• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ ପରେ ତତ୍ପର ହେଲେ ରାଜ୍ୟ ସରକାର । ଅଗ୍ନି ନିରାପତ୍ତା ନିୟମକୁ କଡ଼ାକଡ଼ି ଲାଗୁ ପାଇଁ ଅଗ୍ନିଶମ ଡିଜିଙ୍କ ଚିଠି । ହୋଟେଲ, ଲଜିଂ, ସିନେମା ହଲ୍ ଓ ଅତିଥି ଭବନ, ସରକାରୀ କୋଠା ଉପରେ ନଜର ରଖାଯିବ । ବଡ଼ବଡ଼ ଅଟ୍ଟାଳିକାରେ ଫାୟାର ସେଫ୍ଟି ସୁପରଭାଇଜର ନିଯୁକ୍ତି ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ଅଗ୍ନି ନିରାପତ୍ତା ପ୍ରମାଣପତ୍ର ନଥିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ସବୁ ସରକାରୀ କୋଠା, ହସ୍ପିଟାଲ, ଉଚ୍ଚ ବିଲ୍ଡିଂର ଅଡିଟ କରାଯିବ । ମେ’ ୨୧ ସୁଦ୍ଧା ବିଭାଗ ପାଖରେ ଅଡିଟ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ  ଦିଆଯାଇଛି । ସେହିଭଳି ଅଗ୍ନି ନିରାପତ୍ତା ତ୍ରୁଟି ଥିଲେ ୧୧୨ ଡାଏଲ କରି ସୂଚନା ଦେଇପାରିବେ ବୋଲି କହିଛନ୍ତି ଦିଲ୍ଲୀ ସରକାର ।

ଅନ୍ୟପଟେ ଦିଲ୍ଲୀ ମୁଣ୍ଡକା ଅଗ୍ନିକାଣ୍ଡରେ ଏବେ ବି ଅନେକ ଲୋକ ନିଖୋଜ ଅଛନ୍ତି । ନିଜ ଲୋକଙ୍କୁ ଖୋଜିବାକୁ ସମ୍ପର୍କୀୟ ମାନେ, ଏ ମେଡିକାଲ୍‌ରୁ ସେ ମେଡିକାଲ୍ ଦୌଡ଼ୁଛନ୍ତି । ନିଖୋଜ ହୋଇଥିବା ଅଧିକାଂଶ ଲୋକ ସେହି ଜଳିଯାଇଥିବା ବିଲ୍ଡିଂରେ କାମ କରୁଥିଲେ । ନିଆଁ ଲାଗିବା ପରେ ସେମାନେ କେଉଁଠି, ତାକୁ ନେଇ ପରିବାର ଲୋକଙ୍କ ଆଶା ଆଶଙ୍କା ବଢ଼ିଛି ।

ହସ୍ପିଟାଲ୍ ବାହାରେ ସମ୍ପର୍କୀୟମାନେ ନିଜ ଲୋକଙ୍କୁ ଖୋଜିବାକୁ ଭିଡ଼ ଜମାଇଛନ୍ତି । ସଞ୍ଜୟ ଗାନ୍ଧି ମେମୋରିଆଲ ହସ୍ପିଟାଲ୍‌ରେ ଏକ ହେଲପ୍ ଡେସ୍କ ଖୋଲା ଯାଇଛି । ମିଳିଥିବା ସୂଚନା ମୁତାବକ, ଅନେକ ମୃତକଙ୍କ ପରିଚୟ ମିଳିପାରିନି । ସେମାନଙ୍କ ଡିଏନ୍ଏ ଟେଷ୍ଟ ପରେ ଏହା ସ୍ପଷ୍ଟ ହେବ । ତେଣୁ ଯେଉଁମାନଙ୍କ ଅଭିଯୋଗ ଆସିଛି, ସେମାନଙ୍କ ପାଇଁ ସ୍ୱତନ୍ତ୍ର ତାଲିକା ପ୍ରସ୍ତୁତ ହୋଇଛି । ଅନ୍ୟପଟେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଅନେକ ଲୋକ । ତେବେ ନିଆଁ ସିନା ଲିଭିଛି ହେଲେ ଏବେ ବି କୋଠା ଭିତରେ ଲୋକଙ୍କ ସନ୍ଧାନ ଜାରି ରହିଛି । NDRF ଟିମ୍ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନ ଜାରି ରଖିଛନ୍ତି ।

ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ନିଆଁ କେମିତି ଲାଗିଲା ସେ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଅନୁକମ୍ପାରାଶି ଓ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଘୋଷଣା କରିଛନ୍ତି କେଜ୍ରିୱାଲ । ଗତକାଲି ଦିଲ୍ଲୀର ମୁଣ୍ଡକା ମେଟ୍ରୋ ଷ୍ଟେସନର ଏକ ବହୁତଳ କୋଠାରେ ନିଆଁ ଲାଗିଥିଲା ।

ଦ୍ୱିତୀୟ କୋଠାରେ ଏକ ଆଲୋଚନାଚକ୍ର ଚାଲିଥିଲା । କୁହାଯାଉଛି ସେଇଠୁ ହିଁ ନିଆଁ ଲାଗି ପୁରା କୋଠାକୁ ବ୍ୟାପିଥିଲା । ଏତେ ବଡ଼ ଅଗ୍ନିକାଣ୍ଡ କିପରି ଘଟିଲା ଓ ଅପରାହ୍ନରୁ ନିଆଁ ଲାଗିବା ପରେ ରାତି ଯାଏଁ ରେସ୍କ୍ୟୁ କାହିଁକି ସରିପାରିଲାନି ତାକୁ ନେଇ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ।