ଗାଡି ମାଲିକଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଥାଏ ଟୋଲ୍ ଚାର୍ଜ । ଜାତୀୟ ରାଜପଥରେ ଟୋଲ୍ ଚାର୍ଜ ଦେବା ଫଳରେ ଯାତ୍ରାରେ ହେଉଥିବା ଖର୍ଚ୍ଚର କିଛି ପରିମାଣରେ ବୃଦ୍ଧି ହୋଇଥାଏ । ତେବେ ଏଭଳି ସମସ୍ୟାରେ ସମ୍ମୁଖୀନ ହେଉଥିବା କାର୍ ମାଲିକଙ୍କ ପାଇଁ ଖୁବ୍ ଶୀଘ୍ର ଆସିବ ଖୁସି ଖବର । ଖୁବଶୀଘ୍ର କେନ୍ଦ୍ର ସରକାର ବର୍ଷିକିଆ କିମ୍ବା ଲାଇଫଟାଇମ୍ ଟୋଲ ପାସ୍ ସୁବିଧା କରିବାକୁ ଯାଉଛନ୍ତି । ଏଣିକି ଗୋଟିଏ ଥର ଟଙ୍କା ଦେଇଦେବା ପରେ ବର୍ଷସାରା ବିନା ଟେନ୍ସନରେ ଯାତ୍ରା କରିପାରିବେ କାର୍ ମାଲିକ ।
କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ଅନୁସାରେ ମାତ୍ର ୩,୦୦୦ ଟଙ୍କା ଦେଇ ବର୍ଷିକିଆ ଟୋଲ୍ ପାସ୍ ଜରିଆରେ ଯିବାଆସିବା କରିବାର ସୁବିଧା ମିଳିପାରିବ । ମାତ୍ର ୩୦,୦୦୦ ଟଙ୍କାରେ ୧୫ ବର୍ଷ ପାଇଁ ଲାଇଫଟାଇମ୍ ଟୋଲ ପାସ୍ ଉପଲବ୍ଧ ହେବ । ଏହି ଯୋଜନା ଲାଗୁ ହେବା ପରେ ଜାତୀୟ ରାଜପଥରେ ଯାତ୍ରା କରୁଥିବା ଲକ୍ଷ ଲକ୍ଷ ଯାତ୍ରୀଙ୍କର ଖର୍ଚ୍ଚ କିଛି ପରିମାଣରେ କମ୍ ହୋଇପାରିବ । ଟୋଲ ପ୍ଲାଜାରେ ଭିଡ଼ ମଧ୍ୟ କମ୍ ହେବ ।
Also Read
ଏହାକୁ ନେଇ ମନ୍ତ୍ରଣାଳୟ କାର୍ ପାଇଁ ପ୍ରତି କିଲୋମିଟର ଟୋଲ ଦରରେ ହ୍ରାସ କରିବା ପାଇଁ ବିଚାର କରୁଛି । ଏହି ପ୍ରସ୍ତାବ ସଡ଼କ ପରିବହନ ମନ୍ତ୍ରଣାଳୟ ନିକଟରେ ଶେଷ ପର୍ଯ୍ୟାୟରେ ରହିଛି । ଏହା ଲାଗୁ ହେବା ପରେ ହାଇୱେରେ ଯିବାଆସିବା କରୁଥିବା ଲୋକଙ୍କୁ ବଡ଼ ଆଶ୍ବସ୍ତି ମିଳିବ । ଏଥପାଇଁ କୌଣସି ପ୍ରକାରର ନୂଆ କାର୍ଡ କିଣିବାର ଆବଶ୍ୟକତା ପଡିବ ନାହିଁ । ଏହାକୁ ଫାସଟାଗ୍ ସହିତ ଲିଙ୍କ କରାଯିବ ।
କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି, ଗାଡ଼ି ମାଲିକ କେମିତି ଭଲରେ ଗାଡ଼ି ଚଳାଇବେ ସେନେଇ ଆମେ ଅନେକ ଯୋଜନା କରିବାକୁ ଯାଉଛୁ । ଟୋଲ ପ୍ଲାଜାରେ ପାସ୍ ଯୋଜନା ଉପରେ କାମ ଚାଲିଛି । ଅପରପକ୍ଷରେ ସଡ଼କ ଦୁର୍ଘଟଣା ପୀଡ଼ିତଙ୍କୁ ନଗଦବିହୀନ ଚିକିତ୍ସା ସେବା ମଧ୍ୟ ମିଳିବ । ଏଥିପାଇଁ ଭାରତ ସରକାର ମାର୍ଚ୍ଚ ସୁଦ୍ଧା ଏକ ଯୋଜନା ଆରମ୍ଭ କରିବେ ବୋଲି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଘୋଷଣା କରିଛନ୍ତି । ଏହାକୁ ଜାତୀୟ ସ୍ତରରେ ଲାଗୁ କରାଯିବ । ଏହି ଯୋଜନାରେ ପୀଡିତମାନେ ଦୁର୍ଘଟଣାର ସାତ ଦିନ ଯାଏ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମେଡିକାଲ୍ ଟ୍ରିଟମେଣ୍ଟ୍ ପାଇପାରିବେ । ବର୍ତ୍ତମାନ କେବଳ ଏକ ମାସିକିଆ ପାସ୍ ଉପଲବ୍ଧ ଅଛି । ଯାହାର ମୂଲ୍ୟ ପ୍ରତି ମାସରେ ପ୍ରାୟ ୩୪୦ ଟଙ୍କା । ଯେଉଁଥିରେ ଉପଭୋକ୍ତାଙ୍କୁ ବର୍ଷକୁ ୪,୦୮୦ ଟଙ୍କା ଦେବାକୁ ପଡୁଛି ।