/odishatv-khabar/media/post_attachments/uploadimage/library/16_9/16_9_0/IMAGE_1707648362.jpg)
haunted place village
ରହସ୍ୟମୟ ଗାଁ । ଅନେକ ବର୍ଷ ହେବ ଏଠାରେ ନାହିଁ ଜନବସତୀ । ଆପଣ ଭୂତ ପ୍ରେତ ଆଦିଙ୍କୁ ନେଇ ଅନେକ କଥା ଶୁଣିଥିବେ । କେହି ଏହାକୁ ମନର ଭ୍ରମ କହି ଏଡାଇ ଯାଉଥିବାବେଳେ ଆଉ କେହି ଏହା ସତ ବୋଲି ଦାବି କରନ୍ତି । କିନ୍ତୁ ଭାରତରେ ଏମିତି ଏକ ଗାଁ ରହିଛି, ଯାହା ନାଁ ଶୁଣିଲେ, ସମସ୍ତେ ମନାକରନ୍ତି ସେଠାକୁ ଯିବାକୁ । ଭାରତରେ ରହିଛି ଏଭଳି ଏକ ଗାଁଳ। ଆମେ କହୁଛୁ ରାଜସ୍ଥାନର କୁଳଧରା ଗାଁର କଥା। କୁହାଯାଏ ଯେ ଗତ କିଛି ବର୍ଷ ହେବ ଏହି ଗାଁ ଅଭିଶପ୍ତ ହୋଇ ପଡିରହିଛି। କୁଲଧରା ଗାଁର ଏହି ରହସ୍ୟ ପଛରେ ଲୁଚି ରହିଛି ଏକ ଐତିହାସିକ ଘଟଣା। ଏହି ଗାଁରେ ଗତ କିଛି ବର୍ଷ ହେବ ପକ୍ଷୀଟିଏ ବି ବସା ବାନ୍ଧି ନାହିଁ। ଗାଁର ଆଖପାଖ ଲୋକଙ୍କ କହିବା କଥା ଏଠାରେ ଅନେକ ପୈଶାଚିକ ଘଟଣା ଦେଖାଯାଏ। ଏହି କାରଣରୁ ଏଠାକୁ କେହି ବି ଯିବାକୁ ସାହସ କରନ୍ତି ନାହିଁ। ଆଜି ଏହି ଗାଁ ସମ୍ପୂର୍ଣ୍ଣ ବନ୍ଧ୍ୟା ଓ ଜନଶୂନ୍ୟ ହୋଇ ପଡି ରହିଛି। ଜର୍ଜରିତ ଅବସ୍ଥାରେ ପଡି ରହିଥିବା ଏହାର ଧ୍ୱଂସାବଶେଷ ଆଜି ବି ସେହି ଘଟଣାର ସାକ୍ଷୀ ଦିଏ, ଯାହା ଏହି ସୁନ୍ଦର ଗାଁକୁ ଜନଶୂନ୍ୟ କରିଦେଇଛି। ଆଜି ଏହି ଗାଁ ଯେଉଁ ଅବସ୍ଥାରେ ପଡି ରହିଛି ତାହା ପୂର୍ବରୁ ନ ଥିଲା। ଏହି ଗାଁ ଦିନେ ସୁନ୍ଦରତାର କଥା କହୁଥିଲା। ଏଠିବି ଥିଲା ଜନବସତୀ ଓ ପକ୍ଷୀମାନଙ୍କ କାକଳୀ।
ଆଜକୁ ପ୍ରାୟ ୨୦୦ ବର୍ଷ ତଳେ କୁଲଧରା ଗାଁରେ ବହୁ ସଂଖ୍ୟାରେ ପଲିୱାଲ୍ ବ୍ରାହ୍ମଣ ବାସ କରୁଥିଲେ। ୧୮୨୫ରେ ହଠାତ ଏହି ଗାଁରୁ ସବୁ ଲୋକେ ଖାଲି ହୋଇଗଲେ। କୁହାଯାଏ ଗାଁକୁ ଖାଲି କରିବା ବେଳେ ଲୋକମାନେ ଅଭିଶାପ ଦେଇଥିଲେ। ଅଭିଶାପ ଥିଲା ଯେ ଯିଏ ବି ଏହି ଗାଁରେ ରହିବ ସେ ପୂରା ବର୍ବାଦ ହେଇଯିବ। ଏହି ଘଟଣା ପରଠାରୁ ଏହି ଗାଁ ଜନଶୂନ୍ୟ ହୋଇ ପଡିଛି। ତେବେ ଏମିତି କ’ଣ ହୋଇଥିଲା ଯେ ଯେତେବେଳେ ଏହି ବ୍ରାହ୍ମଣ ସମ୍ପ୍ରଦାୟ ଓ ଅନ୍ୟ ଲୋକମାନେ ଗାଁ ଛାଡିଲେ ଏଭଳି ଅଭିଶାପ ଦେଇଥିଲେ। ଏହା ଜାଣିବାକୁ ହେଲେ ଗାଁର ଇତିହାସକୁ ଜାଣିବାକୁ ହେବ।
୧୨୯୧ରେ ପଲିୱାଲ ବ୍ରାହ୍ମଣମାନେ ଏହି ଗାଁକୁ ବସେଇଥିଲେ। ଏହି ବ୍ରାହ୍ମଣ ଗୋଷ୍ଠୀ ପଲୀର ନିବାସୀ ଥିଲେ। ଏକାଦଶ ଶତାବ୍ଦୀରେ ସେମାନେ ପଲୀରୁ ବିସ୍ଥାପିତ ହୋଇ ରାଜସ୍ଥାନର ବିଭିନ୍ନ ସ୍ଥାନ ଯଥା ଯୋଧପୁର, ଜୈସଲପୁର, ସାଥଲମେର୍, ବିକାନେର୍ ଆଦି ଆସି ରହିବାକୁ ଲାଗିଲେ। ସେ ସମୟରେ କୁଲଧରା ବହୁତ ସମୃଦ୍ଧ ଗାଁ ଥିଲା। ଏଠାରେ ସବୁ ପ୍ରକାର ସୁଖ ସୁବିଧା ଉପଲବ୍ଧ ଥିଲା।
ଅଚାନକ ଏହି ଗାଁରେ ଏମିତି କିଛି ହେଲା ଯାହା ଦ୍ୱାରା ସବୁ କିଛି ବଦଳିଗଲା। ଏକ ସୂଚନା ଅନୁସାରେ ଏଠାର ରାଜକୁମାରଙ୍କ ଦେୱାନ ସାଲେମ୍ ସିଂହଙ୍କ ନଜର ଗାଁର ଏକ ବ୍ରାହ୍ମଣଙ୍କ କନ୍ୟା ଶକ୍ତି ମୈୟାଙ୍କ ଉପରେ ପଡିଲା। ସେ ତାଙ୍କୁ ବିବାହ କରିବାକୁ ଚାହିଁଲେ। କିନ୍ତୁ କନ୍ୟାଙ୍କ ପିତା ତାଙ୍କ ଝିଅଙ୍କୁ ଅନ୍ୟ କୌଣସି ସଂପ୍ରଦାୟ ସହିତ ବିବାହ କରିବାକୁ ଚାହୁଁ ନ ଥିଲେ। ଏଭଳି ପରିସ୍ଥିତିରେ ସାଲେମ୍ ସିଂହ ଗ୍ରାମବାସୀଙ୍କୁ ଧମକ ଦେଲେ ଯେ ଯଦି ସେ ଶକ୍ତି ମୈୟାଙ୍କୁ ବିବାହ ନ କରନ୍ତି ତେବେ ସେ ଗାଁକୁ ଧ୍ୱଂସ କରିଦେବେ। ଫଳରେ ଗ୍ରାମର ସବୁ ପଲିୱାଲ ବ୍ରାହ୍ମଣ ଏକ ପଞ୍ଚାୟତରେ ଠିକ କଲେ ଯେ ସେମାନେ ଗ୍ରାମ ଛାଡି ପଳେଇଯିବେ। ଏହାପରେ ସମସ୍ତ ବ୍ରାହ୍ମାଣ ରାତାରାତି ସେ ଗାଁ ଛାଡି ପଳେଇଗଲେ। ଯିବା ସମୟରେ ସେମାନେ ଅଭିଶାପ ଦେଇଗଲେ, ଯିଏବି ଏହି ଗାଁରେ ରହିବାକୁ ଚେଷ୍ଟା କରିବ ସେ ପୂରା ବର୍ବାଦ ହୋଇଯିବ।
ସେହିଭଳି ଆଉ ଏକ କଥାକୁ ଯଦି ବିଶ୍ୱାସ କରାଯାଏ ତେବେ ଗ୍ରାମବାସୀ ସାଲେମ୍ ସିଂହଙ୍କ ଦ୍ୱାରା ଅତ୍ୟଧିକ ମାତ୍ରାରେ କର ଦେବାକୁ ବାଧ୍ୟ ହେଉଥିବାରୁ ହଇରାଣ ହୋଇ ଗାଁ ଛାଡିବାକୁ ବାଧ୍ୟ ହୋଇଥିଲେ। ଏହି ରହସ୍ୟ ପଛରେ ଯେଉଁ ତୃତୀୟ କାରଣଟି ରହିଛି ତାହା ବୈଜ୍ଞାନିକ ସମ୍ମତ। କୁହାଯାଏ ଯେ ଗାଁର ଜଳସ୍ତର ନିମ୍ନକୁ ଖସିବା କାରଣରୁ ପଲିୱାଲ ବ୍ରାହ୍ମଣମାନେ ଏହି ଗାଁକୁ ଛାଡିଥିଲେ। କିନ୍ତୁ ଆଜି ବି ଅନେକ ଲୋକ କୁହନ୍ତି ଯେ ବ୍ରାହ୍ମଣଙ୍କ ଅଭିଶାପ ଯୋଗୁଁ ଆଜିବି ଏହି ଗାଁରେ ପୈଶାଚିକ ଘଟଣା ଘଟୁଥିବା ଦେଖାଯାଏ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)