• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୋପାଳ : ସଂକ୍ରମଣ ସମୟରେ ଦେଶରେ ଅଧିକ ଉତ୍କଟ ହୋଇଛି ବେକାରୀ ସମସ୍ୟା । ମହମାରୀ ଠାରୁ ଅଧିକ ଭୟଙ୍କର ଘରେ ବସି ରହିବା  । ଗ୍ୱାଲିଅର୍ ପରେ ମଧ୍ୟପ୍ରଦେଶର ଉଜ୍ଜୟନୀ ଓ ଶିବପୁରୀରେ ମାଳି, ପିଅନ୍, ଜଗୁଆଳି, ଡ୍ରାଇଭର ଏବଂ ସ୍ୱିପର ଚାକିରି ପାଇଁ ବେକାରୀ ଯୁବଗୋଷ୍ଠୀଙ୍କ ମେଳା ଲାଗିଥିଲା । ମାତ୍ର ୧୦ରୁ ୧୨ ପଦବୀ ପାଇଁ ହଜାର ହଜାର ଯୁବକ ଲାଇନ୍‌ରେ ଛିଡ଼ା ହୋଇଥିଲେ ।

ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ଦଶମ ପାସ୍ ଥିଲା, କିନ୍ତୁ ସ୍ନାତକ-ସ୍ନାତକୋତ୍ତର ମଧ୍ୟ ଏହି ଲାଇନରେ ଥିଲେ । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ସରକାର ନିଯୁକ୍ତି ଦେବାରେ କେତେ ଆଗୁଆ । ଆଉ ଏହାରି ଭିତରେ ପ୍ରତି ମାସରେ ରୋଜଗାର ଦିବସ ପାଳନ କରାଯିବ ବୋଲି କହିଛନ୍ତି ସରକାର ।

ଶିବପୁରୀ କୋର୍ଟରେ ଚତୁର୍ଥ ଶ୍ରେଣୀର ୨୦ଟି ପଦବୀ ପାଇଁ ଆବେଦନ କରିଛନ୍ତି ୬୦୦୮ ଜଣ । ଏଥିରେ ସ୍ନାତକ-ସ୍ନାତକୋତ୍ତର ପିଲାମାନେ ମଧ୍ୟ ସାମିଲ ଅଛନ୍ତି । ଘରେ ବେକାର ବସିବା ଅପେକ୍ଷା ପିଅନ୍ ହେବା ଭଲ ବୋଲି କହିଛନ୍ତି ଆବେଦନକାରୀ ।

ଚାକିରି ପାଇଁ ଧାଡିରେ ଛିଡ଼ା ହୋଇଥିବା ଦୀପକ ନିଜ ଦୁଃଖ ବଖାଣିଛନ୍ତି । ଗ୍ରାଜୁଏଟ୍ ହେବା ସହ ସେ ଆଇଟିଆଇ ମଧ୍ୟ କରିଛନ୍ତି । କିନ୍ତୁ ଯୋଗ୍ୟତା ଅଷ୍ଟମ ପାସ୍ ଥିବା ପଦବୀ ପାଇଁ ଆବେଦନ କରିଛନ୍ତି । ରାଜ୍ୟରେ ଚାକିରି ପାଇଁ ପ୍ରତିଯୋଗିତା ଅଧିକ ଥିବାରୁ ଭଲ ଚାକିରି ପାଇବାର କୌଣସି ସମ୍ଭବନା ନାହିଁ । ସେଥିପାଇଁ ଡ୍ରାଇଭର୍‌ ଚାକିରି ଖଣ୍ଡିଏ ମିଳିଲେ ବି ଯଥେଷ୍ଟ ବୋଲି ସେ କହିଛନ୍ତି ।

ଆବେଦନକାରୀ ଶିବମ ମଧ୍ୟ ସମାନ କଥା କହିଛନ୍ତି । ବେକାରୀ ସଂଖ୍ୟା ଅଧିକ ହୋଇନଥିଲେ ଭିଡ଼ ମଧ୍ୟ ଅଧିକ ହୋଇନଥାନ୍ତା । ୨୦୧୭ ପରଠାରୁ ମଧ୍ୟପ୍ରଦେଶରେ କୌଣସି ପଦବୀ ବାହାରି ନାହିଁ ବୋଲି ସେ କହିଛନ୍ତି ।

ସେହିପରି ଉଜ୍ଜୟନୀ କୋର୍ଟରେ ଖାଲି ଥିବା ୨୫ଟି ପଦବୀ ପାଇଁ ୯୫୦୦ ଜଣ ଆବେଦନ କରିଛନ୍ତି । ମାଳି, ପିଅନ୍ ଏବଂ ଡ୍ରାଇଭର ଭଳି ପଦବୀ ପାଇଁ ବେକାର ଯୁବକଯୁବତୀଙ୍କ ଲାଇନ୍ ଲାଗିଛି । ସେଠାରେ ଉପସ୍ଥିତ ଥିବା କୋର୍ଟ ମ୍ୟାନେଜର ଆନନ୍ଦ ପଦ୍ମାବତ ମେହେଟ୍ଟା କହିଛନ୍ତି, ୨୨ଟି ପିଅନ୍, ୩ଟି ଡ୍ରାଇଭର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥିପାଇଁ ୯୫୦୦ ଆବେଦନ ଗ୍ରହଣ କରାଯାଇଛି । ଏତେ ସଂଖ୍ୟକ ପିଲା ଆବେଦନ କରିଥିବାରୁ ନିଯୁକ୍ତି ପ୍ରକ୍ରିୟା ପାଇଁ ୮ଟି ବୋର୍ଡ ପ୍ରସ୍ତୁତ କରାଯାଇଛି ।