• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏବେ ସାରା ଦେଶରେ ନୂଆ ସଂସଦ ଭବନକୁ ନେଇ ଖୁବ୍‌ ଚର୍ଚ୍ଚା । କାରଣ ଏହାର ନିର୍ମାଣ ଓ ବିଶେଷତ୍ୱ ଅତ୍ୟନ୍ତ ଆକର୍ଷଣୀୟ ଓ ଅଦ୍ଭୁତ । ଏହା ତ୍ରିକୋଣାକାର ବିଶିଷ୍ଟ କରାଯାଇଥିବା ବେଳେ ଏହା ପୁରୁଣା ସଂସଦ ଭବନଠାରୁ ଅନେକ ଗୁଣରେ ବଡ଼ ଓ ଭବ୍ୟ । ତେବେ ସବୁଠାରୁ ବଡ଼ କଥା ହେଲା ଏହି ନୂଆ ସଂସଦ ଭବନରେ ବିରୋଧୀ କରିପାରିବେନି ହଟ୍ଟଗୋଳ । ଛୁଇଁ ପାରିବେନି ବାଚସ୍ପତିଙ୍କ ପୋଡ଼ିୟମ । କିମ୍ବା ସରକାରଙ୍କୁ ଘେରିବାକୁ ଯାଇ ତଥା ହଙ୍ଗାମା କରିବାକୁ ପହଞ୍ଚିପାରିବେନି ପୋଡ଼ିୟମ ପାଖରେ ।

କାରଣ ଏହି ନୂଆ ସଂସଦ ଭବନରେ ବାଚସ୍ପପତି ପୋଡ଼ିୟମକୁ ଖୁବ୍‌ ଉଚ୍ଚରେ ରଖାଯାଇଛି । ଅନ୍ୟପଟେ ଯଦି ବିରୋଧୀ ହଟ୍ଟଗୋଳ କରନ୍ତି ତେବେ ତାହା କ୍ୟାମେରାରେ ଦେଖାନଯିବ ନାହିଁ । କାରଣ ବିରୋଧୀ ଯେଉଁ ସ୍ଥାନକୁ ଆସି ହଙ୍ଗାମା କରିଥାନ୍ତି ସେହି ସ୍ଥାନକୁ ପୂର୍ବ ସଂସଦ ଭବନ ତୁଳନାରେ ଏକ ଫୁଟ୍‌ ଖାଲୁଆ କରାଯାଇଛି । ଫଳରେ ତାହା କ୍ୟାମେରାରେ କଏଦ ହୋଇପାରିବ ନାହିଁ ।

ତେବେ ଦେଶର ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡ଼ିଛି ନୂଆ ସଂସଦ ଭବନ । ଏହା କୋଟି କୋଟି ଭାରତୀୟଙ୍କ ଆଶା ଓ ଆକାଂକ୍ଷାର ପ୍ରତୀକ । ବୈଦିକ ରିତି ନୀତିରେ ପୂଜାର୍ଚ୍ଚନା ତଥା ହୋମ ଯଜ୍ଞ କରି ଏହାର ଗୃହପ୍ରବେଶ କରିଥିଲେ ପ୍ରଧାନମନ୍ତ୍ରୀ । ଏଥିରେ ମନ୍ତ୍ରୀମାନଙ୍କ ପାଇଁ ୯୨ଟି କାର୍ଯ୍ୟାଳୟ ନିର୍ମାଣ କରାଯାଇଛି । ଏହାସହ ଏହାକୁ ସମ୍ପୂର୍ଣ୍ଣରୁପେ ଡିଜିଟାଲାଇଜ୍‌ କରାଯାଇଛି। ଖାଲି ସେତିକି ନୁହେଁ ଏହି ନୂଆ ସଂସଦ ଭବନରେ ଅଧିକାଂଶ କାର୍ଯ୍ୟ ପେପର ଲେସ୍‌ ରହିବ ବୋଲି ମଧ୍ୟ ନିଷ୍ପତ୍ତି ହୋଇଛି ।

ପାଖାପାଖି ପ୍ରାୟ ୧୨୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥାଇପାରେ । କିନ୍ତୁ ସରକାରୀ ସ୍ତରରେ କୌଣସି ପ୍ରକାର ଘୋଷଣା କରାଯାଇନାହିଁ । ମାତ୍ର ଅଢେଇ ବର୍ଷରେ ଏହାର ନିର୍ମାଣ ଶେଷ କରିଛି ଟାଟା ପ୍ରୋଜେକ୍ଟସ ଲିମିଟେଡ୍।

ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ହୋଇଥିବା ଏହି ନୂଆ ସଂସଦ ଭବନ ୬୪ ହଜାର ୫ଶହ ବର୍ଗମିଟର କ୍ଷେତ୍ରରେ ନିର୍ମିତ । ଏଥିରେ ୮୮୮ସିଟ୍‌ ରହିଛି । ଏହାର ସେଣ୍ଟ୍ରାଲ ହଲ୍‌ ଉଭୟ ରାଜ୍ୟସଭା ଓ ଲୋକସଭାର ବିଭିନ୍ନ ବୈଠକ ପାଇଁ ବ୍ୟବହାର କରାଯାଇ ପାରିବ । ଏଥିରେ ୧୨୭୨ ଜଣ ଏକକାଳିନ ବସିପାରିବେ। ନୂଆ ସଂସଦ ଭବନରେ ପ୍ରତିଟି ସାଂସଦଙ୍କ ସିଟ୍‌ରେ ରହିଛି ମଲ୍ଟିମିଡିଆ ଡିସପ୍ଲେ। ଯୋଗାଯୋଗ ପାଇଁ ରହିଛି ଅତ୍ୟାଧୁନିକ ବ୍ୟବସ୍ଥା।

ନୂଆ ସଂସଦ ଭବନକୁ ବାସ୍ତୁଶାସ୍ତ୍ର ଅନୁସାରେ ତ୍ରିକୋଣାକାର କରାଯାଇଛି । ଅନ୍ୟପଟେ ଏହାର ଭୁଖଣ୍ଡ ବି ତ୍ରିକୋଣାକାର ବିଶିଷ୍ଟ ରହିଛି । ପ୍ରାୟ ୬୦ ହଜାର ଶ୍ରମିକ ଏହାର ନିର୍ମାଣ କାର୍ଯ୍ୟରେ ଲାଗିଥିଲେ । ସଂସଦ ଭବନ ଉପରେ ଶୋଭା ପାଉଛି ୧୦ ହଜାର କିଲୋଗ୍ରାମର ସୁଦୃଶ୍ୟ ରାଷ୍ଟ୍ରୀୟ ପ୍ରତୀକ- ଅଶୋକ ସ୍ତମ୍ଭ।

୪ ମହଲା ବିଶିଷ୍ଟ ନୂତନ ସଂସଦ ଭବନରେ ରହିଛି ୩ଟି ପ୍ରବେଶ ପଥ । ଯାହାର ନାଁ ରଖାଯାଇଛି ଜ୍ଞାନ ଦ୍ୱାର, ଶକ୍ତି ଦ୍ୱାର ଓ କର୍ମ ଦ୍ୱାର । ଏହାରେ ଲୋକସଭାରେ ୮୮୮ ସିଟ୍ ଥିବାବେଳେ, ରାଜ୍ୟସଭାରେ ରହିଛି ୩୮୪ ସିଟ୍ । ପୁରୁଣା ପାର୍ଲାମେଣ୍ଟ ଠାରୁ ନୂଆରେ ପ୍ରାୟ ୫ଶହ ସିଟ୍ ଅଧିକ ରହିଛି । ଜାତୀୟ ପକ୍ଷୀ ମୟୂର ଶୈଳୀରେ ଲୋକସଭା ନିର୍ମିତ ହୋଇଥିବାବେଳେ ଜାତୀୟ ପୁଷ୍ପ ପଦ୍ମ ଦ୍ୱାରା ପ୍ରେରିତ ହୋଇଛି ରାଜ୍ୟସଭା ।

OTV is now on Whatsapp

Join and get latest news update delivered to you via whatsapp

Join Now