Advertisment

ଇସାରା ମିଳିଲା, ଆହୁରି ମହଙ୍ଗା ହେବ ମୋବାଇଲ୍‌ ରିଚାର୍ଜ

ସବୁ ମୋବାଇଲ ଉପଭୋକ୍ତାଙ୍କ ପାଇଁ ଶସ୍ତା ଯୁଗ ଶେଷ ହେବାକୁ ଆଉ ମାତ୍ର କେଇଟା ଦିନ ରହିଲା ବାକି। ସମସ୍ତ ଉପରେ ପଡିବ ମହଙ୍ଗା ମାଡ। ପୁଣି ବଢିବ ମୋବାଇଲ୍‌ ରିଚାର୍ଜ ଦର। ଏମିତି କହିଲେ...

author-image
Prangyan Parimita
ଅଦ୍ୟତନ ହୋଇଛି
mobile recharge

mobile recharge

ଶସ୍ତା ଯୁଗ ଶେଷ। ଆରମ୍ଭ ହେବାକୁ ଯାଉଛି ମହରଗ ଜମାନା। ମୋବାଇଲ୍‌ ରିଚାର୍ଜରୁ ଆରମ୍ଭ ହେବ ଏହି ଯୁଗ। ସୁଲଭ ମୂଲ୍ୟରେ ମୋବାଇଲ୍ ସେବା ଯୋଗାଇବାର ସମୟ ଏକ ପ୍ରକାର ଶେଷ ହେବାକୁ ଯାଉଛି। ଚଳିତ ବର୍ଷ ପୁଣି ଥରେ ରିଚାର୍ଜ ଦାମ୍ ବଢ଼ାଇବା କଥା ଚିନ୍ତା କରୁଛନ୍ତି ଟେଲିକମ୍ କଂପାନୀ। ଦେଶର ଅଗ୍ରଣୀ ଟେଲିକମ୍ କଂପାନି ଭାରତୀ ଏୟାରଟେଲ ଏ ନେଇ କିଛିଟା ସୂଚନା ଦେଇଛି। ଏୟାରଟେଲ୍‌ର ସିଇଓ ଗୋପାଳ ଭିଟ୍ଟଲ କହିଛନ୍ତି ଯେ, ଖର୍ଚ୍ଚର ଚାପ ଓ ୫ଜି ସେବା ଲାଗି ପାଣ୍ଠି ଯୋଗାଡ଼ କରିବା ପାଇଁ ଟାରିଫ୍‌ ରେଟ ବଢ଼ାଇବାକୁ ହେବ। ୨୦୨୧ ପରେ ପୁଣି ଥରେ ୨୦୨୨ରେ ଦାମ୍ ବଢ଼ିବ ବୋଲି ଆଶା କରାଯାଉଛି। ଆଉ ମାତ୍ର ୩-୪ ମାସ ଭିତରେ ଦରବୃଦ୍ଧି ହେବ ବୋଲି କୁହାଯାଉଛି। ଗ୍ରାହକ ସଂଖ୍ୟା ଓ ମାର୍କେଟକୁ ବିଚାରକୁ ନେଇ ରିଚାର୍ଜ ମୂଲ୍ୟ ବଢିପାରେ ବୋଲି ଭିଟ୍ଟଲ କହିଛନ୍ତି।

Advertisment

ବର୍ତ୍ତମାନ ଗ୍ରାହକ ପିଛା ମାସିକ ରାଜସ୍ୱ ୧୬୩ ଟଙ୍କା ସ୍ତରରେ ରହିଛି। ତାହାକୁ ୨୦୦ ଟଙ୍କା ପର୍ଯ୍ୟନ୍ତ ବଢ଼ାଇବାକୁ ସେ ଚାହୁଛନ୍ତି। ଗତ ବର୍ଷ ନଭେମ୍ବରରେ ପ୍ରଥମ କଂପାନୀ ଭାବେ ଏୟାରଟେଲ୍ ଏହାର ରିଚାର୍ଜ ମୂଲ୍ୟ ବଢ଼ାଇଥିଲା। ଏହା ପରେ ଭୋଡାଫୋନ୍-ଆଇଡିଆ ଓ ରିଲାଏନ୍ସ ଜିଓ ମୂଲ୍ୟ ବଢାଇଥିଲେ। ଫଳରେ ମୋବାଇଲ୍‌ ରିଚାର୍ଜ ମୂଲ୍ୟରେ ୨୦ରୁ ୨୫ ପ୍ରତିଶତ ବୃଦ୍ଧି ପାଇଥିଲା। ତିନି ମାସିଆ ସେବା ଲାଗି ଯେଉଁ ଗ୍ରାହକମାନେ ୬୦୦ ଟଙ୍କା ରିଚାର୍ଜ କରୁଥିଲେ ଏବେ ସେମାନଙ୍କୁ ସାଢ଼େ ୭୦୦ ଟଙ୍କା ପର୍ଯ୍ୟନ୍ତ ଗଣିବାକୁ ପଡ଼ୁଛି। ଗତ ମାସରେ ଭୋଡାଫୋନ୍-ଆଇଡିଆର ସିଇଓ ରବିନ୍ଦର ଟକ୍କର ମଧ୍ୟ ରିଚାର୍ଜ ମୂଲ୍ୟ ବଢାଇବା ନେଇ ସୂଚନା ଦେଇଥିଲେ। ତେବେ ଗତବର୍ଷର ରିଚାର୍ଜ ମୂଲ୍ୟ ବୃଦ୍ଧି ପରେ ପ୍ରାୟ ସବୁ କଂପାନୀର ଗ୍ରାହକ ପିଛା ମାସିକ ଆୟରେ ଉନ୍ନତି ଘଟିଛି। କିନ୍ତୁ ଏଥିପାଇଁ ଏୟାରଟେଲ ୬ ଲକ୍ଷ ଓ ଜିଓ ୮୫ ଲକ୍ଷ ଗ୍ରାହକ ହରାଇଥିଲେ।

ଦେଶରେ ୫ଜି ମୋବାଇଲ ସେବା ଆରମ୍ଭ କରିବା ଲାଗି ଟେଲିକମ୍ କଂପାନିଗୁଡ଼ିକ ଜୋରସୋର ଉଦ୍ୟମ କରୁଛନ୍ତି। ୪ଜି ସମୟରେ ଜିଓ ଯେଉଁଭଳି ବାଜିମାତ କରି ଟେଲିକମ୍ ଶିଳ୍ପକୁ ଓଲଟ ପାଲଟ କରି ଦେଇଥିଲା ସେଭଳି ସ୍ଥିତି ଆଉ ଥରେ ସୃଷ୍ଟି ହେଉ ବୋଲି ଅନ୍ୟ କଂପାନୀ ଚାହୁଁ ନାହାନ୍ତି। ତେଣୁ ଆସନ୍ତା ମେ’-ଜୁନ୍ ମଧ୍ୟରେ ହେବାକୁ ଥିବା ୫ଜି ସ୍ପେକ୍ଟ୍ରମ ନିଲାମ ଲାଗି କଂପାନିଗୁଡ଼ିକ ପାଣ୍ଠି ଯୋଗାଡ଼ କରୁଛନ୍ତି। ଋଣ ଜରିଆରେ ପାଣ୍ଠି ହାସଲ କରିବାର ସୁଯୋଗ ସଙ୍କୁଚିତ ହୋଇଥିବାରୁ ଗ୍ରାହକଙ୍କ ଉପରେ ରିଚାର୍ଜ ବୋଝ ଲଦି ପାଣ୍ଠି ଯୋଗାଡ଼ କରିବାକୁ ଟେଲିକମ କଂପାନୀମାନେ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି।

Advertisment
Mobile Recharge
Advertisment
Advertisment