• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଆଜି ଠାରୁ ୧୫ ଅଗଷ୍ଟ ଯାଏଁ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା

  • ଲାଲକିଲ୍ଲା ଏବଂ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି

ନୂଆଦିଲ୍ଲୀ : ଆଜି ଠାରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ଲାଲକିଲ୍ଲା ବନ୍ଦ । ସ୍ୱାଧୀନତା ଦିବସ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ସାଧାରଣ ନାଗରିକଙ୍କ ପାଇଁ ଲାଲକିଲ୍ଲା ବନ୍ଦ କରାଯାଇଛି । ଯେଉଁମାନେ ଜୁଲାଇ ୨୧ ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଲାଲକିଲ୍ଲା ବୁଲିବାକୁ ଯୋଜନା କରିନ୍ତି, ତାଙ୍କୁ ଭିତରକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ । ଏଥିପାଇଁ କିଛି ଦିନ ପାଇଁ ଲାଲକିଲ୍ଲା ବୁଲିବା ଯୋଜନାକୁ ସ୍ଥଗିତ କରିବାକୁ ପଡ଼ିବ ।

ମଙ୍ଗଳବାର ସନ୍ଧ୍ୟାରେ ଲାଲକିଲ୍ଲା ବନ୍ଦ ହେବା ସମ୍ପର୍କରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସଆଇ) ପକ୍ଷରୁ ସୂଚନା ଦିଆଯାଇଛି । ଏକ ନିର୍ଦ୍ଦେଶ ପତ୍ର ଜାରି କରି ଦିଲ୍ଲୀ ସର୍କଲର ସମସ୍ତ ଅଧିକାରୀ, ଉତ୍ତର ଜିଲ୍ଲା ପୋଲିସ୍ ଏବଂ ଲାଲକିଲ୍ଲାରେ ସୁରକ୍ଷା ବ୍ୟବସ୍ଥା ପରିଚାଳନା କରୁଥିବା ସିଏସ୍ଏଫ୍ କମାଣ୍ଡାଣ୍ଟଙ୍କୁ ସୂଚନା ଦେଇଛନ୍ତି ଏଏସଆଇ ଏନକେ ପାଠକ୍ ।

ସୁରକ୍ଷା ଦୃଷ୍ଟିରୁ ଜୁଲାଇ ୧୫ରୁ ଲାଲକିଲ୍ଲା ବନ୍ଦ କରିବାକୁ ଏଏସଆଇକୁ କହିଥିଲା ଦିଲ୍ଲୀ ପୋଲିସ । ତେବେ ବର୍ତ୍ତମାନ ଜୁଲାଇ ୧୫ ବଦଳରେ ଜୁଲାଇ ୨୧ରୁ ଲାଲକିଲ୍ଲା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଦିଲ୍ଲୀ ପୋଲିସ ପୂର୍ବ ତୁଳନାରେ ବର୍ତ୍ତମାନ ପାଇଁ ଲାଲକିଲ୍ଲା ଏବଂ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିଛି ।

ସେପଟେ ୧୫ ଅଗଷ୍ଟ ପୂର୍ବରୁ ଦିଲ୍ଲୀରେ ଡ୍ରୋନ୍ ଆକ୍ରମଣ ଆଶଙ୍କା ଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ଷଡ଼ଯନ୍ତ୍ର ରଚୁଛନ୍ତି ଆତଙ୍କବାଦୀ । ଆଗାମୀ ସ୍ୱାଧୀନତା ଦିବସକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସକୁ ସତର୍କ କରିଛି ଭାରତର ଗୁପ୍ତଚର ବିଭାଗ । ଅଗଷ୍ଟ ୧୫ ପୂର୍ବରୁ ଯେକୌଣସି ସମୟରେ ରାଜଧାନୀରେ ଡ୍ରୋନ୍ ଆକ୍ରମଣ ହେବାର ସମ୍ଭାବନା ରହିଛି । ଜମ୍ମୁ ଏବଂ ଉତ୍ତରପ୍ରଦେଶରେ ଆକ୍ରମଣ ବିଫଳ ହେବାପରେ ଏବେ ଆତଙ୍କବାଦୀଙ୍କ ଟାର୍ଗେଟରେ ଦେଶର ରାଜଧାନୀ । ଦିଲ୍ଲୀରେ ଆକ୍ରମଣ କରିବାକୁ ଯୋଜନା କରାଯାଉଥିବା ସୂଚନା ମିଳୁଛି ।