• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ନାଗପୁରର ନିଦ ଉଡ଼ାଇ ଦେଲା ରାତାରାତି ବନ୍ୟା । ଗତରାତିରେ ୧୦୦ରୁ ୧୨୦ ମିଲିମିଟର ବର୍ଷା ହେବା ପରେ ମହାରାଷ୍ଟ୍ରର ନାଗପୁର ସହରର ଦୟନୀୟ ସ୍ଥିତି । ଖାଲି ଯେ ରାସ୍ତାଘାଟ ବୁଡ଼ିଛି ତା ନୁହେଁ, ଲୋକଙ୍କ ଘରେ ଅଣ୍ଟା ଉଚ୍ଚ ପାଣି । ଏଭଳି ସ୍ଥିତିରେ NDRF ଓ ସେନା ଉଦ୍ଧାର କାର୍ଯ୍ୟରେ ଲାଗିଥିବା ବେଳେ, ସ୍କୁଲ ଛୁଟି ଘୋଷଣା କରାଯାଇଛି । ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ମହାରାଷ୍ଟ୍ର ସରକାର ।

ସହରୀ ବନ୍ୟାରେ ବେହାଲ୍ ନାଗପୁର । ମହାରାଷ୍ଟ୍ରର ଏହି ବଡ଼ ସହରରେ ରାତାରାତି ଉବୁଟୁବୁ ସ୍ଥିତି । ରାସ୍ତାରେ ନଈ ଭଳି ପ୍ରଖର ସୁଅ... ଯାନବାହନ ବଦଳରେ ଚାଲିଛି ବୋଟ୍ । ଆଉ କାର୍ ଓ ବସ୍ ଆଦିର ଅବସ୍ଥା କହିଲେ ନସରେ । ଗାଡ଼ି କଥା ଛାଡ଼ନ୍ତୁ, ଘରଦ୍ୱାର, ଦୋକାନ ବଜାର ବି ପାଣିରେ ବୁଡ଼ିଛି । ଜୀବନ ବଞ୍ଚାଇବାକୁ ପ୍ରାଣମୂର୍ଚ୍ଛା ସଂଘର୍ଷ । ଦୂର ଦୂର ଯାଏଁ ଖାଲି ପାଣି ଆଉ ପାଣି । କେନାଲରୋଡ ରାମଦାସପେଠ, କର୍ପୋରେସନ ସୋସାଇଟି ସମେତ ନାଗପୁର ସହରର ଅଧିକାଂଶ ଅଞ୍ଚଳ ଜଳବନ୍ଦୀ ସ୍ଥିତିରେ ରହିଛି । ହଜାର ହଜାର ଲୋକଙ୍କ ସାଧାରଣ ଜୀବନଯାତ୍ରା ଠପ୍ ପଡ଼ିଯାଇଛି । କାଲି ବର୍ଷା ଯୋଗୁଁ ଏହବାବ କଲୋନିରେ ଜଣେ ମହିଳାଙ୍କ ଜୀବନ ଯାଇଥିବା ଖବର ପ୍ରକାଶ ପାଇଛି ।

ସବୁଦିନ ଭଳି ଗତରାତିରେ ବି ଖାଇପିଇ ଲୋକମାନେ ଆରାମରେ ଶୋଇଲେ । ହେଲେ ଦୁଃସ୍ୱପ୍ନ ଭଳି ନିଦ ଭାଙ୍ଗିଦେଲା ଅଚାନକ ବନ୍ୟା । ରାତିକ ଭିତରେ ମୂଷଳାଧାର ବର୍ଷା ହେବା ଫଳରେ, ଅମ୍ବାଝରୀ ହ୍ରହ ଉଛୁଳି ନାଗପୁର ସହରରେ ପାଣି ପଶିଛି । ଶଙ୍କରନଗର ଦେଇ ଯାଇଥିବା କେନାଲର ଏକ ସୁରକ୍ଷାକାନ୍ଥ ଭୁଶୁଡ଼ି ପଡ଼ିବା ଫଳରେ ସ୍ଥିତି ଆହୁରି ବିଗିଡ଼ିଛି । ତଳି ଅଞ୍ଚଳରେ ଘର ଭିତରେ ଅଣ୍ଟା ଉଚ୍ଚ ପାଣି । ବୋଟରେ ବିପନ୍ନଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେଉଛନ୍ତି NDRF, SDRF ଓ ସ୍ଥଳସେନା ଯବାନ । ବୟସ୍କ ଓ ଛାତ୍ରଛାତ୍ରୀଙ୍କ ସମେତ ପ୍ରାୟ ୪ଶହ ଲୋକଙ୍କୁ ଉଦ୍ଧାର କରି ପାଣି ଓ ବିସ୍କୁଟ ଆଦି ଯୋଗାଇ ଦିଆଯାଉଛି । ନାଗପୁରବାସୀଙ୍କୁ ଜରୁରୀ ଥିଲେ ଘରୁ ନବାହାରିବାକୁ ପରାମର୍ଶ ଦେଇଛି ଜିଲ୍ଲାପ୍ରଶାସନ ।

ସବୁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ନାଗପୁର ଜିଲ୍ଲାରେ ଆଗକୁ ବି ମଧ୍ୟମରୁ ପ୍ରବଳ ବର୍ଷା ଜାରି ରହିବା ଆଶଙ୍କା ଥିବାରୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏପଟେ ମଧ୍ୟପ୍ରଦେଶ ମନ୍ଦସୌରରେ ବି ପ୍ରବଳ ବର୍ଷା ଯୋଗୁଁ ମଣ୍ଡିରେ ପାଣି ପଶିଯିବା ପରେ, ବିପୁଳ ପରିମାଣର ରସୁଣ ଭାସୁଥିବା ଦେଖିବାକୁ ମିଳିଛି । ଶହ ଶହ କୁଇଣ୍ଟାଲ ରସୁଣ ନଷ୍ଟ ହୋଇଯିବା ପରେ ଚାଷୀମାନେ ମୁଣ୍ଡରେ ହାତ ଦେଇଥିବା ବେଳେ, ରସୁଣ ଦର ବୃଦ୍ଧିର ମଧ୍ୟ ଆଶଙ୍କା ଦେଖାଦେଇଛି ।