• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନ୍ୟାସନାଲ ହେରାଲ୍ଡ ଦୁର୍ନୀତି ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି ପୁଣିଥରେ ଇଡିରେ ହାଜର ହୋଇଛନ୍ତି । ଆଜି ଦିନ ପ୍ରାୟ ୧୧ଟା ବେଳେ ଜେଡ୍ ପ୍ଲସ୍ ସିକ୍ୟୁରିଟି ସହିତ ସୋନିଆ ଦିଲ୍ଲୀ ସ୍ଥିତ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ପ୍ରାୟ ଅଢ଼େଇ ଘଣ୍ଟା ବୟାନ ରେକର୍ଡ କରାଯିବା ପରେ ପୁଣି ଅପରାହ୍ଣରେ ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ ସୋନିଆ । ଇଡି ପକ୍ଷରୁ ରୁଜୁ ହୋଇଥିବା ମନି ଲଣ୍ଡରିଂ ମାମଲାରେ ଆଜି ସୋନିଆଙ୍କ ବୟାନ ରେକର୍ଡ ହୋଇଛି । ଏହାପୂର୍ବରୁ ଜୁଲାଇ ୨୧ରେ ସୋନିଆଙ୍କୁ ପ୍ରାୟ ୩ ଘଣ୍ଟା ଧରି ଇଡି ପକ୍ଷରୁ ଜେରା କରାଯାଇଥିଲା । ସୋମବାର ଦିନ ହାଜର ହେବା ଲାଗି ଗତ ଶୁକ୍ରବାର ଦିନ ଇଡି ପକ୍ଷରୁ ସୋନିଆଙ୍କୁ ସମନ କରାଯାଇଥିଲା । ପରେ ପୁଣି ଏହାକୁ ଦିନଟିଏ ଘୁଞ୍ଚାଇ ଦିଆଯାଇଥିଲା । ନୂଆ ସମନ ଅନୁସାରେ ସୋନିଆ ଆଜି ଇଡିରେ ହାଜର ହୋଇଛନ୍ତି ।

୧୯୩୮ ମସିହାରେ ଜବାହାରଲାଲ ନେହରୁ ନ୍ୟାସନାଲ ହେରାଲଡ ନ୍ୟୁଜ ପେପର ପ୍ରତିଷ୍ଠା କରିଥିଲେ । ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱରକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି ଖବର କାଗଜ ଆରମ୍ଭ କରାଯାଇଥିଲା । ଆସୋସିଏଟେଡ୍ ଜର୍ଣ୍ଣାଲ ଦ୍ୱାରା ପ୍ରକାଶିତ ଏହି ଖବର କାଗଜ ପରବର୍ତ୍ତୀ ସମୟରେ କଂଗ୍ରେସର ମୁଖପତ୍ରରେ ପରିଣତ ହୋଇଥିଲା । କ୍ଷତିରେ ଚାଲୁଥିବା ଆସୋସିଏଟେଡ୍ ଜର୍ଣ୍ଣାଲକୁ ୨୦୧୦ରେ ପ୍ରତିଷ୍ଠା କରାଯାଇଥିବା ୟଙ୍ଗ ଇଣ୍ଡିଆ କଂପାନୀ କିଣିଥିଲା । ୟଙ୍ଗ୍ ଇଣ୍ଡିଆର ବୋର୍ଡ ଅଫ୍ ଡିରେକ୍ଟରସ ଥିଲେ ସୋନିଆ ଓ ରାହୁଲ ।

ତେବେ ଏହି ବିକ୍ରି-ଖର୍ଦ୍ଦିରେ ସେମାନଙ୍କ ମତାମତ ନିଆଯାଇନଥିବା ନ୍ୟାସନାଲ ହେରାଲ୍ଡର ସେୟାର ହୋଲର୍ଡର ଥିବା ପୂର୍ବତନ ଆଇନ ମନ୍ତ୍ରୀ ଶାନ୍ତିଭୂଷଣ ଓ ପୂର୍ବତନ ଆଲ୍ହାବାଦ୍ ହାଇକୋର୍ଟ ମୁଖ୍ୟ ବିଚାରପତି ମାର୍କେଣ୍ଡେୟ କାଟଜୁ ଅଭିଯୋଗ କରିଥିଲେ । ଅନ୍ୟପକ୍ଷରେ ନ୍ୟାସନାଲ ହେରାଲ୍ଡ ନାଁରେ ଥିବା କୋଟି କୋଟି ଟଙ୍କାର ସଂପତ୍ତି ହାତେଇବା ଲାଗି ଚଞ୍ଚକତା କରି ଏହି ଡିଲ୍ କରାଯାଇଥିବା ଦର୍ଶାଇ ୨୦୧୨ ମସିହାରେ ବରିଷ୍ଠ ଆଇନଜୀବୀ ସୁବ୍ରମଣ୍ୟମ ସ୍ୱାମୀ ମାମଲା ରୁଜୁ କରିଥିଲେ ।

ୟଙ୍ଗ ଇଣ୍ଡିଆ ମାତ୍ର ୫୦ ଲକ୍ଷ ଟଙ୍କା ବଦଳରେ ଆସୋସିଏଟେଡ୍ ଜର୍ଣ୍ଣାଲକୁ ଦେଇଥିବା ୯୦ କୋଟିର ଋଣ ଅସୁଲ ଲାଗି କ୍ଷମତା ହାତେଇଥିବା ସେ ଅଭିଯୋଗ କରିଥିଲେ । ସେହିପରି ଆସୋସିଏଟେଡ୍ ଜର୍ଣ୍ଣାଲକୁ କଂଗ୍ରେସ ଦେଇଥିବା ଋଣ ବେଆଇନ ବୋଲି ସେ ଦର୍ଶାଇଥିଲେ । ଏହି ମାମଲାରେ ଉଭୟ ସୋନିଆ ଓ ରାହୁଲ ଜାମିନ୍ରେ ଅଛନ୍ତି ।