• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମଙ୍କିପକ୍ସ ନେଇ କେନ୍ଦ୍ରର ସତର୍କବାଣୀ । ମଙ୍କିପକ୍ସ ଭାଇରସକୁ ନେଇ ସତର୍କ ରହିବାକୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର । ଯେଉଁ ଯାତ୍ରୀମାନେ ବାହାର ଦେଶରୁ ଆସୁଛନ୍ତି ସମସ୍ତଙ୍କର ସ୍କ୍ରିନିଂ କରି ଛାଡ଼ିବା ସହ ଆବଶ୍ୟକ ପଡ଼ିଲେ ଆଇସୋଲେସନରେ ରଖିବା ପାଇଁ କୁହାଯାଇଛି । ଏ ନେଇ ରାଜ୍ୟ, ବିମାନବନ୍ଦର ଏବଂ ବନ୍ଦର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପରାମର୍ଶ ଦେଇଛି କେନ୍ଦ୍ର । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ବିଭାଗ ପକ୍ଷରୁ ବିମାନ ବନ୍ଦର ଏବଂ ବନ୍ଦର ମାଧ୍ୟମରେ ଭାରତରେ ପହଞ୍ଚୁଥିବା ଅନ୍ତର୍ଜାତୀୟ ଯାତ୍ରୀମାନଙ୍କର ସ୍ବାସ୍ଥ୍ୟ ସ୍କ୍ରିନିଂର କାଯର୍ଯ୍ୟକାରିତା ସମୀକ୍ଷା ପରେ ଏହି ପରାମର୍ଶ ଦିଆଯାଇଛି ।

ବାହାର ଦେଶରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ସ୍କ୍ରିନିଂକୁ ନିଶ୍ଚିତ କରିବା ପାଇଁ କୁହାଯାଇଛି । ଫଳରେ ଦେଶରେ ମଙ୍କିପକ୍ସ ସଂକ୍ରମଣର ସମ୍ଭାବନାକୁ କମ୍ କରାଯାଇ ପାରିବ । କେରଳରେ ମଙ୍କିପକ୍ସର ଦ୍ୱିତୀୟ ମାମଲା ସାମ୍ନାକୁ ଆସିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି କଡ଼ା ପଦକ୍ଷେପ ନିଆଯାଇଛି । ଗତ ଜୁଲାଇ ୧୩ ତାରିଖରେ କେରଳରେ ମଙ୍କିପକ୍ସର ପ୍ରଥମ ମାମଲା ସାମ୍ନାକୁ ଆସିଥିବା ବେଳେ ଏହାର ୫ ଦିନରେ କେରଳରେ ହିଁ ଗତକାଲି ମଙ୍କିପକ୍ସର ଦ୍ୱିତୀୟ ମାମଲା ସାମ୍ନାକୁ ଆସିଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ, ଚଳିତ ବର୍ଷ ଏବେ ସୁଦ୍ଧା ୬୦ଟି ଦେଶରେ ୬ହଜାରରୁ ଅଧିକ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହେଲେଣି ଏବଂ ଏଥିରେ ୩ ଜଣଙ୍କ ଜୀବନ ଗଲାଣି ।

ଆସନ୍ତୁ ଜାଣିବା ମଙ୍କିପକ୍ସ କଣ ?

ମଙ୍କିପକ୍ସ ଏକ ବସନ୍ତ ଜାତୀୟ ରୋଗ । ତେବେ ଏହା ମାରାତ୍ମକ ନୁହେଁ । ଏହା ସଂକ୍ରମିତ ଜୀବଙ୍କ ଠାରୁ ମଣିଷକୁ ବ୍ୟାପିଥାଏ । ତାଛଡ଼ା ଆକ୍ରାନ୍ତ ବ୍ୟକ୍ତିଙ୍କ ସଂକ୍ରମିତ ଚର୍ମ, ଘା, ନିଶ୍ୱାସରେ ନିର୍ଗତ ତରଳ କଣିକା ଆଦି ସଂସ୍ପର୍ଶରେ ଆସିଲେ ଏପରିକି ଶାରିରୀକ ସମ୍ପର୍କ ରଖିଲେ ମଧ୍ୟ ସୁସ୍ଥ ଲୋକଙ୍କୁ ବ୍ୟାପିବାର ଆଶଙ୍କା ରହିଛି । ମଙ୍କିପକ୍ସ ସଂକ୍ରମଣର ଲକ୍ଷଣ ଗୁଡ଼ିକ ହେଲା ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀ ପୀଡ଼ା, ପିଠି ବ୍ୟଥା, ହାଲିଆ ଲାଗିବା, ଲିମ୍ଫ୍ ନୋଡ୍ ବା ଗ୍ରନ୍ଥି ଫୁଲିଯିବା, ହାତ ଓ ମୁହଁରେ କୁଣ୍ଡିଆ ଦେଖାଦେବା ଇତ୍ୟାଦି । ମଙ୍କିପକ୍ସରେ ସଂକ୍ରମିତ ହେଲେ ରୋଗୀଙ୍କୁ ସୁସ୍ଥ ହେବାକୁ ୨-୩ ସପ୍ତାହ ସମୟ ଲାଗିଥାଏ ।