• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସ୍ୱାମୀଙ୍କ ମୃତ୍ୟୁ ପରେ ମା’ ହିଁ ପିଲାର ପ୍ରକୃତ ଅଭିଭାବକ । ସେ ଚାହିଁଲେ ପିଲାର ସାଙ୍ଗିଆ ପରିବର୍ତ୍ତନ ସହିତ ନିଜ ପାଖରେ ରଖିପାରିବେ । ଦ୍ୱିତୀୟ ବିବାହ କରୁଥିବା ମହିଳାମାନଙ୍କ ସପକ୍ଷରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ବାପାଙ୍କ ମୃତ୍ୟୁ ପରେ ମହିଳା ଅନ୍ୟକୁ ବିବାହ କଲେ ମଧ୍ୟ ଶିଶୁର ସାଙ୍ଗିଆ ସ୍ଥିର କରିବାର ଅଧିକାର ମା’ ପାଖରେ ରହିଛି । ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କରି ସର୍ବୋଚ୍ଚ ନ୍ୟାୟାଳୟ ଏପରି ନିଷ୍ପତ୍ତି ଶୁଣାଇଛନ୍ତି ।

ଜଣେ ମା'କୁ ନିଜ ପିଲାର ସାଙ୍ଗିଆ ବଦଳାଇବାଏବଂ ତାଙ୍କ ଦ୍ୱିତୀୟ ସ୍ୱାମୀଙ୍କ ନାମକୁ କେବଳ 'ସାବତ ପିତା' ଭାବରେ ଦର୍ଶାଇବାକୁ ନିର୍ଦ୍ଦେଶ ଦେଇଥିଲେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ । ଏପରି ନିର୍ଦ୍ଦେଶ ଦେବା ନିଷ୍ଠୁର ଏବଂ ଅଜ୍ଞତାକୁ ଚିତ୍ରିତ କରୁଛି ବୋଲି କୋର୍ଟ କହିଛନ୍ତି । ଏଥିରେ ଶିଶୁର ମାନସିକ ସ୍ୱାସ୍ଥ୍ୟ ଏବଂ ଆତ୍ମବିଶ୍ୱାସ ପ୍ରଭାବିତ ହେବାର ଅନେକ ସମ୍ଭାବନା ରହିଛି ।

ଗତକାଲି ପ୍ରଥମ ସ୍ୱାମୀଙ୍କ ମୃତ୍ୟୁ ପରେ ପୁନର୍ବିବାହ କରିଥିବା ମା’ ଏବଂ ଶିଶୁର ସାଙ୍ଗିଆ ସମ୍ପର୍କିତ ଏକ ମାମଲାର ଶୁଣାଣି କରିଥିଲେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ । ସୁପ୍ରିମକୋର୍ଟଙ୍କ ଅନୁସାରେ ପିଲା ପାଇଁ ନାମ ତଥା ତା’ର ସାଙ୍ଗିଆ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ । କାରଣ ନାମରୁ ହିଁ ପିଲାକୁ ପରିଚୟ ମିଳିଥାଏ ।

ହେଲେ ପିଲାର ସାର୍ଟିଫିକେଟରେ ବାପା ନୁହେଁ ସାବତ ବାପା ଲେଖାଯିବା ଠିକ୍‌ ନୁହେଁ । ସେ ପୋଷ୍ୟ ସନ୍ତାନ ରୂପରେ ଗ୍ରହଣ ହୋଇଛି ବୋଲି ସବୁବେଳେ ତା’ ମନକୁ ଆସିବ । ଏପରି ସ୍ଥିତିରେ ପିଲାକୁ ଅନାବଶ୍ୟକ ପ୍ରଶ୍ନର ସାମ୍ନା କରିବାକୁ ପଡିବ । ମାନସିକ ଭାବରେ ଆଘାତ ପାଇବା ସହ ବାପାମା’ଙ୍କ ସହ ତା’ର ସମ୍ପର୍କରେ ମଧ୍ୟ ବାଧା ଉପୁଜିବ । ପିଲାଟିକୁ ସାଧାରଣ ଜୀବନ ଜିଇଁବା କଷ୍ଟକର ହୋଇପଡ଼ିବ ।

ଏପରି କ୍ଷେତ୍ରରେ ପିଲାର ଏକମାତ୍ର ପ୍ରକୃତ ଅଭିଭାବକ ମା’ ବୋଲି ଦୋହରାଇଛନ୍ତି ସବୋର୍ଚ୍ଚ ନ୍ୟାୟାଳୟ । ତେଣୁ ପିଲାର ଉପନାମ ସ୍ଥିର କରିବାର ଅଧିକାର ମା’ ପାଖରେ ରହିଛି । ଏହାସହ ପିଲାକୁ ପୋଷ୍ୟ ଗ୍ରହଣ କରିବାର ଅଧିକାର ମଧ୍ୟ ମା’ ପାଖରେ ରହିଛି । କୋର୍ଟ ଏଥିରେ ହସ୍ତକ୍ଷେପ କରିବାର କ୍ଷମତା ରଖିପାରନ୍ତି, କିନ୍ତୁ ଯେତେବେଳେ ନିର୍ଦ୍ଦିଷ୍ଟ ଆବେଦନ କରାଯାଇଥାଏ, ସେତେବେଳେ ଏପରି ମାମଲା ଉପରେ ଧ୍ୟାନ ଦେବା ଉଚିତ୍‌ ।