• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ଖିଅ କାଢୁଛି NCB

  • କାଲି ପୁଣି ଜେରା ହେବେ ଅନନ୍ୟା

ନୂଆଦିଲ୍ଲୀ: ମନ୍ନତରେ ପଶିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(NCB) । ଯାହା ଚର୍ଚ୍ଚା ହେଉଥିଲା ତାହା ସତ ସାବ୍ୟସ୍ତ ହେଲା । ଆର୍ୟନ ଖାନ୍ ଗିରଫ ମାମଲାରେ ଶାହରୁଖଙ୍କ ସହ କଥା ହୋଇଛି ତଦନ୍ତକାରୀ ସଂସ୍ଥା(NCB) । ତେବେ ଏହା ରେଡ୍ ନଥିଲା ବରଂ କିଛି ଜରୁରୀ ଡକ୍ୟୁମେଣ୍ଟ ମାଗିବା ନେଇ ନୋଟିସ ଦେଇଥିଲା ଏନସିବି । ଆଜି ସକାଳୁ ମୁମ୍ବାଇ ଆର୍ଥର ରୋଡ୍ ଜେଲ୍‌କୁ ଯାଇ ପୁଅ ଆର୍ୟନଙ୍କୁ ଭେଟିଥିଲେ କିଙ୍ଗ ଖାନ୍ । ଏହାରି ଭିତରେ ଆର୍ୟନଙ୍କ ବିଚାର ବିଭାଗୀୟ ହାଜତ ଅବଧିକୁ ଅକ୍ଟୋବର ୩୦ ଯାଏଁ ବଢାଇଦେଇଛନ୍ତି କୋର୍ଟ । ସେପଟେ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ମଧ୍ୟ ଆଜି ପାଖାପାଖି ୩ ଘଂଟା ଧରି ଜେରା କରିଛି ଏନସିବି । ଆସନ୍ତାକାଲି ପୁଣି ଥରେ ଅନନ୍ୟାଙ୍କୁ ଜେରା କରିବ ଏନସିବି ।

ମନ୍ନତରେ ପଶିଲା ଏନସିବି । ଆର୍ୟନଙ୍କ ଡ୍ରଗ୍ସ ଲିଙ୍କରେ ଖୋଳତାଡ଼ ନେଇ ଦିନ ପ୍ରାୟ ଗୋଟାଏ ବେଳେ ବଲିଉଡ୍ ସୁପରଷ୍ଟାର ଶାହାରୁଖ ଖାନଙ୍କ ଘର ମନ୍ନତରେ ପହଁଚିଥିଲେ ନାର୍କୋଟିକ୍ସ କଂଟ୍ରୋଲ ବ୍ଯୁରୋ ଅଧିକାରୀ । କ୍ରୁଜ୍ ଡ୍ରଗ୍ସ ମାମଲାରେ ଜେଲରେ ବନ୍ଦ ଆର୍ୟନଙ୍କ ବାବଦରେ ବାପା ଶାହାରୁଖଙ୍କ ସହ କଥା ହୋଇଛନ୍ତି ଏନସିବି ଅଧିକାରୀ । ଶାହାରୁଖଙ୍କୁ ମାଗିଛନ୍ତି କିଛି ଜରୁରୀ କାଗଜପତ୍ର । ଆର୍ୟନଙ୍କ ସମସ୍ତ ଶିକ୍ଷାଗତ ପ୍ରମାଣ ପତ୍ର, ମେଡିକାଲ୍ ଡକ୍ୟୁମେଣ୍ଟ, ମେଡିସିନ୍ ପ୍ରେସକ୍ରିପସନ୍, ବିଦେଶ ଯାତ୍ରା ତଥ୍ୟ ଏବଂ ବିଦେଶରେ ରହିଥିବା ଆର୍ୟନଙ୍କ ସମସ୍ତ କାଗଜପତ୍ରକୁ ଏନସିବିରେ ଦାଖଲ କରିବାକୁ ନୋଟିସ ଦିଆଯାଇଛି ।

ଏହା ପୂର୍ବରୁ ସକାଳ ପ୍ରାୟ ୯ଟା ବେଳେ ପୁଅକୁ ଭେଟିବା ପାଇଁ ମୁମ୍ବାଇ ଆର୍ଥର ରୋଡ୍ ଜେଲରେ ପହଞ୍ଚିଛନ୍ତି ଶାହରୁଖ । ଜେଲ୍ ଅଧିକାରୀ ଆଧାର କାର୍ଡ ଏବଂ ଅନ୍ୟ କାଗଜପତ୍ର ଯାଂଚ୍ କରି ଏକ ଟୋକନ୍ ଦେଇଥିଲେ ଶାହାରୁଖଙ୍କୁ, ଯାହାକୁ ନେଇ ସେ ଆର୍ୟନଙ୍କ ପାଖକୁ ଯାଇଥିଲେ । ଆର୍ୟନ ଗିରଫ ହେବା ପରେ ଏହା ଥିଲା ବାପା-ପୁଅଙ୍କ ପ୍ରଥମ ସାକ୍ଷାତକାର । ଉଭୟଙ୍କ ମଧ୍ୟରେ ରହିଥିଲା କାଚର ପରଦା, ଆଉ ତା ଭିତରେ ଇଂଟରକମରେ ୧୫ରୁ ୨୦ ମିନିଟ୍ ଧରି କଥାବାର୍ତ୍ତା ହୋଇଥିଲେ ଶାହାରୁଖ୍ । ପାଖରେ ଜଗି ରହିଥିଲେ ଚାରି ଜଣ ଗାର୍ଡ । ଜେଲ୍ ଅଧିକାରୀଙ୍କ ସୂଚନା ଅନୁସାରେ, ସାଧାରଣ କଏଦୀଙ୍କ ପରିବାର ଭଳି ପୁଅ ଆର୍ୟନଙ୍କୁ ଦେଖା କରିଥିଲେ । ଶାହରୁଖ ପାଖାପାଖି ୩୫ ମିନିଟ୍ ପରେ ଜେଲରୁ ବାହାରିଥିବର ସୂଚନା ମିଳିଛି ।

 

କ୍ରୁଜ୍ ରେଭ ପାର୍ଟି ଓ ଡ୍ରଗ୍ସ ଲିଙ୍କ ମାମଲାରେ ଏନସିବିରେ ହାଜର ହୋଇଛନ୍ତି ବିଟାଉନ୍‌ର ୟଙ୍ଗ ସେନସେସନ୍ ଅନନ୍ୟା ପାଣ୍ଡେ । ସକାଳେ ଏନସିବି ଟିମ୍ ଅନନ୍ୟାଙ୍କ ଘରେ ରେଡ୍ କରିଥିଲା ଏବଂ ଅନନ୍ୟାଙ୍କୁ ହାଜର ହେବାକୁ ସମନ କରିଥିଲା । ଅପରାହ୍ଣରେ ବାପା ଚଙ୍କି ପାଣ୍ଡେଙ୍କ ସହ ଏନସିବି ଅଫିସରେ ପହଁଚିଥିଲେ ଅନନ୍ୟା । ମିଳିଥିବା ସୂଚନା ଅନୁସାରେ, ଆର୍ୟନ ଓ ଅନନ୍ୟାଙ୍କ ମଧ୍ୟରେ ଡ୍ରଗ୍ସ ବାବଦରେ ହୋଇଥିବା କିଛି ମୋବାଇଲ୍ ଚାଟ୍ ଏନସିବି ହାତରେ ଲାଗିଛି । ଯାହାକୁ ତଦନ୍ତ ପରିସରକୁ ନିଆଯାଇଛି । ଏନସିବି ଅନନ୍ୟାଙ୍କ ମୋବାଇଲ୍ ଓ ଲାପଟପ୍ ଜବତ କରିଥିବାର ସୂଚନା ମିଳିଛି । ଆଜି ଅନନ୍ୟାଙ୍କୁ ପାଖାପାଖି ୩ ଘଣ୍ଟା ଧରି ଜେରା କରାଯାଇଥିବା ବେଳେ ଶୁକ୍ରବାର ପୁଣି ଜେରା ପାଇଁ ଡକାଯାଇଛି । ଡ୍ରଗ୍ସ ଲିଙ୍କ ମାମଲାରେ ଆଗକୁ ଏନସିବି ଆହୁରି କିଛି ସେଲିବ୍ରିଟିଙ୍କୁ ପଚରାଉଚରା କରିପାରେ ବୋଲି ଚର୍ଚ୍ଚା ହେଉଛି ।