇବା ସମ୍ଭବ ହେଉନି । କାହିଁକି ନା ସର୍ବସମ୍ମୁଖରେ ଘଟିଲା ସେଭଳି କିଛି ଘଟଣା । 

ମେଟ୍ରୋ ଟ୍ରେନ୍ ଭିତରେ ନିଜକୁ ନିୟନ୍ତ୍ରଣରେ ରଖିପାରିଲେନି ପ୍ରେମୀଯୁଗଳ । ସୀମା ଟପିଗଲେ ସବୁ ଶାଳୀନତାର । ଅନ୍ୟ ଯାତ୍ରୀମାନଙ୍କ ସାମ୍ନାରେ ଖୋଲାଖୋଲି ଚାଲିଲା ପ୍ରେମ ପ୍ରଦର୍ଶନ। ନା ଲଜ୍ଜା, ନା ସଂକୋଚ । ମେଟ୍ରୋ କୋଚ୍ ଚଟାଣରେ ବସିଥିବା ଯୁବକଙ୍କ କୋଳରେ ମୁଣ୍ଡ ରଖି ତଳେ ଲୋଟିଛନ୍ତି ଯୁବତୀ । ଉଭୟଙ୍କୁ ଦେଖିବାକୁ ମିଳୁଛି ଲିପ୍-ଲକ୍ ସ୍ଥିତିରେ। ଜଣେ ସହଯାତ୍ରୀ ଏହି ଭିଡିଓକୁ ରେକର୍ଡ କରିଥିବା କୁହାଯାଉଛି । ଉଭୟ ନିଶାସକ୍ତ ଅବସ୍ଥାରେ ଥାଇପାରନ୍ତି ବୋଲି ମଧ୍ୟ ଆଶଙ୍କା କରାଯାଉଛି ।

କେତେବେଳେ ଚୁମ୍ବନ, ଆଲିଙ୍ଗନ, ତ ଆଉ କେତେବେଳେ ତାଠୁ ଅଧିକ । ଖାଲି ଏହି ଗୋଟିଏ ଭିଡିଓ ନୁହେଁ, କିଛି ଦିନ ହେବ ଦିଲ୍ଲୀ ମେଟ୍ରୋ ଭିତରର ଏମିତି ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକି ନିହାତି ଅଶ୍ଳୀଳ, ସର୍ବସାଧାରଣ ସ୍ଥାନରେ ଆପତ୍ତିଜନକ ଏବଂ ସଭ୍ୟ ସମାଜ ପାଇଁ ଲଜ୍ଜାଜନକ । ହେଲେ ଜାତୀୟ ରାଜଧାନୀର ଯୁବପୀଢ଼ି ପ୍ରେମରେ ଏମିତି ମଜ୍ଜିଯାଉଛନ୍ତି ଯେ, ପାଶୋରି ଦେଉଛନ୍ତି ସ୍ଥାନ-କାଳ-ପାତ୍ର, ହିତାହିତ ଜ୍ଞାନ । 

କିଛି ଦିନ ତଳେ ବିକିନିରେ ଥିବା ଜଣେ ଯୁବତୀ ଏବଂ ତା’ପରେ ସ୍କର୍ଟ ପିନ୍ଧିଥିବା ଯୁବକଙ୍କୁ ମେଟ୍ରୋ ଭିତରେ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ସହଯାତ୍ରୀ । ଆଉ ଏକ ଭିଡିଓରେ ଜଣେ ଯୁବକ ମୋବାଇଲ୍ ଦେଖି ଅଶ୍ଳୀଳ କାର୍ଯ୍ୟରେ ଲିପ୍ତ ଥିବାର ଭିଡିଓ ଭାଇରାଲ୍ ହୋଇଥିଲା । ଏହାକୁ ଦେଖି ଲାଜରେ ଅନ୍ୟତ୍ର ଉଠି ପଳାଇଥିଲେ ସେହି ସିଟରେ ବସିଥିବା ଜଣେ ଯୁବତୀ ଓ ଯୁବକ । ଏହି ଭିଡିଓକୁ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିୱାଲ ଟୁଇଟ୍ କରିବା ପରେ, ସମ୍ପୃକ୍ତ ଯୁବକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । 

ମେଟ୍ରୋ ଭିତରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜର ଭିଡିଓ ମଧ୍ୟ ଭାଇରାଲ୍ ହେଉଛି । ଏହାକୁ ନେଇ ଦିଲ୍ଲୀ ମହିଳା କମିଶନ ନୋଟିସ୍ ଜାରି କରିଥିଲେ ମଧ୍ୟ ସ୍ଥିତିରେ ସୁଧାର ଆସୁନି । ଦିଲ୍ଲୀ ମେଟ୍ରୋରେ ଏଭଳି ଅଶ୍ଳୀଳ କାରନାମାର ଭିଡିଓ ଭାଇରାଲ୍ ହେବା ପରେ ସମାଲୋଚନା କରୁଛନ୍ତି ସୋସିଆଲ ମିଡିଆ ୟୁଜର୍ସ । ସ୍ଥିତି ଏତେ ସଂଗୀନ ଯେ, ଅନେକେ ଦିଲ୍ଲୀ ମେଟ୍ରୋକୁ ପର୍ଣ୍ଣ ସାଇଟ୍ ସହ ତୁଳନା କରୁଛନ୍ତି । ତେବେ ସବୁ ଭାଇରାଲ୍ ଭିଡିଓ ଦିଲ୍ଲୀ ମେଟ୍ରୋର କି ନୁହେଁ, ତାହା ସ୍ପଷ୍ଟ ହୋଇନାହିଁ ।

ଯାତ୍ରୀଙ୍କର କାରନାମା ଦେଖି ଦିଲ୍ଲୀ ମେଟ୍ରୋ କର୍ତ୍ତୃପକ୍ଷଙ୍କ ଅକଲ ଗୁଡ଼ୁମ । ବାରମ୍ବାର ଶାଳୀନତା ରକ୍ଷା ପାଇଁ ଅପିଲ୍ ପରେ ବି ହେଜୁନାହାନ୍ତି ଯାତ୍ରୀ । ଏଭଳି ଯାତ୍ରୀଙ୍କୁ ରଙ୍ଗେହାତ୍ ଧରିବାକୁ ଅଣ୍ଟାଭିଡ଼ିଲେ ଫ୍ଲାଇଙ୍ଗ୍ ସ୍କ୍ବାଡ୍ । DMRC ପକ୍ଷରୁ ଟ୍ୱିଟ ହେଇଛି ଯେ, ‘ଟ୍ରାଭେଲ୍ କରନ୍ତୁ, ଟ୍ରବଲ୍ ନୁହେଁ’। ମେଟ୍ରୋ ଟ୍ରେନରେ ଲିପଲକ୍ ଭିଡିଓ ଭାଇରାଲ୍ ହେବା ପରେ, ପୁଣି ଥରେ ଯାତ୍ରୀଙ୍କୁ ମର୍ଯ୍ୟାଦା ଓ ସାମାଜିକ ଶିଷ୍ଟାଚାର ରକ୍ଷା କରିବାକୁ ଅପିଲ୍ କରିଛି ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେସନ- DMRC । 

ଡିଏମ୍ଆରସି ପରିଚାଳନା ଓ ରକ୍ଷଣାବେକ୍ଷଣ ଅଧିନିୟମରେ ଅଭଦ୍ରାମୀକୁ ଧାରା-୫୯ ଅନୁସାରେ ଏକ ଦଣ୍ଡନୀୟ ଅପରାଧ ଭାବେ ଗ୍ରହଣ କରାଯାଇଛି । କୌଣସି ଆପତ୍ତିଜନକ ଘଟଣା ଦେଖିଲେ ଯାତ୍ରୀଙ୍କୁ ନିକଟସ୍ଥ ମେଟ୍ରୋ କର୍ମଚାରୀଙ୍କୁ କିମ୍ବା ସିଆଇଏସ୍ଏଫ୍କୁ ତୁରନ୍ତ ସୂଚନା ଦେବାକୁ କୁହାଯାଇଛି । ଏଥିପାଇଁ ଜାରି ହୋଇଛି ହେଲ୍ପଲାଇନ ନମ୍ବର ୧୫୫୩୭୦ । ଏଥିସହ ମେଟ୍ରୋ କୋଚ୍ ଭିତରେ ଫ୍ଲାଇଙ୍ଗ୍ ସ୍କ୍ବାଡ୍ ମଧ୍ୟ ନିଯୁକ୍ତ କରାଯାଇଛି । ଏଥିରେ ପୋଲିସ ଓ ସିଆଇଏସ୍ଏଫ ଷ୍ଟାଫ୍ ସାମିଲ ହେବେ । ପୂର୍ବରୁ ମହିଳା କୋଚରେ ପୁରୁଷଙ୍କ ପ୍ରବେଶ ରୋକିବାକୁ ଏହି ବ୍ୟବସ୍ଥା ଥିଲେ ମଧ୍ୟ ସେମାନେ ୟୁନିଫର୍ମରେ ରହୁଥିଲେ । 

ତେବେ ବର୍ତ୍ତମାନ ଯାତ୍ରୀଙ୍କର ଏଭଳି ଅଶାଳୀନ ଆଚରଣକୁ ରୋକିବା ପାଇଁ ସାଦା ପୋଷାକରେ ଫ୍ଲାଇଂସ୍କ୍ବାଡ୍ ମୁତୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଡିଏମ୍ଆରସିର ୫ଟି ଫ୍ଲାଇଙ୍ଗ୍ ସ୍କ୍ବାଡ୍ ଥିବା ବେଳେ, ଏହାକୁ ବୃଦ୍ଧି କରାଯିବ ଏବଂ ପ୍ରତି ସ୍କ୍ବାଡରେ ୩ରୁ ୪ ଜଣ ଯବାନ ରହିବେ । ଏଥିସହ ପୁରୁଣା ମେଟ୍ରୋ କୋଚ୍ ଭିତରେ ସିସିଟିଭି କ୍ୟାମେରା ଲଗାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

କେବଳ ଏତିକି ନୁହେଁ, ସୁରକ୍ଷା ଦୃଷ୍ଟିରୁ ବହୁ ପୂର୍ବରୁ ଦିଲ୍ଲୀ ମେଟ୍ରୋ ଷ୍ଟେସନ ପରିସର ଓ ମୋଟ୍ରୋ କୋଚ୍ ଭିତରେ ଭିଡିଓ ସୁଟିଂ ଉପରେ ପ୍ରତିବନ୍ଧକ ଲାଗିଛି । ଗତ ମାର୍ଚ୍ଚ ମାସରୁ ଏହି ନିୟମ ଲାଗୁ ହୋଇଛି । ଏହାସତ୍ତ୍ବେ ବହୁ ଯୁବକ ଯୁବତୀଙ୍କୁ ମେଟ୍ରୋ ଷ୍ଟେସନ ଓ କୋଚ୍ ଭିତରେ ନାଚିବା ସହିତ ସର୍ଟ ଭିଡିଓ ବା ରିଲ୍ ବନାଉଥିବା ଦେଖିବାକୁ ମିଳିଛି । ଆଉ ଏକ କଥା ହେଉଛି ଯେ, ସେ ଅଶ୍ଳୀଳ କାର୍ଯ୍ୟ ହେଉ କି ଷ୍ଟେସନ କିମ୍ବା କୋଚ୍ ଭିତରେ ଭିଡିଓ ସୁଟିଂ, ଏସବୁ ଘଟଣା ସର୍ବସମ୍ମୁଖରେ ଘଟୁଥିଲେ ମଧ୍ୟ ସହଯାତ୍ରୀ ମାନେ କୌଣସି ଆପତ୍ତି ନକରିବା କିମ୍ବା ସେମାନଙ୍କୁ ରୋକିବା ପାଇଁ କୌଣସି ପଦକ୍ଷେପ ନନେଇ କେବଳ ନିରବଦ୍ରଷ୍ଟା ସାଜିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରୁଛି ।