Mysterious Illness: ଜ୍ୱର ପରେ ବାହାରୁଛି ଝାଳ, ଚାଲିଯାଉଛି ଜୀବନ, କାରଣ ଖୋଜି ପାଉନାହାନ୍ତି ସରକାର

କ’ଣ ହେଉଛି କେହି ଜାଣି ପାରୁନାହାନ୍ତି । ପ୍ରଥମେ ଜ୍ୱର ହେଉଛି, ତା ପରେ ଦେହରୁ ଝାଳ ବାହାରୁଛି । କିଛି ସମୟ ପରେ ଲୋକ ମରିଯାଉଛନ୍ତି । ଏହାକୁ ନେଇ ଆତଙ୍କିତ ହୋଇପଡିଛନ୍ତି ସ୍ଥାନୀୟ ଲୋକ । ସ୍ୱାସ୍ଥ୍ୟ ବିଭାଗ କାରଣ ଖୋଜୁଛି । କିନ୍ତୁ କୌଣସି ନିଷ୍କର୍ସରେ ପହଞ୍ଚିପାରୁନି । ପୋଲିସ ବି ତଦନ୍ତ କରୁଛି, କେଉଁ କାରଣରୁ ମରି ଯାଉଛନ୍ତି ଲୋକ । ଏହା ପଛରେ କିଛି ଖଳ ପ୍ରକୃତିର ଲୋକଙ୍କ ହାତ ଅଛି କି ?

ଅଜଣା ରୋଗ

ପ୍ରଶାସନର ନିଦ ହଜିଗଲାଣି ଏଇ ଘଟଣାକୁ ନେଇ । ଏବେ ସୁଦ୍ଧା ୧୭ ଜଣଙ୍କ ମୃତ୍ୟୁ ଘଟିଲାଣି । ଏମିତି ପରିସ୍ଥିତି ଆଗରୁ କେବେ ହୋଇନଥିଲା ବୋଲି କହୁଛନ୍ତି ଗ୍ରାମବାସୀ । ଏମିତି କଣ ହେଲା ଯେ, ମରି ଯାଉଛନ୍ତି ଜଣକ ପରେ ଜଣେ ।

ଏହି ଅଜଣା ରୋଗ ସଂପର୍କରେ ଗତ ଡିସେମ୍ୱର ୭ ତାରିଖରେ ଜଣାପଡିଥିଲା । ସେତେବେଳେ ୫ ଜଣଙ୍କର ମୃତ୍ୟୁ ଘଟିଥିଲା । ପ୍ରଶାସନ ସେବେଠାରୁ ରୋଗର କାରଣ ଖୋଜୁଛି, କିନ୍ତୁ ନିର୍ଦ୍ଦିଷ୍ଟ ଭାବେ କେଉଁ କାରଣରୁ ଲୋକ ମରୁଛନ୍ତି, ତାହା ଜାଣିପାରୁନାହିଁ । ଜଣକ ପରେ ଜଣଙ୍କର ଘଟୁଛି ମୃତ୍ୟୁ । ସବୁଠୁ ବେଶୀ କ୍ଷତିଗ୍ରସ୍ତ ହୋଇଛନ୍ତି ମହମ୍ମଦ ଅସଲାମଙ୍କ ପରିବାର । ସେ ତାଙ୍କର ବାପାମାଆ ଓ ୬ ପିଲାଙ୍କୁ ହରାଇଛନ୍ତି । ବଢାଲ୍ ଗାଁରେ ଖେଳିଯାଇଛି ଆତଙ୍କ ।

ଏହି ମୃତ୍ୟୁ ଘଟଣାର ତଦନ୍ତ କରିବାକୁ ଗତ ଶନିବାର ଦିନ ଗୃହ ମନ୍ତ୍ରଣାଳୟର ଏକ ୧୧ ଜଣିଆ ଟିମ୍ ଗଠନ କରିଛି । ଗତ ୧୯ ତାରିଖରେ ବଢାଲ୍ ଗାଁରେ ଏହି ଉଚ୍ଚସ୍ତରୀୟ ଟିମ୍ ପହଞ୍ଚି ତଦନ୍ତ କରିବା ସମୟରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଥିଲା । ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଏହି ନାବାଳିକାଙ୍କ ମୃତ୍ୟୁ ଖବର ପାଇଥିଲା ଟିମ୍ ।

ବଢାଲ୍ ଗାଁଟି ହେଉଛି ଜମ୍ମୁ ଓ କାଶ୍ମୀରର ରାଜୌରୀ ଜିଲ୍ଲାରେ । ଏହି ଟିମ୍ ଗାଁ ଲୋକଙ୍କ ସହ କଥା ହେବା ପରେ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । କିନ୍ତୁ ମୃତ୍ୟୁର କାରଣ କେହି କିଛି ଜାଣିପାରୁନଥିବା କହିଛନ୍ତି ।

ଅଧିକ ପଢନ୍ତୁ: ୧୩ ମିନିଟରେ ୧୩ ଷ୍ଟେସନ ଓ ୧୩ କିଲୋମିଟର ଯାତ୍ରା: ଡାକ୍ତରୀ ଦଳ ବଞ୍ଚାଇଲେ ଜୀବନ

ରାଜ୍ୟ ସରକାର ଏ ନେଇ ଏକ SIT (ସ୍ପେଶାଲ୍ ଇନଭେଷ୍ଟିଗେସନ୍ ଟିମ୍) ମଧ୍ୟ ଗଠନ କରିଛନ୍ତି । ଏହି ମୃତ୍ୟୁ ଘଟଣାର କିଛି ଅପରାଧିକ ଷଡଯନ୍ତ୍ର ଦିଗ ରହିଛି କି ନାହିଁ, ସେ ନେଇ ଏହି ଟିମ୍ ତଦନ୍ତ କରୁଛି । ବିଭିନ୍ନ ଲୋକଙ୍କୁ ପଚରାଉଚରା କରୁଛି । ସନ୍ଦିଗ୍ଧଙ୍କ ମୋବାଇଲ୍ ଫୋନ୍ ଯାଞ୍ଚ କରୁଛି । କିନ୍ତୁ ପୋଲିସକୁ କିଛି ସଫଳତା ମିଳିନି ।

କେବଳ ପୋଲିସ୍ ତଦନ୍ତ ନୁହେଁ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଏହି ଘଟଣାରେ ତଦନ୍ତ କରୁଛି । ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି ଏହି ଘଟଣାର ତଦନ୍ତ ସବୁ ଦିଗରୁ କରାଯାଉଛି । ଖୁବ୍ ଶୀଘ୍ର ସତ୍ୟ ସାମନାକୁ ଆସିବ ।

ଜମ୍ମୁ ଓ କାଶ୍ମୀରର ଉପମୁଖ୍ୟମନ୍ତ୍ରୀ ସୁରିନ୍ଦର ଚୌଧୁରୀ ଏହି ଗାଁକୁ ଯାଇ ପରିସ୍ଥିତିର ସମୀକ୍ଷା କରିଛନ୍ତି । ମୃତ୍ୟୁର କାରଣ ଖୋଜିବାକୁ ସରକାର ଲାଗିପଡିଛନ୍ତି ବୋଲି ସେ କହିଛନ୍ତି । କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତା ପ୍ରଦାନ କରାଯିବ ଓ ଯଦି କିଛି ଅପରାଧିକ ଷଡଯନ୍ତ୍ର ଜଣାପଡିବ, ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

ଅନ୍ୟ ପକ୍ଷରେ ଗାଁ ପାଖରେ ବହିଯାଉଥିବା ଏକ ଝରଣାର ପାଣିକୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି । ଏହାର ନମୂନା ନିଆଯାଇ ପରୀକ୍ଷା କରାଯାଇଛି । ଏହି ପାଣିରେ କୀଟନାଶକର କିଛି ଉପାଦାନ ଥିବାର ଜଣାପଡିଛି । ଏହି ଝରଣା ପାଣିକୁ ସରକାରଙ୍କ ପକ୍ଷରୁ ବନ୍ଧ ପକାଯାଇ ବନ୍ଦ କରାଯାଇଛି । ଏହି ଝରଣାର ପାଣି କେହି ବି ବ୍ୟବହାର କରିବେ ନାହିଁ ବୋଲି ଘୋଷଣା କରାଯାଇଛି ।

ଏହି ଗାଁକୁ ପୁଣେସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି, ଚଣ୍ଡାଗଡସ୍ଥିତ ପିଜିଆଇ ଓ ଏଏମ୍ସର ଡାକ୍ତରମାନେ ପରିଦର୍ଶନ କରିସାରିଲେଣି । ଏହି ଡାକ୍ତରମାନେ ନମୂନା ସଂଗ୍ରହ କରି ପରୀକ୍ଷା ମଧ୍ୟ କରିଛନ୍ତି । ଏହି ରିପୋର୍ଟରୁ ଜଣାପଡିଛି, ମୃତ୍ୟୁବରଣ କରିଥିବା ଲୋକମାନେ ଭୂତାଣୁ ବା ବ୍ୟାକ୍ଟେରିଆ ଦ୍ୱାରା ସଂକ୍ରମିତ ହୋଇନଥିଲେ । ସେମାନଙ୍କ ଶରୀରରେ ନ୍ୟୁରୋଟକ୍ସିନ ଥିବାର ଜଣାପଡିଛି । ସେମାନଙ୍କୁ ଜ୍ୱର ହେଉଥିଲା ଓ ପରେ ସେମାନଙ୍କ ଦେହରୁ ଝାଳ ବାହାରୁଥିଲା । ଏହା ପରେ ଜୀବନ ଚାଲିଯାଉଥିଲା । ଏହି ନ୍ୟୁରୋଟକ୍ସିନ ହେଉଛି ବିଭିନ୍ନ ପ୍ରକାରର କେମିକାଲ୍ ଯାହାକି ନର୍ଭସ ସିଷ୍ଟମକୁ କ୍ଷତି ପହଞ୍ଚାଏ । ଜାତୀୟ ଗଣମାଧ୍ୟମରେ ଏ ସଂପର୍କରେ ରିପୋର୍ଟ ପ୍ରକାଶ ପାଇଛି । 

ଅଧିକ ପଢନ୍ତୁ: ଝୁଲୁଥିଲା ୧୧ ଶବ, ବନ୍ଧା ହୋଇଥିଲା ହାତଗୋଡ଼...ଆଖିରେ ଥିଲା ପଟି

.