• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

ଭାରତୀୟ ଆଇନ ପ୍ରକ୍ରିୟାରେ ଲାଗୁହେବ ୩ଟି ନୂଆ ଅପରାଧିକ ଆଇନ୍ । ଜୁଲାଇ ପହିଲାରୁ ଏହାକୁ କାର୍ଯ୍ୟକାରୀ କରାଯିବ। ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ ଜୁଲାଇ ପହିଲାରୁ ଲାଗୁ ହେବ।ଏନେଇ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

କେନ୍ଦ୍ର ସରକାର ଫୌଜଦାରୀ ଆଇନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ କରିଛନ୍ତି। ୧୮୬୦ ମସିହାର ଭାରତୀୟ ପିଙ୍ଗଳ କୋଡକୁ (ଆଇପିସି) ପରିବର୍ତ୍ତନ କରି ଭାରତୀୟ ନ୍ୟାୟ ସଂହିତା ୨୦୨୩ ପ୍ରଣୟନ କରିଛନ୍ତି। ସେହିପରି ୧୯୭୩ର ଦଣ୍ଡବିଧି ପ୍ରକ୍ରିୟା (ସିଆରପିସି) ସ୍ଥାନରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ ଓ ୧୮୭୨ ମସିହାର ଭାରତୀୟ ସାକ୍ଷ୍ୟ ପ୍ରମାଣ ଆଇନ ସ୍ଥାନରେ ଭାରତୀୟ ସାକ୍ଷ୍ୟ ଅଧିନିୟମ ୨୦୨୩ ପ୍ରଣୟନ କରିଛନ୍ତି।

ଏଗୁଡିକ ଗତ ବର୍ଷ ଶୀତ ଅଧିବେଶନ ସମୟରେ ସଂସଦର ଉଭୟ ଗୃହରେ ପାରିତ ହୋଇଥିଲା। ଏହାପରେ ରାଷ୍ଟ୍ରପତିଙ୍କଠାରୁ ଅନୁମୋଦନ ମିଳିଥିଲା, ଏହା ଆସନ୍ତା ଜୁଲାଇ ପହିଲାରୁ କାର୍ଯ୍ୟକାରୀ କରାଯିବ । ପୂର୍ବରୁ ଏ ନେଇ ସଂସଦରେ ୩ଟି ବିଲ ଆଗତ କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଲୋକସଭାରେ ଭାରତୀୟ ସଂହିତା ସୁରକ୍ଷା ବିଲ-୨୦୨୩ ଉପରେ ଆଲୋଚନା କରି କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହ କହିଥିଲେ, “ଦେଶରେ ଅପରାଧିକ ନ୍ୟାୟ ପ୍ରଣାଳୀରେ ବଡ଼ ପରିବର୍ତ୍ତନ ଅଣାଯିବ। ଏହି ଆଇନର ଉଦ୍ଦେଶ୍ୟ ହେଉଛି ସମସ୍ତଙ୍କୁ ନ୍ୟାୟ ପ୍ରଦାନ କରିବା। ଏହାଦ୍ଵାରା ଶିଶୁ ଓ ମହିଳାମାନଙ୍କୁ ମଧ୍ୟ ନ୍ୟାୟ ମିଳିବ। ”

ପୂର୍ବରୁ ଆଇପିସିରେ ୫୧୧ଟି ଧାରା ଥିଲା। ସେ ସ୍ଥାନରେ ଏବେ ଭାରତୀୟ ନ୍ୟାୟ ସଂହିତାରେ ମାତ୍ର ୩୫୮ ଧାରା ସ୍ଥାନୀତ କରାଯାଇଛି। ଏଥିରେ ୨୦ଟି ନୂତନ ଧାରା ଯୋଡ଼ାଯାଇଛି। ଆତଙ୍କବାଦ, ହିଟ୍ ଆଣ୍ଡ ରନ୍, ମହିଳାଙ୍କୁ ପ୍ରତାରଣା, ଯୌନ ଶୋଷଣ, ମିଥ୍ୟା ଖବରର ପ୍ରକାଶନ ଆଦି ଅପରାଧ ସ୍ଥାନିତ ହୋଇଛି।

ଏହି ଆଇନରେ ଆଧୁନିକ ଟେକ୍‌ନୋଲୋଜି ଅବଲମ୍ବନ କରିବା ପାଇଁ ପ୍ରାବଧାନ ଅଛି। ତଦନ୍ତର ସମସ୍ତ ପଦକ୍ଷେପ ଏହି ଟେକ୍‌ନୋଲୋଜି ସହାୟତାରେ ହେବ। ସାକ୍ଷ୍ୟ ପ୍ରମାଣର ଗୁଣବତ୍ତା ବୃଦ୍ଧି ପାଇବ। ମୁଦାଲା ଓ ମୁଦେଇ ଦୁଇ ଜଣଙ୍କ ଅଧିକାର ସୁରକ୍ଷିତ ରହିବ। ପୋଲିସର କେସ୍ ଡାଏରୀ, ଚାର୍ଜସିଟଠାରୁ ଜଜ୍‌ମେଣ୍ଟ ପର୍ଯ୍ୟନ୍ତ ସମସ୍ତ ତଥ୍ୟ କମ୍ପ୍ୟୁଟର ଦ୍ୱାରା ଲିପିବଦ୍ଧ ହେବ। ଅପରାଧ ଅନୁସନ୍ଧାନ ପାଇଁ ବୈଜ୍ଞାନିକ ପଦ୍ଧତି ଅବଲମ୍ବନ କରାଯିବ। ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏଥିପାଇଁ ଆଧୁନିକ ଯନ୍ତ୍ର ସାମଗ୍ରୀ ଉପଲବ୍ଧ କରାଯିବ।

ସର୍ବୋପରି ଏହି ପରିବର୍ତ୍ତିତ ନୂତନ ଆଇନରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରାଯାଇଛି। ପାଶ୍ଚାତ୍ୟ ଓ ଆଧୁନିକ ଶୈଳୀରେ ତଦନ୍ତ, ସାକ୍ଷ୍ୟଗ୍ରହଣ ଓ ଶେଷରେ ରାୟ ପ୍ରକାଶ କରାଯିବ। ସବୁଠାରୁ ଉଲ୍ଲେଖନୀୟ ହେଉଛି ଯେ ଏବେ ନ୍ୟାୟ ବ୍ୟବସ୍ଥା ସରଳ, ସୁଲଭ ଓ ତ୍ୱରିତ ହେବ।