• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମହଙ୍ଗା ପଡ଼ିଲା ପ୍ରେମ ବିବାହ । ନବଦମ୍ପତିଙ୍କ ପ୍ରେମରେ କଣ୍ଟା ସାଜିଛନ୍ତି ଝିଅର ପରିବାର ଲୋକ । ଧର୍ମ ପରିବର୍ତ୍ତନ କରି ପ୍ରେମିକକୁ ବିବାହ କରିଥିବା ଯୁବତୀ ଏବେ ନିଜର ଓ ସ୍ୱାମୀର ଜୀବନ ଭିକ୍ଷା କରୁଛି । ଉତ୍ତର ପ୍ରଦେଶ ଆଗ୍ରାର ଜଣେ ମୁସଲମାନ ଯୁବତୀ ସୁଜୈନ୍‌ ହିନ୍ଦୁ ଧର୍ମ ଗ୍ରହଣ କରି ନିଜ ପ୍ରେମିକଙ୍କୁ ବିବାହ କରିଛନ୍ତି । ଏବେ ସେ ତାଙ୍କ ନାଁ ମଧ୍ୟ ପରିବର୍ତ୍ତନ କରିଛନ୍ତି । ହେଲେ ବିବାହ ପରେ ସୁନାର ସଂସାର ଗଢ଼ିବା ପାଇଁ ସ୍ୱପ୍ନ ଦେଖୁଥିବା ପ୍ରେମୀଯୁଗଳ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି । ଉଭୟଙ୍କ ପଛରେ ସୁଜୈନଙ୍କ ପରିବାର ଲୋକ ପଡ଼ିଯାଇଛନ୍ତି । ଏଥିପାଇଁ ସୋସିଆଲ ମିଡିଆରେ ଏକ ଭିଡିଓ କରି ନିଜ ସୁରକ୍ଷା ପାଇଁ ଗୁହାରୀ କରିଛନ୍ତି ।

ସେପ୍ଟେମ୍ବର ୩ରେ ସୁଜୈନ୍‌ ପ୍ରେମିକ ଦୀପକଙ୍କ ସହ ଘରୁ ଚାଲିଯାଇଥିଲେ । ଝିଅ ଅନେକ ସମୟ ଧରି ଘରକୁ ନଫେରିବା ପରେ ସୁଜୈନଙ୍କ ସମ୍ପର୍କୀୟମାନେ ତାଙ୍କ ପ୍ରେମିକ ଦୀପକଙ୍କ ବିରୋଧରେ ଶାହଗଞ୍ଜ ପୋଲିସ୍‌ ଷ୍ଟେସନରେ ଅଭିଯୋଗ କରିଛନ୍ତି । ଝିଅକୁ କେହି ଅପହରଣ କରିଥିବା ଏଫଆଇଆରରେ ଲେଖିଛନ୍ତି । ତେବେ ଥାନାକୁ ମାମଲା ଯିବାପରେ ସୁଜୈନ ଏବଂ ଦୀପକ ଅତ୍ୟନ୍ତ ଚିନ୍ତାରେ ଅଛନ୍ତି । ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରି ସୁରକ୍ଷା ଦିଆଯିବାକୁ ଉଭୟ ଅନୁରୋଧ କରିଛନ୍ତି।

ଭାଇରାଲ ଭିଡିଓରେ ଯୁବତୀ ଜଣକ କହୁଛନ୍ତି, ମୁଁ ଦେଢ଼ ବର୍ଷ ପୂର୍ବରୁ ହିଁ ହିନ୍ଦୁ ଧର୍ମ ଗ୍ରହଣ କରିଛି । ୪ ସେପ୍ଟେମ୍ବର ୨୦୨୦ରେ ମୁଁ ମୋର ନିଜ ଇଚ୍ଛା ଅନୁସାରେ ଆର୍ଯ୍ୟ ସମାଜ ମଣ୍ଡପରେ ଦୀପକଙ୍କୁ ବିବାହ କରିଛି । କିନ୍ତୁ ମୋ ପରିବାର ସଦସ୍ୟ ଦୀପକ ଏବଂ ମୋତେ ହତ୍ୟା କରିବାକୁ ଚାହୁଁଛନ୍ତି । ଏକ ମିଥ୍ୟା ମାମଲାରେ ଫସାଇ ଦୀପକଙ୍କୁ ଜେଲ ପଠାଇବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି । ମୋତେ, ଦୀପକ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ସୁରକ୍ଷା ଦେବାକୁ ମୁଁ ଆଗ୍ରା ପୋଲିସ ପ୍ରଶାସନକୁ ଅନୁରୋଧ କରୁଛି ।

ଯୁବତୀ ଜଣକ ତାଙ୍କ ବାପାଙ୍କୁ ଅଧିକ ଭୟ କରନ୍ତି । ସୁଜୈନଙ୍କ ବାପା ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା ମଧ୍ୟ ଭିଡିଓରେ କହିଛନ୍ତି । ଅନ୍ୟପକ୍ଷରେ ଯୁବତୀଙ୍କ ବାପା ଓଲଟା ଅଭିଯୋଗ ଆଣିଛନ୍ତି । ଦୀପକ ତାଙ୍କ ଝିଅକୁ ପ୍ରଲୋଭିତ କରି ସାଙ୍ଗରେ ନେଇଯାଇଥିବା କହିଛନ୍ତି । ତାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ଶାହଗଞ୍ଜ ପୋଲିସ ଦୀପକଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି । ଏବେ ଏହି ମାମଲାର ତଦନ୍ତ ଆରମ୍ଭ ହୋଇଛି ।