Pahalgam Terror Attack Plan: NIA ହାତରେ ଟେରର୍ ପ୍ଲାନିଂର ସାଂଘାତିକ ତଥ୍ୟ

୨୬/୧୧ ମୁମ୍ବାଇ ଆଟାକ୍ ଭଳି ପହଲଗାମରେ ବି ଏକାଥରେ ଏକାଧିକ ସ୍ଥାନରେ ହମଲା ପ୍ଲାନ୍ କରୁଥିଲା କି ପାକିସ୍ତାନ ? NIA ହାତରେ ଲାଗିଛି ଟେରର୍ ପ୍ଲାନିଂର ସାଂଘାତିକ ସତ ।

ମୁମ୍ବାଇ ହମଲା ଭଳି ଥିଲା ପ୍ଲାନ୍ !

୨୬/୧୧ ମୁମ୍ବାଇ ଆଟାକ୍ ଭଳି ପହଲଗାମରେ ବି ଏକାଥରେ ଏକାଧିକ ସ୍ଥାନରେ ହମଲା ପ୍ଲାନ୍ କରୁଥିଲା କି ପାକିସ୍ତାନ ? NIA ହାତରେ ଲାଗିଛି ଟେରର୍ ପ୍ଲାନିଂର ସାଂଘାତିକ ସତ । ଆତଙ୍କବାଦୀମାନେ ୭ ଦିନ ଆଗରୁ ପହଲଗାମର ୪ଟି ସ୍ଥାନରେ ରେକି କରିଥିଲେ ଏବଂ ୩ଟି ସ୍ଥାନରେ କଡ଼ାକଡ଼ି ସୁରକ୍ଷାକୁ ଦେଖି କେବଳ ବୈସାରନ ଭ୍ୟାଲିକୁ ଆକ୍ରମଣ ପାଇଁ ବାଛିଥିଲେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ଗୋଟିଏ ପଟେ NIA ଚିଫ୍ ଆଜି ଆକ୍ରମଣ ସ୍ଥଳକୁ ଯାଇ ତଦନ୍ତ ଅଗ୍ରଗତି ସମୀକ୍ଷା କରିଥିବା ବେଳେ, ଅନ୍ୟପଟେ ପହଲଗାମ୍ ଆତଙ୍କୀମାନେ ଏବେବି ପାକିସ୍ତାନ ଫେରିନପାରି ଦକ୍ଷିଣ କାଶ୍ମୀରରେ ଲୁଚିଥିବା କୁହାଯାଉଛି । ପହଲଗାମରେ ହେବାର ଥିଲା କି ମୁମ୍ବାଇ ଭଳି ବଡ଼ ଆଟାକ୍ ? ଏକାଥରେ ଚାରି ଚାରିଟି ଜାଗାରେ ହୋଇଥାନ୍ତା କି ନରସଂହାର ?

୨୬/୧୧ ମୁମ୍ବାଇ ଆଟାକରେ ତାଜ୍, ଓବରୟ ହୋଟେଲ୍, CST, ଲିଓପାର୍ଡ କାଫେ, ଚାବଡ଼ ହାଉସ୍, ନରିମନ୍ ହାଉସ୍ ସମେତ ବିଭିନ୍ନ ସ୍ଥାନରେ ଏକାଥରେ ଆକ୍ରମଣ କରିଥିଲେ ୧୦ ଆତଙ୍କୀ । ହୁଏତ ପହଲଗାମରେ ବି ଠିକ୍ ସେମିତି ଖତରନାକ୍ ପ୍ଲାନ୍ କରିଥିଲା ପାକିସ୍ତାନ । ବୈସରାନ୍ ଭ୍ୟାଲି ସହ ପହଲଗାମ୍ ର ଅନ୍ୟ ୩ଟି ଜାଗା ବି ଥିଲା ପାକିସ୍ତାନ ଆତଙ୍କୀଙ୍କ ଟାର୍ଗେଟରେ । ଅରୁ ଭ୍ୟାଲି, ଆମ୍ୟୁଜମେଣ୍ଟ ପାର୍କ ଓ ବେତାବ୍ ଭ୍ୟାଲି । ପ୍ରାୟ ୨୦ କିଲୋମିଟର ଅଞ୍ଚଳରେ ଥିବା ଏହି ୪ଟି ଯାକ ଟୁରିଷ୍ଟ ସ୍ପଟରେ ହୁଏତ ଏକାଥରେ ଆଟାକ୍ କରିଥାନ୍ତେ ଆତଙ୍କବାଦୀ ।

ଅଧିକ ପଢ଼ନ୍ତୁ: ଅମିତ ଶାହଙ୍କ କଡ଼ା ଚେତାବନୀ; କହିଲେ, ପ୍ରତିଟି ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରିବୁ

ଏଥିପାଇଁ ଏପ୍ରିଲ ୧୫ରୁ ପହଲଗାମ୍ ଆସି ଅତି କମରେ ଏହି ୪ଟି ଜାଗା ଚୁପଚାପ୍ ରେକି କରିଥିଲେ । ସେଠାକୁ କେତେ ପର୍ଯ୍ୟଟକ ଆସୁଛନ୍ତି, ସୁରକ୍ଷା ବ୍ୟବସ୍ଥା କେତେ ଟାଇଟ୍, କେଉଁ ପଟେ ପଶିହେବ ଓ କେମିତି ବାହାରିହେବ? ଏ ତମାମ୍ ତଥ୍ୟ ଯୋଗାଡ଼ କରିଥିଲେ । ତେବେ ଅନ୍ୟ ୩ଟି ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଥିବା ଦେଖି, ୭ ଦିନର ରେକି ପରେ ୨୨ ତାରିଖରେ କେବଳ ବୈସାରନ୍ ଭ୍ୟାଲିକୁ ହିଁ ଆକ୍ରମଣ ପାଇଁ ବାଛିଥିଲେ ୪ରୁ ୬ ଜଣ ଟେରରିଷ୍ଟ୍ ।

ସେଠାରେ ପର୍ଯ୍ୟଟକ ଖସିପଳାଇବାର ବାଟ ନଥିବାରୁ ଏବଂ ହଠାତ୍ ସୁରକ୍ଷାକର୍ମୀ ପହଞ୍ଚିବା ସହଜ ନଥିବାରୁ ନରସଂହାର ରଚିବା ସହଜ ହେବ ବୋଲି ଜାଣିଥିଲେ । ପହଲଗାମ୍ ଆଟାକ୍ ଲିଙ୍କରେ ଗିରଫ ଜଣେ ଓଭର୍ ଗ୍ରାଉଣ୍ଡ୍ ୱାର୍କର୍ ବା ଆତଙ୍କୀଙ୍କ ସହଯୋଗୀ ମୁହଁରୁ ଏସବୁ କଥା ଉଗାରିଛି NIA । ଏଥିସହ NIA ଆହୁରି ମଧ୍ୟ ଜାଣିବାକୁ ପାଇଛି ଯେ, ଆତଙ୍କବାଦୀମାନେ ହମଲା ଦିନ ସିମ୍-କାର୍ଡ ଦରକାର ପଡ଼ୁନଥିବା ୩ଟି ଅଲଟ୍ରା-ଷ୍ଟେଟ୍ ଫୋନ ବ୍ୟବହାର କରିଥିଲେ ।

ସେଥିରୁ ୨ଟିର ସିଗ୍ନାଲ୍ ଟ୍ରେସ୍ କରିବାରେ NIA ସଫଳ ହୋଇଛି । ସେପଟେ ପାକ୍ ଆତଙ୍କୀଙ୍କୁ ସହଯୋଗ କରିଥିବା ପ୍ରାୟ ୨୦ ଜଣଙ୍କ ମଧ୍ୟରୁ NIA କିଛି ଜଣଙ୍କୁ ଗିରଫ କରିଥିବା ବେଳେ, ଆଉ କିଛି ଜଣଙ୍କୁ ଆକ୍ଟିଭ୍ ସର୍ଭେଲାନ୍ସରେ ରଖିଛି । ସେମାନଙ୍କ କଲ୍ ରେକର୍ଡ ଯାଞ୍ଚ କରାଯାଉଛି । ଏବେବି ପାକିସ୍ତାନ ଫେରି ପାରିନାହାନ୍ତି ପହଲଗାମ୍ ଆତଙ୍କୀ । ଅନୁମାନ କରାଯାଉଛି- ଏବେବି ସେମାନେ ଦକ୍ଷିଣ କାଶ୍ମୀରରେ ଲୁଚିଛନ୍ତି ଏବଂ ସକ୍ରିୟ ଅଛନ୍ତି ।

ଯେପରି ଅଜ୍ଞାତବାସ ବେଳେ ବାହାର କାହା ଉପରେ ନିର୍ଭର କରିବାକୁ ନପଡ଼େ, ସେଥିପାଇଁ ସେମାନେ ନିଜ ପାଖରେ ହତିଆର ସହ ଖାଦ୍ୟ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଗଚ୍ଛିତ ରଖିଛନ୍ତି ବୋଲି NIA ଜାଣିବାକୁ ପାଇଛି । ଧରାପଡ଼ିଯିବା ଭୟରେ ସେମାନେ ନିଜକୁ ସହଯୋଗୀଙ୍କ ଠାରୁ ଦୂରେଇ ରଖୁଛନ୍ତି । ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଆହୁରି କିଛି ସ୍ଥାନୀୟ ଆତଙ୍କବାଦୀ ଆକ୍ଟିଭ୍ ଥିବା ବି ଜଣାପଡ଼ିଛି । ଆତଙ୍କୀଙ୍କୁ ଧରିବା ପାଇଁ କୁପୱାରା, ହଣ୍ଡୱାରା, ତ୍ରାଲ୍, ପୁଲୱାମା, ସୋପୋର୍, ବାରମୂଳା ଓ ବନ୍ଦିପୋରା ଆଦି ଜାଗାରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ସେପଟେ ଆଜି ଗ୍ରାଉଣ୍ଡ୍ ଜିରୋକୁ ଯାଇଛନ୍ତି NIA ମୁଖ୍ୟ ସଦାନନ୍ଦ ଦାତେ । ପହଲଗାମ୍ ବୈସରନ୍ ଭ୍ୟାଲିରେ ୩ ଘଣ୍ଟା ରହି ତଦନ୍ତ ଅଗ୍ରଗତିର ସମୀକ୍ଷା କରିଛନ୍ତି । ପହଲଗାମ୍ ହମଲା ସଂପର୍କିତ ମାମଲା ସୁପ୍ରିମକୋର୍ଟ ପହଞ୍ଚିବା ପରେ, ଏହାର ଶୁଣାଣି କରିବାକୁ ମନା କରିଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ୩ ଆବେଦନକାରୀ ପିଆଇଏଲ୍ ଦାଖଲ କରିଥିବା ବେଳେ, ସୁପ୍ରିମକୋର୍ଟ ସେମାନଙ୍କୁ ତାଗିଦ୍ କରି କହିଛନ୍ତି- ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସେନାର ମନୋବଳ ଦୁର୍ବଳ କରନି ।

ସେପଟେ ଭାରତ ଗତକାଲି ପାକିସ୍ତାନ ବିମାନ ପାଇଁ ଏୟାରସ୍ପେଶ୍ ବନ୍ଦ କରିବା ପରେ, ଆଜି ପାକିସ୍ତାନ ସୀମାରେ ଜାମର୍ ଲଗାଇଛି । ଏହାଦ୍ବାରା ପାକ୍ ସେନା ବିମାନକୁ ବାଟବଣା କରିହେବ । ଅନ୍ୟପଟେ ପାକିସ୍ତାନ ସମସ୍ତ ବିମାନ ପାଇଁ ଭାରତ ସୀମା ସନ୍ନିକଟ କରାଚୀ ଓ ଲାହୋର୍ ଏୟାରସ୍ପେଶର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଆଂଶିକ ବନ୍ଦ କରିଛି ।

ଅଧିକ ପଢ଼ନ୍ତୁ: ନିଜ ନାଗରିକଙ୍କ ପ୍ରବେଶକୁ ବନ୍ଦ କଲା ପାକିସ୍ତାନ !