• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରାଜସ୍ଥାନ ଉଦୟପୁର କହ୍ନେୟା ଲାଲ୍‌ଙ୍କ ହତ୍ୟା ଘଟଣାରେ ମାମଲା ରୁଜୁ କଲା NIA । ହତ୍ୟାକାଣ୍ଡ ଘଟଣାର ଛାନଭିନ୍ ପାଇଁ ତଦନ୍ତକାରୀ ଟିମ୍ ଉଦୟପୁର ପହଞ୍ଚିଛନ୍ତି । ଏହି ମାମଲାରେ ବିଦେଶୀ ଲିଙ୍କ୍ କିମ୍ବା ଅନ୍ୟ ଆତଙ୍କୀ ସଂସ୍ଥାର ସଂପୃକ୍ତି ରହିଛି କି ନାହିଁ ସେ ଦିଗରେ ତଦନ୍ତ ହେବ । ସେପଟେ ରାଜ୍ୟ ପୋଲିସ୍ ବି ମାମଲାରେ ତଦନ୍ତ କରୁଛି । ଗିରଫ ଦୁଇ ଅଭିଯୁକ୍ତଙ୍କ ସଂପୃକ୍ତି କାହା ସହ ରହିଛି ? ଏମାନେ କାହା ନିର୍ଦ୍ଦେଶରେ ଏତେ ବଡ଼ କାଣ୍ଡ ଭିଆଇଲେ ସେ ନେଇ ଖୋଳତାଡ଼ କରାଯାଉଛି ।

ପରିସ୍ଥିତିକୁ ଦେଖି ସାରା ରାଜ୍ୟରେ ୧୪୪ ଜାରି କରାଯାଇଛି । ରାଜସ୍ଥାନରେ ମାସେ ଯାଏଁ କୌଣସି ରାଲି, ଶୋଭାଯାତ୍ରାକୁ ମନା କରାଯାଇଛି। ଉଦୟପୁରରେ ପରସ୍ଥିତି ବିଗିଡ଼ିବା ଆଶଙ୍କାରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି ।

ସେପଟେ ସହରବାସୀ କହ୍ନେୟା ଲାଲ୍‌ଙ୍କ ମୃତଦେହକୁ ବିଶାଳ ଶୋଭାଯାତ୍ରା କରି ନେଇଛନ୍ତି । କହ୍ନେୟାଙ୍କ ମୃତଦେହକୁ ପାଛୋଟି ନେବାକୁ କାହିଁ କେତେ ଦୂରରୁ ଲୋକେ ଆଜି ଆସି ପହଞ୍ଚିଛନ୍ତି । ଖାଲି ପରିବାର ପରିଜନ କିମ୍ବା ବନ୍ଧୁ ବାନ୍ଧବ ନୁହେଁ ଯିଏ ବି ଏହି ଘଟଣାକୁ ଶୁଣିଛି ସେ ବି ତାଙ୍କ ଅନ୍ତିମ ଦର୍ଶନ କରିବାକୁ ଆସିଛନ୍ତି ।

ଅନ୍ୟପଟେ କହ୍ନେୟାଙ୍କ ମୃତ୍ୟୁ ପରେ ଏବେ କୋହ ଓ ଲୁହରେ ଭାସୁଛି କହ୍ନେୟାଙ୍କ ଘର । କହ୍ନେୟାଲାଲ୍‌ଙ୍କ ପତ୍ନୀ ଅଭିଯୁକ୍ତଙ୍କୁ ଫାଶୀ ଦେବାକୁ ଦାବି କରିଛନ୍ତି ।

ସେପଟେ ଘଟଣାକୁ ନେଇ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି । ରାଜସ୍ଥାନରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଥିବା ଅଭିଯୋଗ କରି ଟାଗେର୍ଟ କରିଛି ବିଜେପି । ଏହାସହ NIA ତଦନ୍ତକୁ ନେଇ ମଧ୍ୟ କଂଗ୍ରେସ ବିଜେପି ଉପରେ ବର୍ଷିଛି ।

କବଳ ଏତିକି ନୁହେଁ ଉଦୟପୁର ଘଟଣାକୁ ନେଇ ଦେଶର ଅନ୍ୟ ସହରରେ ମଧ୍ୟ ବିରୋଧ ପ୍ରଦର୍ଶନ ହୋଇଛି । ଜମ୍ମୁରେ ଆଜି ବିଭିନ୍ନ ସଂଗଠନର ଲୋକେ ରାଲି ବାହାର କରିଥିଲେ । ନିର୍ଦ୍ଦୋଷ କହ୍ନେୟା ଲାଲ୍‌ଙ୍କ ହତ୍ୟାକାରୀଙ୍କୁ କଡ଼ା ଦଣ୍ଡ ଦିଆଯିବା ସହ ଏହା ପଛରେ ଥିବା ବ୍ୟକ୍ତିଙ୍କୁ ଖୋଜି ବାହାର କରିବାକୁ ଦାବି କରିଛନ୍ତି । ଦେଶରେ ଏପରି ତାଲିବାନୀ ଅପରାଧକୁ ଆଦୌ ସହ୍ୟ କରାଯିବନି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।