• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଧୁମ୍‌ଧାମରେ ବିବାହ ଶେଷ ହେଲା, ତା’ପରେ ଜାକଜମକରେ ରିସେପ୍ସନ୍ । ହେଲେ କ୍ଷଣିକରେ ମିଳେଇ ଗଲା ବିବାହ ପରର ସବୁ ଖୁସି । ଚଉଠି ପରଦିନ କୋଠରୀରୁ ମିଳିଛି ନବଦମ୍ପତିଙ୍କ ମୃତଦେହ । ହେଲେ ପୋଷ୍ଟମୋର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣକୁ କେହି ବିଶ୍ୱାସ କରିପାରୁନାହାନ୍ତି । ଉତ୍ତରପ୍ରଦେଶର ବହରାଇଚରେ ଏପରି ଏକ ଅବିଶ୍ୱସନୀୟ ଘଟଣା ଘଟିଛି ।

ବହରାଇଚର କେସିଆରଗଞ୍ଜ ଥାନା ଅନ୍ତର୍ଗତ ଏକ ଗାଁର ୨୨ ବର୍ଷୀୟ ପ୍ରତାପ ଯାଦବ ମେ ୩୦, ୨୦୨୩ରେ ମଙ୍ଗଳ ମେଳା ଗାଁର ପୁଷ୍ପା ନାମକ ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ବିବାହ ରୀତିନୀତି ପରେ ଖୁସିର ମାହୋଲ ଭିତରେ ମେ ୩୧ରେ ବରକନ୍ୟା ଘରକୁ ଫେରିଥିଲେ । ଘରର ମହିଳାମାନେ ନବଦମ୍ପତିଙ୍କୁ ଶୁଭ ଗୀତ ଗାଇ ସ୍ୱାଗତ କରିଥିଲେ । ଘରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉତ୍ସବ ପାଳନ କରାଯାଇଥିଲା ।

ସମସ୍ତ ଉତ୍ସବ ଶେଷ ହେବା ପରେ ନବଦମ୍ପତି କବାଟ ବନ୍ଦ କରି ଶୋଇବା ପାଇଁ କୋଠରୀକୁ ଯାଇଥିଲେ । ହେଲେ ଜୁନ୍ ୧ ତାରିଖ ସକାଳେ ଅନେକ ସମୟ ଧରି କବାଟ ନଖୋଲିବାରୁ ପରିବାର ଲୋକ କବାଟ ବାଡ଼େଇଥିଲେ । ତଥାପି ଭିତରୁ କୌଣସି ଉତ୍ତର ଆସିନଥିଲା କି କୌଣସି ସୋର ଶବ୍ଦ ନଥିଲା । ଏହାପରେ ପରିବାର ଲୋକ ବ୍ୟତିବ୍ୟସ୍ତ ହୋଇ କବାଟ ଭାଙ୍ଗିଥିଲେ । ହେଲେ ଭିତରେ ଯାହା ଦେଖିଲେ ସମସ୍ତଙ୍କ ଗୋଡ଼ ତଳୁ ମାଟି ଖସିଯାଇଥିଲା । ବାସର ଶେଯ ଉପରେ ବରକନ୍ୟା ମରିପଡ଼ିଥିବା ଦେଖିବାକୁ ମିଳିଥିଲା ।

ନବ ବିବାହିତ ଦମ୍ପତିଙ୍କ ମୃତଦେହ ମିଳିବା ଘଟଣାରେ ଏବେ ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ହୃଦଘାତ ଯୋଗୁଁ ଉଭୟଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି। କୋଠରୀରେ ଅମ୍ଳଜାନ ଅଭାବରୁ ଦମ୍ପତିଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଏହାପରେ ଅଶ୍ରୁଳ ଆଖିରେ ଗତକାଲି ନବଦମ୍ପତିଙ୍କ ଅନ୍ତିମ ସଂସ୍କାର କରାଯାଇଛି ।