Advertisment

ପୁଣି ଯୋଗୀଙ୍କ ରଣହୁଙ୍କାର ! ଆଉ ନିସ୍ତାର ନାହିଁ...ମାଫିଆମୁକ୍ତ ହେବ ୟୁପି

‘ଯେଉଁ ଉତ୍ତରପ୍ରଦେଶ ଦିନେ ଦଙ୍ଗା ପାଇଁ ଚର୍ଚ୍ଚାରେ ଥିଲା, ଯେଉଁଠି କିଛି ଜିଲ୍ଲାର ନାଁ ହିଁ ଲୋକଙ୍କୁ ଡରାଇ ଦେଉଥିଲା, ଏବେ ସେଠି ଡରିବାର କୌଣସି ଆବଶ୍ୟକତା ନାହିଁ ’

author-image
Prangyan Parimita
ଅଦ୍ୟତନ ହୋଇଛି
Yogi Adityanath

Yogi Adityanath

ଯୋଗୀ ରାଜରେ ମାଫିଆଙ୍କୁ ନୋ-ମାଫି। ସେ ଅତିକ ଅହମ୍ମଦ ହେଉ ଅବା ଉତ୍ତରପ୍ରଦେଶର ଅନ୍ୟ କେଉଁ ଅଣ୍ଡରୱାଲଡ ଡନ୍ । କ୍ଷମା ନାହିଁ, ନିସ୍ତାର ନାହିଁ । ୟୁପିକୁ ମାଫିଆମୁକ୍ତ କରିବାକୁ ସତେ ଯେମିତି ବଜ୍ର ଶପଥ ନେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଅତିକ୍ ହତ୍ୟାକାଣ୍ଡ ନେଇ ଚର୍ଚ୍ଚା ଥମିନଥିବା ବେଳେ, ଆହୁରି ୬୧ ମାଫିଆଙ୍କ ତାଲିକା ପ୍ରସ୍ତୁତ କରିସାରିଲାଣି ୟୁପି ପୋଲିସ । ଅତିକ୍ ଭଳି ମାଫିଆକୁ ମାଟିରେ ମିଶାଇ ଦେବେ ବୋଲି କହିଥିବା ଯୋଗୀ, ଗତକାଲି ମଧ୍ୟ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ଯେଉଁମାନେ ଦିନେ ଉତ୍ତରପ୍ରଦେଶର ପରିଚୟ ପାଇଁ ସଂକଟ ଥିଲେ, ଆଜି ସେମାନେ ନିଜେ ସଂକଟରେ ।...

Advertisment

ପୋଲିସ ହେପାଜତରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ତଥା ନେତା ଅତିକ୍ ଅହମ୍ମଦ ହତ୍ୟାକାଣ୍ଡ ପରେ ଗୋଟିଏ ପଟେ ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ଉତ୍ତରପ୍ରଦେଶ ଯୋଗୀ ସରକାରକୁ ବିରୋଧୀଙ୍କ ସମାଲୋଚନାର ସାମ୍ନା କରିବାକୁ ପଡ଼ୁଛି । ହେଲେ ଅନ୍ୟପଟେ ଯୋଗୀ ପୁଣି ସୂଚାଇ ଦେଇଛନ୍ତି ଯେ, ମାଫିଆଙ୍କୁ ମୂଳପୋଛ କରିବା ପାଇଁ ଆରମ୍ଭ ହୋଇଥିବା ଅଭିଯାନ ଆଦୌ ଶିଥିଳ ପଡ଼ିନି। ଗତକାଲି ଲକ୍ଷ୍ନୌରେ ଏକ ଟେକ୍ସଟାଇଲ୍ ପାର୍କ ପ୍ରତିଷ୍ଠା ପାଇଁ ବୁଝାମଣାପତ୍ର ସ୍ୱାକ୍ଷର ବେଳେ, ମାଫିଆ ପ୍ରସଙ୍ଗ ଉଠାଇ ଶିଳ୍ପପତିଙ୍କୁ ଭରସା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । କହିଛନ୍ତି, ଏବେ କୌଣସି ପେସାଦାର ଅପରାଧୀ କିମ୍ବା ମାଫିଆ ଜଣେ ବି ଶିଳ୍ପପତିଙ୍କୁ ଫୋନରେ ଡରାଇ-ଧମକାଇ ପାରିବନି

ଯେଉଁ ଉତ୍ତରପ୍ରଦେଶ ଦିନେ ଦଙ୍ଗା ପାଇଁ ଜଣାଯାଉଥିଲା, ଯେଉଁଠି କିଛି ଜିଲ୍ଲାର ନାଁ ହିଁ ଲୋକଙ୍କୁ ଡରାଇ ଦେଉଥିଲା, ଏବେ ସେଠି ଡରିବାର କୌଣସି ଆବଶ୍ୟକତା ନାହିଁ । ପୂର୍ବର ଅଖିଳେଶ ସରକାର ଉପରେ ନିଶାନା ସାଧିବାକୁ ଯାଇ ଯୋଗୀ କହିଛନ୍ତି ଯେ, ୨୦୧୨ରୁ ୨୦୧୭ ଭିତରେ ୟୁପିରେ ୭ଶହରୁ ଅଧିକ ଦଙ୍ଗା ହୋଇଥିଲା । ହେଲେ ୨୦୧୭ରୁ ୨୦୨୩ ଭିତରେ ଗୋଟିଏ ବି ଦଙ୍ଗା ହୋଇନି କି କୌଣସି କର୍ଫ୍ୟୁ ଲାଗିନି ।...

Advertisment

୨୦୧୭ରେ ମୁଖ୍ୟମନ୍ତ୍ରୀ ହେବା ପରେ ଉତ୍ତରପ୍ରଦେଶକୁ ମାଫିଆମୁକ୍ତ କରିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେବା ସହିତ ଆଇନରେ ବି ବ୍ୟବସ୍ଥା କରିଛନ୍ତି ଯୋଗୀ ଆଦିତ୍ୟନାଥ ସରକାର । ସୂଚନା ଅନୁସାରେ ବିଗତ ୬ ବର୍ଷ ଭିତରେ ରାଜ୍ୟରେ ୧୦ହଜାର ୭୧୩ ଏନକାଉଣ୍ଟର ହୋଇଛି ଏବଂ ୫ ହଜାର ୬୬୭ ଅପରାଧୀ ଧରାପଡ଼ିଛନ୍ତି । ପ୍ରାଣ ହରାଇଛନ୍ତି ୧୮୩ ଜଣ କ୍ରିମିନାଲ୍ । ଏଥିସହ ୧୩ ପୋଲିସ କର୍ମଚାରୀ ସହିଦ ହୋଇଛନ୍ତି ।

ତେଣେ ପୋଲିସ ହେପାଜତରେ ୩ ଜଣ ଯୁବକ ଗୁଳି କରି ଅତିକ୍ ଅହମ୍ମଦକୁ ହତ୍ୟା କରିବା ପରେ, ତାର ଗ୍ୟାଙ୍ଗ୍ ଏକପ୍ରକାର ଭୁଶୁଡ଼ିଯାଇଛି । ଅତିକ୍ ଆତଙ୍କ ହଟିବା ପରେ, ଏବେ ମନରେ ସାହସ ବାନ୍ଧି ସାମ୍ନାକୁ ଆସୁଛନ୍ତି ବହୁ ପୀଡ଼ିତ । ଡରାଇ ଧମକାଇ କାହାର ସଂପତ୍ତି ହଡ଼ପ କରିଥିଲେ ଅତିକ୍ ଗ୍ୟାଙ୍ଗ୍, ତ ଆଉ କାହାର କୋଠାବାଡ଼ି ହାତେଇନେଇଥିଲେ ଜୋରଜବରଦସ୍ତି। ଏମିତିକି ଅତିକ୍ ବିରୋଧରେ ତାଙ୍କର ଜଣେ ସଂପର୍କୀୟ ମଧ୍ୟ ମୁହଁଖୋଲିଛନ୍ତି ।...

ଗତ ଫେବୃଆରୀ ୨୫ରେ ଅତିକ୍ ପ୍ରସଙ୍ଗ ଉଠାଇ ୟୁପି ବିଧାନସଭାରେ ଯୋଗୀ ଶକ୍ତ ସ୍ୱରରେ କହିଥିଲେ ଯେ, ମାଫିଆଙ୍କୁ ମାଟିରେ ମିଶାଇ ଦେବି । ଆଉ ଅତିକ୍ ସାମ୍ରାଜ୍ୟ ଧରାଶାୟୀ ହେବା ପରେ, ତେଣେ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ଯେ, ଯୋଗୀ ସରକାର ସ୍କାନରରେ ଏବେ ଆହୁରି ଅନେକ ମାଫିଆ । ୬୧ ଜଣ କୁଖ୍ୟାତ ମାଫିଆଙ୍କ ତାଲିକା ପ୍ରସ୍ତୁତ କରିଛି ଉତ୍ତରପ୍ରଦେଶ ପୋଲିସ । ସେମାନଙ୍କ ୫ଶହ କୋଟିର ସଂପତ୍ତିକୁ ଆଟାଚ୍ କରିବାକୁ ପ୍ରସ୍ତୁତି ଚାଲିଛି । ଏମାନଙ୍କ ମଧ୍ୟରୁ କିଏ ମଦ ମାଫିଆ, କିଏ ଜଙ୍ଗଲ ମାଫିଆ, ବାଲି ମାଫିଆ ତ ଆଉ କିଏ ଗୋଚାଲାଣ ମାଫିଆ।...

Yogi Adityanath UP
Advertisment
Advertisment