'ପେପର ଲିକ୍‌ର ନିରପେକ୍ଷ ଯାଞ୍ଚ ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ’

ନିଟ୍‌-ୟୁଜି ପରୀକ୍ଷା ପେପର ଲିକ୍‌ର ନିରପେକ୍ଷ ଯାଞ୍ଚ ହେବ ବୋଲି କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନିରପେକ୍ଷ ଯାଞ୍ଚ ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ।

President on Paper Leak

ସଂସଦର ମିଳିତ ଅଧିବେଶନରେ ଆଜି ଅଭିଭାଷଣ ରଖିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ନବନିର୍ବାଚିତ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇବା ସହ ଜନସେବାର ସୌଭାଗ୍ୟ କମ୍ ଲୋକଙ୍କୁ ମିଳିଥାଏ ବୋଲି କହିଛନ୍ତି ରାଷ୍ଟ୍ରପତି । ସଂସଦର ମିଳିତ ଅଧିବେଶନରେ ସମ୍ବୋଧନ ବେଳେ ପେପ୍‌ର ଲିକ୍‌ ପ୍ରସଙ୍ଗରେ ଚିନ୍ତା ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି। ନିଟ୍‌-ୟୁଜି ପରୀକ୍ଷା ପେପର ଲିକ୍‌ର ନିରପେକ୍ଷ ଯାଞ୍ଚ ହେବ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନିରପେକ୍ଷ ଯାଞ୍ଚ ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ । ବିଭିନ୍ନ ରାଜ୍ୟରେ ବି ପେପର ଲିକ୍ ଖବର ସାମ୍ନାକୁ ଆସିଛି। ଦଳୀୟ ରାଜନୀତିରୁ ଊର୍ଦ୍ଧ୍ବରେ ରହି ପଦକ୍ଷେପ ନେବା ଉଚିତ୍ । ପରୀକ୍ଷାରେ ପାରଦର୍ଶିତା, ନିରପେକ୍ଷତା ନିହାତି ଜରୁରୀ। ଏଥିସହ ପରୀକ୍ଷା ପରିଚାଳନାରେ ଜଡ଼ିତ ସଂସ୍ଥାରେ ସଂସ୍କାର ପାଇଁ ଉଦ୍ୟମ ହେଉଛି । ପେପର ଲିକ୍ ରୋକିବାକୁ ଆମ ସରକାର କଡ଼ା ଆଇନ ଆଣିଛନ୍ତି ବୋଲି କହିଛନ୍ତି ରାଷ୍ଟ୍ରପତି।

ପଢନ୍ତୁ ଏହି ଖବର: ‘୩ କୋଟି ମହିଳା ହେବେ ଲକ୍ଷପତି ଦିଦି, ୨୫ କୋଟି ଭାରତୀୟ ହୋଇଛନ୍ତି ଗରିବୀରୁ ମୁକ୍ତ’

ସେହିପରି ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବା ସମୟରେ ସେ ଆହୁରି କହିଛନ୍ତି, ମୋ ସରକାର ଆରମ୍ଭରୁ ଏମ୍ଏସ୍‌ପି ବୃଦ୍ଧି କରିଛନ୍ତି । ଫଳରେ ଚାଷୀଙ୍କ ଖାତାକୁ ୨୦ ହଜାର କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି । ସେହିପରି ଆୟୁଷ୍ମାନ ଯୋଜନାର ଲାଭ ୭୦ ବର୍ଷର ଊର୍ଦ୍ଧ୍ୱ ଲୋକଙ୍କୁ ବି ମିଳିବ ବୋଲି କହିଛନ୍ତି ରାଷ୍ଟ୍ରପତି। ଏପ୍ରିଲରେ ଜିଏସ୍‌ଟିରୁ ୨ ଲକ୍ଷ କୋଟିରୁ ଅଧିକ ଟଙ୍କା ଆଦାୟ ହୋଇଛି ।

ସେହିପରି ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବାକୁ ଅନେକ ପଦକ୍ଷେପ ନିଆଯାଇଛି । ଉତ୍ତରପ୍ରଦେଶ ଓ ତାମିଲନାଡ଼ୁରେ ୨ଟି ଡିଫେନ୍ସ କରିଡର ହେଉଛି । ସେନାର ଆଧୁନିକତା ଉପରେ ଜୋର୍ ଦିଆଯିବା ସହ ୭୦ ପ୍ରତିଶତ ପ୍ରତିରକ୍ଷା ଉପକରଣ ଦେଶର ବିଭିନ୍ନ କଂପାନୀରୁ କିଣିଛୁ । ୱାନ୍ ରାଙ୍କ, ୱାନ୍ ପେନସନ ଲାଗୁ କଲୁ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ସେହିପରି ବିଶ୍ୱବନ୍ଧୁ ହୋଇ ଭାରତ ବିଶ୍ୱର ଅନେକ ସମସ୍ୟା ସମାଧାନ କରୁଛି । ସୁସ୍ଥ ବିଶ୍ୱ ନିର୍ମାଣରେ ଭାରତ ସହଯୋଗ କରୁଥିବା ବେଳେ ଯୋଗ ଆଜି ସମଗ୍ର ବିଶ୍ୱରେ ପହଞ୍ଚିଛି । ୧୦ ବର୍ଷ ମଧ୍ୟରେ ୨୧ ସହରରେ ମେଟ୍ରୋ ପହଞ୍ଚିଛି । ଗ୍ରାମାଞ୍ଚଳରେ ୩ ଲକ୍ଷ କିମିରୁ ଅଧିକ ରାସ୍ତା ନିର୍ମାଣ ହୋଇଛି । ନର୍ଥଇଷ୍ଟର ବିକାଶ ୪ ଗୁଣା ବଢ଼ିଛି, ଖାଲି ସେତିକି ନୁହେଁ ସ୍ଥାୟୀ ଶାନ୍ତି ପାଇଁ ମୋ ସରକାର ଉଦ୍ୟମ କରୁଛି । ଏଥିସହ ଉତ୍ତର-ଦକ୍ଷିଣ ଭାରତରେ ବୁଲେଟ୍ ଟ୍ରେନ୍ ଚଳାଚଳ କରିବ । ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରିବାକୁ ବ୍ୟାପକ ଅଭିଯାନ ଚାଲିଛି । ବିଜୁଳି ବିଲ୍ ଜିରୋ କରିବାକୁ ବି ଯୋଜନା ଆସିଛି ବୋଲି କହିଛନ୍ତି ରାଷ୍ଟ୍ରପତି।

ଏହାରି ମଧ୍ୟରେ ୨୫ କୋଟି ଭାରତୀୟ ଗରିବୀରୁ ମୁକ୍ତ ହୋଇଛନ୍ତି । ମହିଳାଙ୍କୁ ଡ୍ରୋନ୍ ପାଇଲଟ କରିବାକୁ ଉଦ୍ୟମ କରାଯାଉଛି । ଏପଟେ ୧୯୭୫ରେ ଜରୁରୀ ସ୍ଥିତି ଲାଗୁ ଅସାମ୍ବିଧାନିକ ଥିଲା ବୋଲି କହିଛନ୍ତି ରାଷ୍ଟ୍ରପତି । ସେତେବେଳେ ସମ୍ବିଧାନ ପ୍ରତି ବିପଦ ଆସିଥିଲା । ଯାହା ଇତିହାସର କଳା ଅଧ୍ୟାୟ ଥିଲା । ଜରୁରୀ ସ୍ଥିତି ଲାଗୁ କରାଯାଇ ସାରା ଦେଶରେ ଭୟ ସୃଷ୍ଟି କରାଯାଇଥିଲା ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ପଢନ୍ତୁ ଏହି ଖବର: ଜୁନ୍ ୨୯ରୁ ଆରମ୍ଭ ହେବ ଅମରନାଥ ଯାତ୍ରା; ଜାଣନ୍ତୁ ଯାତ୍ରା ସମୟରେ କ’ଣ କରିବେ ଓ କ’ଣ କରିବେନି...