• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା

  • ବାସହରା ହୋଇଗଲେ ଶହ ଶହ ଲୋକ

  • ଏକାଧିକ ରାସ୍ତାରେ ଭୂସ୍ଖଳନ ଯୋଗୁଁ ଗାଡ଼ି ଚଳାଚଳ ପ୍ରଭାବିତ

ଦାଉ ସାଧୁଛି ବର୍ଷା । ଲଗାଣ ବର୍ଷା ପରେ ଏବେ ଉତ୍ତର ଭାରତରେ ସୃଷ୍ଟି ହୋଇଛି ଧ୍ୱଂସର ଲୀଳା । ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ଲଗାଣ ବର୍ଷା ଯୋଗୁଁ ଶହ ଶହ ସଂଖ୍ୟାରେ ଘର ଭାଙ୍ଗିଛି । ଏକାଧିକ ରାସ୍ତାରେ ଭୂସ୍ଖଳନ ଯୋଗୁଁ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି । ଖାଲି ସେତିକି ନୁହେଁ କିଛି ଅଞ୍ଚଳରେ ଲୋକେ ନିଖୋଜ ହେବା ଖବର ବି ମିଳିଛି । ସେହିପରି ଦିଲ୍ଲୀରେ ବି କିଛି ଘଣ୍ଟାର ବର୍ଷା ସ୍ଥିତି ବିଗାଡ଼ି ଦେଇଛି ।

ଲଗାଣ ବର୍ଷା ପରେ ଉତ୍ତର ଭାରତରେ କେଉଁଠି ଘର ମାଟିରେ ମିଶି ଯାଇଛି ତ ଆଉ କେଉଁଠି ରାସ୍ତା ପାଣିରେ ଧୋଇ ଯାଇଛି । ବର୍ଷା ଯେ କେତେ କ୍ଷୟକ୍ଷତି କରିଛି ତାହା ଏସବୁ ଦେଖିଲେ ହିଁ ଅନୁମାନ କରି ହେଉଛି । ହିମାଚଳ ପ୍ରଦେଶର ଏକାଧିକ ଅଞ୍ଚଳରେ ଏବେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଧର୍ମଶାଳା ହେଉ କି କାଙ୍ଗ୍ରା ସବୁଠୁ ବର୍ଷା ଅନେକ କ୍ଷୟକ୍ଷତି କରିଛି । ଧର୍ମଶାଳାର ଏକାଧିକ ଅଞ୍ଚଳରେ ଏବେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛିା ପାହାଡ଼ି ଅଞ୍ଚଳରେ ରହୁଥିବା ଲୋକଙ୍କ ଘର ଧୋଇ ହୋଇଯାଇଛି । କିଛି ଲୋକେ ଜୀବନ ବଞ୍ଚାଇ ଘରୁ ବାହାରି ଆସିଛନ୍ତି ।

ନଦୀ ଏଠି ଗତିପଥ ବଦଳାଇ ଥିବାରୁ ଏହାକୁ ମୁକାବିଲା କରିବା ଏବେ ଚ୍ୟାଲେଞ୍ଜ ପାଲଟିଛି । କାଙ୍ଗ୍ରା, କୁଲୁରେ ବି ସମାନ ଅବସ୍ଥା । ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇ ଯାତାୟତ ପ୍ରଭାବିତ ହୋଇଛି । ପରିସ୍ଥିତି ଏପରି ହୋଇଛି ଯେ କାଙ୍ଗ୍ରାର ଆଖପାଖ ଅଞ୍ଚଳର ଲୋକଙ୍କୁ ଉଦ୍ଧାର କରାଯାଉଛି । କୁଲୁ ମୁଖ୍ୟ ରାସ୍ତାରେ କାର ମାଟି ଅତଡ଼ା ତଳେ ଫସି ଯିବାରୁ ପ୍ରାୟ ଘଣ୍ଟାଏରୁ ଅଧିକ ସମୟର ଅପରେସନ୍ ପରେ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

ଦୁଇ ଦିନର ବର୍ଷା ଫଳରେ କାଙ୍ଗ୍ରା ନିକଟ ଏକ ନାଳରେ କିଛି ଲୋକେ ଭାସି ଯାଇଥିଲେ । ଏନଡିଆରଏଫ ଟିମ୍ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଛି । ଉପରମୁଣ୍ଡରେ ବର୍ଷା ଯୋଗୁଁ ଉତ୍ତରାଖଣ୍ଡରେ ବିଗିଡ଼ିଛି ପରିସ୍ଥିତି । ଡେରାଡୁନର ଏକାଧିକ ନଦୀରେ ଜଳସ୍ତର ବଢ଼ିବା ଯୋଗୁଁ କିଛି ଲୋକ ପାଣି ଘେରରେ ଫସି ଯାଇଥିଲେ । ସ୍ଥାନୀୟ ପ୍ରଶାସନର ସହାୟତାରେ ଏମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବିଗିଡ଼ିଥିବା ପରିସ୍ଥିତିକୁ ନଜରରେ ରଖି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଆକାର୍ଶମାର୍ଗରୁ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପରେ ସବୁଠୁ ଅଧିକ ପ୍ରଭାବିତ କାଙ୍ଗ୍ରାକୁ ଯାଇ ଉଦ୍ଧାର କାର୍ଯ୍ୟର ତଦାରଖ କରିଛନ୍ତି ।

ସେପଟ ରାଜଧାନୀ ଦିଲ୍ଲୀରେ ବି ବର୍ଷା ବେହାଲ କରିଛି ପରିସ୍ଥିତି । ଗତକାଲି ଦିଲ୍ଲୀର ଏକାଧିକ ଅଞ୍ଚଳରେ ପାଣି ଜମି ରହିବା ଯୋଗୁଁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଲକଡାଉନ୍ କଟକଣା କୋହଳ ହେବା ପରେ ଉତ୍ତର ଭାରତର ଏକାଧିକ ରାଜ୍ୟକୁ ଏବେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିଛି । ଆଉ ଏଭଳି ପରିସ୍ଥିତିରେ ବର୍ଷା ନୂଆ ସମସ୍ୟା ସୃଷ୍ଟି କରିଛି ।