• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଉରକେଲା: ମୁମ୍ବାଇ କ୍ରୁଜ୍‌ ପାର୍ଟିରୁ ଗିରଫ ହୋଇଥିବା ରାଉରକେଲାର ମନୀଷ ରାଜଘରିଆ ଜାମିନ ପାଇବା ପରେ ଓଡ଼ିଶା ଫେରିଛନ୍ତି । ସେ ଓଟିଭିକୁ ସାକ୍ଷାତକାର ଦେଇ କହିଛନ୍ତି ଯେ, ତାଙ୍କୁ ସେଠାରେ ଟ୍ରାପ୍‌ କରାଯାଇଥିଲା, ଜାଣିଶୁଣି ଫସାଯାଇଥିଲା । ମନୀଷ ରାଜଘରିଆଙ୍କ କହିବାନୁଯାୟୀ ‘କୋଭିଡ ପରେ ରିଲାକ୍ସ ହେବା ପାଇଁ କ୍ରୁଜ୍‌ରେ ଅନ୍‌ଲାଇନରେ ରୁମ୍‌ ବୁକ୍‌ କରୁଥିଲେ । ୭ ଜଣ ସାଙ୍ଗ ପ୍ରାୟ ୬ ଲକ୍ଷ ଟଙ୍କା ସେଥିପାଇଁ ଖର୍ଚ୍ଚ କରିଥିଲେ । ସେଠାରେ କ୍ରୁଜ୍‌ ଅଫିସର ତଥା ସିକ୍ୟୁରିଟି ମାନଙ୍କ ସହ ତାଙ୍କର ବଚସା ହୋଇଥିଲା । କାରଣ ରୁମ୍‌ର ଏସି ଚାଲୁନଥିଲା କିମ୍ବା ରୁମ୍‌ ସଫାସୁତୁରା ନଥିଲା । ପ୍ରାୟ ୩-୪ ଘଣ୍ଟା ପରେ ତାଙ୍କୁ ରୁମ୍‌ ଚେକ୍‌ ଇନ୍‌ ପାଇଁ ଦିଆଗଲା । ଏଥିରେ ସେମାନେ ବ୍ୟତିବ୍ୟସ୍ତ ହୋଇ କ୍ରୁଜ୍‌ ଷ୍ଟାଫ୍‌ମାନଙ୍କ ସହ ଯୁକ୍ତିତର୍କ କରିଥିଲା । ଖାଲି ସେତିକି ନୁହେଁ ସେହି ଯୁକ୍ତିତର୍କ ହାତାହାତି ପର୍ଯ୍ୟନ୍ତ ବି ଯାଇଥିଲା । ଏହି ସମସ୍ତ ଘଟଣା ରବିବାର ସେଇଠି ହିଁ ସରିଥିଲା ।

ହେଲେ ତା’ପର ଦିନ ହଠାତ୍‌ କ୍ରୁଜ୍‌ରେ ଏନ୍‌ସିବି ଟିମ୍‌ ରେଡ୍‌ କଲା । ସମୀର ୱାଙ୍ଖଡ଼େ ମଧ୍ୟ ସେହି ଟିମ୍‌ରେ ଥିଲେ । ହଠାତ୍‌ ଜଣେ ସିକ୍ୟୁରିଟି ଗାର୍ଡ (ଗଜାନନ ପାଟିଲ୍‌) ଏନ୍‌ସିବିକୁ ନେଇ ଏକ ଗଞ୍ଜେଇ ପ୍ୟାକେଟ୍‌ ଦେଲେ । ଆଉ କହିଲେ ସେହି ପ୍ୟାକେଟ୍‌ କୁଆଡ଼େ ମନୀଷ ରାଜଘରିଆ ଓ ତାଙ୍କ ସାଙ୍ଗ ମାନଙ୍କଠାରୁ ଜବତ ହୋଇଛି । ସେମାନେ ଏହି ନିଶା କାରବାର କରୁଥିବା ବେଳେ ଉକ୍ତ ସିକ୍ୟୁରିଟି ଗାର୍ଡ ଦେଖିଛନ୍ତି । ଯାହାକି ସମ୍ପୂର୍ଣ୍ଣ ମିଥ୍ୟା ଥିଲା ବୋଲି କହିଛନ୍ତି ମନୀଷ ।

ମନୀଷ ଆହୁରି କହିଛନ୍ତି, ସେ କାହିଁକି ମିଛ କହି ଆମକୁ ଫସାଇଲେ ଆମେ ଜାଣୁନା । ଆମକୁ ଫସାଇଥିବା ବ୍ୟକ୍ତି ହେଉଛନ୍ତି ଗଜାନନ ପାଟିଲ୍ । ମୁଁ ତାଙ୍କ ବିରୋଧରେ ନିଶ୍ଚିତ କୋର୍ଟକୁ ଯିବି ।

ଏନ୍‌ସିବି ଗଜାନନ୍‌ଙ୍କଠାରୁ ପ୍ୟାକେଟ୍‌ ପାଇବା ପରେ, ତାଙ୍କ କଥାକୁ ବିଶ୍ୱାସ କରି ଆମକୁ ଗିରଫ କରିଥିଲା । ହେଲେ ପରେ ଏନ୍‌ସିବି ଜାଣିବାକୁ ପାଇଲା ଯେ, ଆମ ନାଁରେ ଥିବା ସମସ୍ତ ଅଭିଯୋଗ ମିଥ୍ୟା । ସେହି ପ୍ୟାକେଟ୍‌ ସହ ଆମର କୌଣସି ଲେନ୍‌ଦେନ୍‌ ନାହିଁ । ଆଉ ଆମକୁ ବେଲ୍‌ ମିଳିଗଲା ।

ତେବେ ଏନ୍‌ସିବି ମନୀଷ ଓ ତାଙ୍କ ସାଙ୍ଗମାନଙ୍କ ସହ କୌଣସି ଖରାପ ବ୍ୟବହାର କରିନାହାନ୍ତି । କିମ୍ବା ହାଜତରେ ବି ରଖିନାହାନ୍ତି । ପୂରା ଏନ୍‌ସିବି ଟିମ୍‌ ତାଙ୍କ ସହ ଭଲ ବ୍ୟବହାର କରିଛନ୍ତି । ଆଉ ସେହି ଠାରେ ହିଁ ଆର୍ୟନ୍‌ଙ୍କ ସହ ପ୍ରଥମ ଥର ପାଇଁ ତାଙ୍କର ଦେଖା ହୋଇଥିଲା । ପାଖାପାଖି ୭ ଦିନ ସେମାନେ ଏକାଠି ଥିଲେ । ସେଠାରେ ହିଁ ବନ୍ଧୁତ୍ୱ ହୋଇଥିଲା ।