/odishatv-khabar/media/post_attachments/uploadimage/library/16_9/16_9_0/New_Rule_1719851340.jpg)
New Rule
ଆଉ ଦୀର୍ଘ ବର୍ଷ ଗଡ଼ିବନି କେସ୍, ହତାଶ କରିବନି 'ତାରିଖ ପେ ତାରିଖ' । ସବୁ ଫୌଜଦାରୀ ମାମଲାରେ ୩ ବର୍ଷ ଭିତରେ ମିଳିବ ତ୍ୱରିତ ନ୍ୟାୟ । ନୂଆ ଭାରତର ନୂଆ ଆଇନରେ ଦଣ୍ଡ ଅପେକ୍ଷା ନ୍ୟାୟକୁ ମିଳିବ ଗୁରୁତ୍ୱ । ଠକକୁ କହିହେବନି 'ଚାର୍ ଶୋ ବିସ୍', ହତ୍ୟା ପାଇଁ ଲାଗିବନି ଦଫା ୩୦୨ । ୧୪୪ ଧାରା ବଦଳରେ ବେଆଇନ ଭିଡ଼ ରୋକିବାକୁ ଲାଗିବ ଧାରା ୧୮୭ ।
ଭାରତୀୟ ନ୍ୟାୟ ସଂହିତା (BNS), ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS) ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ (BSA)। ମଧ୍ୟରାତ୍ରରୁ ଏହି ୩ ନୂଆ ଫୌଜଦାରୀ ଆଇନ ଦେଶବ୍ୟାପୀ ଲାଗୁ ହେବା ପରେ, ରାତି ୧୨ଟା ୧୦ରେ ମଧ୍ୟପ୍ରଦେଶ ଗ୍ୱାଲିୟରର ହାଜିରା ଥାନାରେ ରୁଜୁ ହୋଇଛି ପ୍ରଥମ ମାମଲା । ଚୋରି ଅଭିଯୋଗ ପାଇଁ ଲାଗିଛି BNSର ଧାରା ୩୦୩ (୨)।
ଏପଟେ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନାରେ ଭାରତୀୟ ନ୍ୟାୟ ସଂହିତା ଅଧୀନରେ ପ୍ରଥମ ମାମଲା ରୁଜୁ କରିଛି କମିଶନରେଟ୍ ପୋଲିସ। ଚିନ୍ତାମଣିଶ୍ୱର ମନ୍ଦିର ନିକଟରେ ୩ ଦୁର୍ବୃତ୍ତ ବାଇକରେ ଆସି ଗୌରାଙ୍ଗ ଦାସଙ୍କ ବେକକୁ ବ୍ଲେଡରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତେଣୁ ହତ୍ୟା ଉଦ୍ୟମ ମାମଲା ଆଇପିସି ଧାରା ୩୦୭ ବଦଳରେ BNS ୧୦୯ (୧) ସହିତ ୧୨୬(୨), ୧୧୫(୨) ଓ ୩(୫) ଆଦି ଦଫା ଲାଗିଛି।
ସେପଟେ ଏହି ୩ ନୂଆ ଆଇନ ସଂପର୍କରେ ଅଧିକ ସ୍ପଷ୍ଟତା ଆଣି ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ଏଥିରେ ଦଣ୍ଡର ସ୍ଥାନ ନ୍ୟାୟ ନେଇଛି। ପୋଲିସ ଅପେକ୍ଷା ପୀଡ଼ିତଙ୍କ ସ୍ବାର୍ଥ ଓ ଅଧିକାରର ସୁରକ୍ଷା କରାଯାଇଛି। ମହିଳା ଓ ଶିଶୁଙ୍କୁ ସବୁଠୁ ଅଧିକ ଗୁରୁତ୍ୱ ମିଳିଛି ।
ତେବେ ନଜର ପକାନ୍ତୁ ନୂଆ ଆଇନର କିଛି ପ୍ରମୁଖ ବିନ୍ଦୁ ଉପରେ...
- ନାବାଳିକା ଦୁଷ୍କର୍ମୀକୁ ମୃତ୍ୟୁଦଣ୍ଡ ଓ ମହିଳା ଗଣଦୁଷ୍କର୍ମକାରୀଙ୍କୁ ଆଜୀବନ ସଜ୍ଜା
- ମବ୍ ଲିଞ୍ଚିଂ ବା ଭିଡ଼ ହିଂସା ମୃତ୍ୟୁ ମାମଲାରେ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ପ୍ରାବଧାନ
- ରାଜଦ୍ରୋହ ପାଲଟିଛି ଦେଶଦ୍ରୋହ, ସ୍ପଷ୍ଟ ହୋଇଛି ଆତଙ୍କବାଦର ପରିଭାଷା
- ଫୁସଲା-ଫୁସଲି କରି ବିବାହିତ ମହିଳାଙ୍କୁ ନେଇ ପଳାଇଗଲେ ୨ ବର୍ଷ ଜେଲ୍ ହୋଇପାରେ
- ପ୍ରଥମ ସ୍ତ୍ରୀ ବଞ୍ଚି ଥାଉ ଥାଉ କପଟ କରି ଦ୍ବିତୀୟ ବିବାହ କଲେ ୭ ବର୍ଷ ଜେଲ୍ ହୋଇପାରେ
- ବିବାହର ମିଛ ପ୍ରତିଶ୍ରୁତି ଦେଇ ଶାରିରୀକ ସଂପର୍କ ରଖିଲେ BNS ଧାରା ୬୯ରେ ଅପରାଧିକ ମାମଲା ରୁଜୁ ହେବ
- ଫେରାର ଓ ପଳାତକ ବିରୋଧରେ ବି ଆରମ୍ଭ ହୋଇପାରିବ ମୋକଦ୍ଦମା
- କାହାକୁ ଗିରଫ ଓ କୋର୍ଟ ହାଜିରା ବେଳେ ହାତକଡ଼ି ପକାଇହେବ ତାହା ସ୍ପଷ୍ଟ କରାଯାଇଛି
- ଅନଲାଇନରେ କିମ୍ବା ଦେଶର ଯେକୌଣସି ଥାନାରେ ଏତଲା ଦେଇହେବ
- ଶିଶୁ, ବୟସ୍କ, ଦିବ୍ୟାଙ୍ଗ ଓ ଗୁରୁତର ଅସୁସ୍ଥଙ୍କୁ ଥାନାକୁ ଯିବାକୁ ପଡ଼ିବ ନାହିଁ
- ସେମାନେ ଘରେ ରହି ପୋଲିସ ସହାୟତା ପାଇପାରିବେ
- ଡିଜିଟାଲ ରେକର୍ଡସକୁ ପ୍ରମାଣ ଦସ୍ତାବିଜ ଭାବେ ଗ୍ରହଣ କରାଯିବ
ନୂଆ ଆଇନ ଲାଗୁ ସହ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ସଚେତନକାମୂଳକ କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ଥାନା ପରିସରରେ ଜନସାଧାରଣଙ୍କୁ ନୂଆ ଆଇନ ସଂପର୍କରେ ଅବଗତ କରିଛନ୍ତି ପୋଲିସ ଅଧିକାରୀ। ଆଗକୁ ଏଭଳି କାର୍ଯ୍ୟକ୍ରମ ଆହୁରି ବ୍ୟାପକ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କରିଥିବା ବେଳେ, ନୂଆ ଆଇନ ତଦନ୍ତ ପ୍ରକ୍ରିୟାରେ ସହାୟକ ହେବ ବୋଲି କହିଛନ୍ତି ପୋଲିସ ଡିଜି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)