Advertisment

୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ୧୫ ବର୍ଷ, ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରତିରକ୍ଷା ମନ୍ତ୍ରୀ

୨୦୦୮ରେ ଆତଙ୍କବାଦୀଙ୍କ ଆକ୍ରମଣରେ ଥରି ଉଠିଥିଲା ଭାରତର ଅର୍ଥନୈତିକ ରାଜଧାନୀ ମୁମ୍ବାଇ। ମୁମ୍ବାଇର ତାଜ୍ ଏବଂ ଓବରାଇ ହୋଟେଲ, ଛତ୍ରପତି ଶିବାଜୀ ଟର୍ମିନସ୍, ନରିମନ୍ ହାଉସ୍ ଭଳି ପ୍ରମୁଖ ସ୍ଥାନରେ ୪ ଦିନ ଲୁଚିଛପି ଆକ୍ରମଣ କରିଥିଲେ ୧୦ ଜଣ ଆତଙ୍କବାଦୀ।

author-image
Prangyan Parimita
ଅଦ୍ୟତନ ହୋଇଛି
Mumbai terror attacks

Mumbai terror attacks

୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ପୂରିଛି ୧୫ ବର୍ଷ। ଆଜି ଏହି ଅବସରରେ ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ମୁମ୍ବାଇରେ ସହିଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ। ମହାରାଷ୍ଟ୍ର ରାଜ୍ୟପାଳ ରମେଶ ବୈଶ, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ ସହିଦଙ୍କୁ ପୁଷ୍ପାଞ୍ଜଳି ଦେଇ ସ୍ମୃତିଚାରଣ କରିଥିଲେ।

Advertisment

ସେଦିନ ଥିଲା ୨୬-୧୧-୨୦୦୮ । ଦେଶର ବାଣିଜ୍ୟିକ ରାଜଧାନୀ ମୁମ୍ବାଇରେ ଆତଙ୍କବାଦୀ ଖେଳିଥିଲେ ରକ୍ତର ହୋଲି, ରଚିଥିଲେ ସଂହାରଲୀଳା । ପାକିସ୍ତାନର ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବାର ୧୦ ଆତଙ୍କୀ ମୁମ୍ବାଇର ଛାତିରେ ଛିଡ଼ା ହୋଇ ପାଖାପାଖି ୪ ଦିନ ଧରି ୧୨ଟି ଭୟଙ୍କର ହମଲା କରିଥିଲେ । ମୁମ୍ବାଇ ରେଳ ଷ୍ଟେସନ୍ ଠାରୁ ଆରମ୍ଭ କରି ନରିମାନ ହାଉସ, ହୋଟେଲ ଓବରଏ, ହୋଟେଲ୍ ତାଜ ପ୍ୟାଲେସ, ଲିଓପୋଲ୍ଡ କାଫେ ସହ ଏକ ମେଡ଼ିକାଲରେ ଚାଲିଥିଲା ବର୍ବରତା ।

Advertisment

ଏହି ବର୍ବର ଆତଙ୍କୀଙ୍କ ଗୁଳିମାଡରେ ୧୬୪ରୁ ଅଧିକ ନିରୀହ ଜନତାଙ୍କ ମୃତ୍ୟୁ ହେବା ସହ ୩୦୮ରୁ ଅଧିକ ଆହତ ହୋଇଥିଲେ । ତେବେ ଏକମାତ୍ର ଆତଙ୍କୀ ଅଜମଲ କସବକୁ ଛାଡ଼ି ବାକି ସମସ୍ତ ଆତଙ୍କବାଦୀ ଭାରତୀୟ ସୁରକ୍ଷା କର୍ମୀଙ୍କ ଗୁଳିରେ ନିହତ ହୋଇଥିଲେ । ଏହି ଆତଙ୍କବାଦୀମାନଙ୍କୁ ସମୁଳେ ନିପାତ କରିବା ପାଇଁ ସୁରକ୍ଷା କର୍ମୀଙ୍କୁ ଲାଗିଥିଲା ୪ ଦିନ । ଶେଷରେ ୨୯ ନଭେମ୍ବର ୨୦୦୮ରେ ଶେଷ ହୋଇଥିଲା ଅପରେସନ୍ ବ୍ଲାକ ଟର୍ଣ୍ଣାଡୋ । ସମଗ୍ର ବିଶ୍ୱରେ ଏହି ଆକ୍ରମଣକୁ ନିନ୍ଦା କରାଯାଇଥିଲା । ଏହି ଆକ୍ରମଣ ପୂର୍ବରୁ ପାକିସ୍ତାନ ସହ ଭାରତର ତିକ୍ତ ସମ୍ପର୍କ ରହିଥିଲା। ହେଲେ ୨୬/୧୧ ଘଟଣା ପରେ ଭାରତ ସରକାର ଆତଙ୍କବାଦୀ ବିରୋଧୀ ଅଭିଯାନକୁ ଆହୁରି ଜୋରଦାର୍ କରିଥିଲେ ।

ଏହି ଆତଙ୍କବାଦୀ ଆକ୍ରମଣରେ ଯେଉଁମାନଙ୍କର ପରିବାର ଉଜୁଡ଼ିଗଲା, ଯେଉଁମାନଙ୍କ ଆଖି ଆଗରେ ନିଜ ସଂପର୍କୀୟ ହଜିଗଲେ, ଯେଉଁମାନେ କର୍ତ୍ତବ୍ୟ ପାଳନ କରୁଥିବା ବେଳେ ଆତଙ୍କବାଦୀଙ୍କୁ ସାମ୍ନା କରୁଥିଲେ, ସେମାନଙ୍କ କାନରେ ଏବେ ବି ଶୁଭୁଛି ସେହି ଗୁଳି ଶବ୍ଦ, ସେହି କାନ୍ଦବୋବାଳିର ଶବ୍ଦ । ଆଉ ସେ ରାତିକୁ ଭୁଲିବା ବି ସମ୍ଭବ ନୁହେଁ ପ୍ରତ୍ୟେକ୍ଷଦର୍ଶୀଙ୍କ ପକ୍ଷରେ ।

ସୁରକ୍ଷା ବାହିନୀଙ୍କ ହାତରେ ଧରାପଡ଼ିଥିବା ଆତଙ୍କୀ କସାବ ଫାଶୀ ଖୁଣ୍ଟରେ ଝୁଲିଛି । ହେଲେ ପୂରା ଘଟଣାର ମାଷ୍ଟର ମାଇଣ୍ଡ ପାକିସ୍ତାନ ନାଗରିକ ତଥା ଲସ୍କର-ଇ ତୋଏବାର ମୁଖ୍ୟ ଜାକିଉର ରେହମନ୍ ଲକଭି କିନ୍ତୁ ଏଯାଏଁ ଖୁଲମଖୁଲ୍ଲା ବୁଲୁଛି । ଭାରତ ପକ୍ଷରୁ ଯେତେ ଚାପ ପଡ଼ିଲେ ମଧ୍ୟ ପାକିସ୍ତାନ ସରକାର ତାପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନେଲେନାହିଁ । ତେବେ ବର୍ଷ ପରେ ବର୍ଷ ଗଡ଼ୁଛି ସତ କିନ୍ତୁ ସେ ଦିନର ଘଟଣା ଏବେ ବି ସତେଜ୍ ରହିଛି।

Mumbai Terror Attack
Advertisment
Advertisment