ମୁମ୍ୱାଇ ବୋଟ୍ ଟ୍ରାଜେଡି
ମୁମ୍ବାଇ ଘଟଣା ଥିଲା ହୃଦୟ ବିଦାରକ । ଯେତେବେଳେ ଗେଟୱେ ଅଫ୍ ଇଣ୍ଡିଆରୁ ଏଲିଫାଣ୍ଟା ଦ୍ୱୀପକୁ ଯାଉଥିବା ଏକ ଘରୋଇ ବୋଟ୍ ନୌବାହିନୀ ଜାହାଜ ସହ ଦୁର୍ଘଟଣାଗ୍ରସ୍ତ ହୋଇ ବୁଡିବା ଆରମ୍ଭ କରିଥିଲା, ସେତେବେଳେ ବୋଟରେ ଥିବା ବାପାମାଆମାନେ ବିକଳରେ ସେମାନଙ୍କ ଛୋଟ ଛୋଟ ପିଲାଙ୍କୁ ସମୁଦ୍ରକୁ ଫିଙ୍ଗିବା କଥା ଭାବୁଥିଲେ । କେହି କେହି ହାତରେ ପିଲାଙ୍କୁ ଟେକି ଧରି ଭଗବାନଙ୍କୁ ଡାକୁଥିଲେ । କେହି କେହି ବୋଟ୍ ଦାଢରେ ପିଲାଙ୍କୁ ଝୁଲାଇ ରଖିଥିଲେ । କେହି କେହି ସମୁଦ୍ରକୁ ଫିଙ୍ଗିବାକୁ ଉଦ୍ୟତ ହେଉଥିଲେ, କାଳେ ଜୀବନ ବଞ୍ଚିଯିବ । ସମସ୍ତେ ଭୟରେ ଚିତ୍କାର କରୁଥିଲେ । ଠିକ୍ ସେହି ସମୟରେ ଦୁର୍ଘଟଣାସ୍ଥଳରେ ଦେବଦୂତ ସାଜି ପହଞ୍ଚିଥିଲେ CISF କନଷ୍ଚେବଲ୍ ଅମୋଲ୍ ସାୱନ୍ତ ଓ ତାଙ୍କର ଦୁଇ ଜଣ ସହକର୍ମୀ । ସିଆଇଏସଏଫର ଏହି ମେରାଇନ୍ କମାଣ୍ଡୋମାନେ ପହଞ୍ଚି ଆଶ୍ୱାସନା ଦେଇଥିଲେ, କାହାରିକୁ ପାଣିକୁ ଫିଙ୍ଗନାହିଁ । ସମସ୍ତଙ୍କୁ ଉଦ୍ଧାର କରାଯିବ ।
ବୁଡି ଯାଉଥିବା ଲୋକଙ୍କୁ ଭରସା ଦେଇ ସିଆଇଏସଏଫ୍ ଯବାନମାନେ ଆରମ୍ଭ କରିଥିଲେ ଉଦ୍ଧାର କାର୍ଯ୍ୟ । ସେମାନଙ୍କ ପାଟ୍ରୋଲ ବୋଟ୍ ଦୁର୍ଘଟଣାସ୍ଥଳ ଠାରୁ ୪ କିଲୋମିଟର ଦୂରରେ ଥିଲା । ତେଣୁ ସେମାନେ ପ୍ରଥମେ ସେଠାରେ ପହଞ୍ଚିବାରେ ସକ୍ଷମ ହୋଇଥିଲେ । ପହଞ୍ଚିବା ପରେ ସେମାନେ ଲୋକଙ୍କୁ ଭରସା ଦେଇ ପ୍ରଥମେ ପିଲାମାନଙ୍କୁ ଜଣକ ପରେ ଜଣକୁ ଉଦ୍ଧାର କରିଥିଲେ । ସମୁଦ୍ରରେ ପାଟ୍ରୋଲିଂ କରୁଥିବା ବେଳେ ୱାକି ଟକିରେ ଖବର ଆସିଥିଲା ଯେ, ଗୋଟିଏ ଯାତ୍ରୀବାହୀ ବୋଟ୍ ବୁଡିଯାଉଛି । ଆମେ ପ୍ରାୟ ୪ କିଲୋମିଟର ଦୂରରେ ଥିଲୁ । ଆମେ କାଳବିଳମ୍ୱ ନକରି ତୁରନ୍ତ ପହଞ୍ଚାଇବାକୁ ବୋଟ୍ ଡ୍ରାଇଭରକୁ କହିଥିଲୁ । ସେଠାରେ ସାଙ୍ଗେ ସାଙ୍ଗେ ପହଞ୍ଚି ଯାଇଥିଲୁ ବୋଲି କହିଛନ୍ତି ୩୬ ବର୍ଷୀୟ ଅମୋଲ୍ । ସେ ଘଟଣା ବିଷୟରେ କହିଛନ୍ତି ଯେ, ଦୁର୍ଘଟଣାସ୍ଥଳ ଦେଖି ଆମେ ଆଶ୍ଚର୍ଯ୍ୟ ହୋଇଯାଇଥିଲୁ । କିନ୍ତୁ ଜଣେ ତାଲିମପ୍ରାପ୍ତ ଯବାନ ଭାବେ ଧୈର୍ଯ୍ୟହରା ନହୋଇ ପରିସ୍ଥିତିକୁ ଆମ ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା କରିଥିଲୁ । ମୁମ୍ୱାଇ ଜବାହରଲାଲ ନେହରୁ ବନ୍ଦରର ସିଆଇଏସଏଫ୍ ୟୁନିଟରେ ଗାର୍ଡ ଭାବେ କାମ କରୁଥିବା ଅମୋଲ୍ ଏହା କହିଛନ୍ତି ।
ପ୍ରଥମେ ପ୍ରାୟ ୭ ଜଣ ପିଲାଙ୍କୁ ଉଦ୍ଧାର କରି ବୋଟକୁ ଆଣିଥିଲେ । ପରେ ମହିଳା ଓ ତା’ ପରେ ପୁରୁଷମାନଙ୍କୁ ଉଦ୍ଧାର କରିଥିଲେ ବୋଲି ସେ କହିଛନ୍ତି । ସେହି ସମୟରେ ସମସ୍ତେ ଚିତ୍କାର କରିବା ସହ ସେମାନଙ୍କୁ ପ୍ରଥମେ ଉଦ୍ଧାର କରିବା ପାଇଁ ହାତ ବଢାଉଥିଲେ । ଅନୁରୋଧ ବି କରୁଥିଲେ, ଆମକୁ ଆଗ ଉଦ୍ଧାର କର । ପ୍ରାୟ ୫୦-୬୦ ଜଣଙ୍କୁ ସେମାନେ ଉଦ୍ଧାର କରାଯାଇଥିବା କହିଛନ୍ତି ଅମୋଲ୍ । ଏହି ଉଦ୍ଧାର କାର୍ଯ୍ୟ ଚାଲିଥିଲା ବେଳେ ସିଆଇଏସଏଫର ଦ୍ୱିତୀୟ ୟୁନିଟ୍ ସେଠାରେ ପହଞ୍ଚିଥିଲା ।
ଅଧିକ ପଢନ୍ତୁ: ମୁମ୍ବାଇ ବୋଟ୍ ବୁଡ଼ି ଘଟଣା, ଉଦ୍ଧାର ହେଲେଣି ୧୧୫; ୧୩ ମୃତ
ଏହା ପରେ ଉଦ୍ଧାର କାର୍ଯ୍ୟ ଆହୁରି ତ୍ୱରାନ୍ୱିତ ହୋଇଥିଲା । ଉଦ୍ଧାର କାର୍ଯ୍ୟରେ ସାମିଲ୍ ହୋଇଥିବା ଅନ୍ୟ ଜଣେ କର୍ମଚାରୀ କହିଛନ୍ତି ଯେ, ଆମେ ଦେଖିଲୁ ପାଣିରେ ଭାସୁଥିବା ଜଣେ ମହିଳା ଲାଇଫ୍ ଜ୍ୟାକେଟ୍ ପିନ୍ଧିଛନ୍ତି । କିନ୍ତୁ ତାଙ୍କୁ ଉଦ୍ଧାର କରାଯିବା ପାଇଁ ସେ ହାତ ଟେକି ଡାକୁଛନ୍ତି । ଆମେ ତାଙ୍କ ପାଖକୁ ଯାଇ କହିଲୁ, ତୁମେ ଆଗ ହାତ ତଳକୁ କର । ହାତ ଟେକିଲେ ଯଦି ଲାଇଫ୍ ଜ୍ୟାକେଟ୍ ବାହାରିଯିବ, ତେବେ ତୁମେ ବୁଡ଼ିବା ଆରମ୍ଭ କରିବ । ସେ ମହିଳାଜଣକ ବଞ୍ଚିଗଲେ । ଉଦ୍ଧାର ପରେ ପାଣି ପିଇଦେଇଥିବା ଲୋକଙ୍କ ଛାତିରେ ଚାପ ଦିଆଯାଇ ପମ୍ପିଂ କରାଯାଇଥିଲା ।
ବୁଡି ଯାଉଥିବା ଲୋକଙ୍କୁ ଉଦ୍ଧାର କରାଯିବା ପରେ ପ୍ରାୟ ୩୦୦ ମିଟର ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ । ସିଆଇଏସଏଫ୍ ଟିମ୍ ସେଠାରୁ ଅନେକ ଲାଇଫ୍ ଜ୍ୟାକେଟ, ବ୍ୟାଗ ଓ ଲୋକଙ୍କର ଅନ୍ୟାନ୍ୟ ଜିନିଷ ପାଣିରୁ ଛାଣି ଆଣିଥିଲେ ।
ପାଣିରୁ ଜୀବନକୁ ଛାଣି ଆଣିଥିବାଏହି ଯବାନମାନଙ୍କ ପାଇଁ ସିଆଇଏସଏଫ୍ ଗର୍ବ ଅନୁଭବ କରିଛି । ସିଆଇଏସଏଫର ମୁଖ୍ୟ ମୁଖପାତ୍ର ତଥା ଡିଆଇଜି ଦୀପକ ବର୍ମା କହିଛନ୍ତି ଯେ, ସମୁଦ୍ରରେ ଯେ କୌଣସି ପରିସ୍ଥିତିର ମୁକାବିଲା କରିବାକୁ ଆମର ଯବାନମାନେ ସକ୍ଷମ । ସେମାନଙ୍କୁ ସେହି ଅନୁସାରେ ତାଲିମ ଦିଆଯାଇଛି । ଏପରିକି ସମୁଦ୍ରରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ମଧ୍ୟ ଏମାନେ ପ୍ରତିହତ କରିପାରିବେ । ବଡ କଥା ହେଉଛି, ଏହି ଯବାନମାନେ ଓଡିଶାର ଚିଲିକା ହ୍ରଦରେ ସ୍ୱତନ୍ତ୍ର ଭାବେ ତାଲିମ ପାଇଛନ୍ତି । ସେମାନଙ୍କ ପାଇଁ ବିଭାଗ ଗର୍ବ ଅନୁଭବ କରୁଥିବା ସେ କହିଛନ୍ତି । ଏହି ଯବାନମାନଙ୍କୁ ଜୀବନ ରକ୍ଷା ପଦକ ଦିଆଯିବା ପାଇଁ ସୁପାରିସ କରାଯିବା ସହ ସେମାନଙ୍କ ସର୍ଭିସ ରେକର୍ଡରେ ଏହା ଉଲ୍ଲେଖ କରାଯିବ ବୋଲି ସେ କହିଛନ୍ତି । ଲୋକଙ୍କୁ ଉଦ୍ଧାର କରିଥିବା ସିଆଇଏସଏଫ୍ ଯବାନମାନେ ବନ୍ଦରର ସୁରକ୍ଷା ଗାର୍ଡ ଭାବେ କାମ କରନ୍ତି । ଏହି ଦୁର୍ଘଟଣାସ୍ଥଳ ସେମାନଙ୍କ ପାଟ୍ରୋଲିଂର ସୀମା ବାହାରେ ଥିଲା । କିନ୍ତୁ ସେମାନେ ନିଜର କର୍ତ୍ତବ୍ୟ ପରାୟଣତା ଓ ପେସାଦାର ଆଭିମୁଖ୍ୟର ପରିଚୟ ଦେଇଛନ୍ତି । ଏହି ବୋଟ୍ ଟ୍ରାଜେଡିରେ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ନିଖୋଜ ଅଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1734774938.jpg)