• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କେଦାରନାଥ ଧାମରେ ମୋବାଇଲ୍‌ ମନା । ଶ୍ରଦ୍ଧାଳୁଙ୍କ ଧର୍ମୀୟ ଭାବନାକୁ ଆଘାତ ହେଉଥିବା ଦର୍ଶାଇ ମନ୍ଦିର ପରିସରରେ ମୋବାଇଲ୍ ବ୍ୟବହାରକୁ ମନା କରାଯାଇଛି । ବାବାଙ୍କ ଧାମରେ ୟୁଟ୍ୟୁବର୍‌ ଓ ଇନଫ୍ଲୁଏନ୍ସରମାନେ ବିଭିନ୍ନ ପ୍ରକାର ରିଲ୍ପ ତିଆରି କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି, ଯାହା ଭାଇରାଲ୍ ହେଉଛି । କେଦାରନାଥ ମନ୍ଦିରରେ ବାରମ୍ବାର ଏପରି ଘଟଣା ଘଟୁଥିବାରୁ ବଦ୍ରି-କେଦାର ମନ୍ଦିର କମିଟି ବର୍ତ୍ତମାନ କଠୋର ହୋଇଛନ୍ତି । ମନ୍ଦିର ଭିତରକୁ ମୋବାଇଲ ନେବା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିବା ପାଇଁ ପ୍ରସ୍ତୁତି ଚଳାଇଛି କମିଟି ।

ସୂଚନା ଅନୁଯାୟୀ, ବର୍ତ୍ତମାନ ଭକ୍ତମାନେ ଫୋନ୍ ସ୍ୱିଚ୍‌ ଅଫ୍‌ କରିବା ପରେ ମନ୍ଦିର ପରିସରରେ ପ୍ରବେଶ କରୁଛନ୍ତି । ହେଲେ ଆଗାମୀ କିଛି ଦିନ ଭିତରେ ମନ୍ଦିର ବାହାରେ ମୋବାଇଲ୍ ରଖିବା ପାଇଁ ବ୍ୟବସ୍ଥା କରାଯିବ । କେଦାରନାଥ ମନ୍ଦିର ସହ ଜଡିତ ଭିଡିଓ ଗୁଡ଼ିକ କ୍ରମାଗତ ଭାବରେ ଭାଇରାଲ ହେବାରେ ଲାଗିଛି । ଏହାପୂର୍ବରୁ ମଧ୍ୟ ଅନେକ ଭିଡିଓ ଭାଇରାଲ୍ ହୋଇଥିଲା, ଯାହାକୁ ନେଇ ଚର୍ଚ୍ଚା ହୋଇଥିଲା ।

kedarnathକମିଟି ପକ୍ଷରୁ କରାଯାଇଥିବା ଚିଠି

ନିକଟରେ ଜଣେ ଯୁବତୀ ମନ୍ଦିର ସମ୍ମୁଖରେ ନିଜ ବୟଫ୍ରେଣ୍ଡକୁ ପାଶ୍ଚାତ୍ୟ ଢ଼ାଞ୍ଚାରେ ବିବାହ ପ୍ରସ୍ତାବ ଦେଇଥିଲେ, ଯାହାର ଭିଡିଓ ଭାଇରାଲ ହେଉଥିଲା । ଆଉ ଏହି ଭିଡିଓକୁ ନେଇ ବିବାଦ ଉପୁଜିଥିଲା । ବହୁ ଦର୍ଶକ ଧାର୍ମିକ ସ୍ଥଳରେ ଏଭଳି ଆଚରଣକୁ ଭୁଲ ବୋଲି କହିଥିବାବେଳେ କିଛି ଲୋକ ଏହାକୁ ଅତି ସୁନ୍ଦର ପ୍ରେମ ବୋଲି କହିଥିଲେ । ଭିଡିଓଟି ଜୁଲାଇ ୧ ତାରିଖର ବୋଲି ଜଣାପଡ଼ିଥିଲା । ଆଉ ଏହି ଘଟଣା ପରେ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟିର ସଭାପତି କହିଥିଲେ, ଧାର୍ମିକ ସ୍ଥାନର କିଛି ପରମ୍ପରା, ସମ୍ମାନ ଓ ବିଶ୍ୱାସ ରହିଛି । ଭକ୍ତମାନେ ସେହି ଅନୁଯାୟୀ ଆଚରଣ କରିବା ଉଚିତ୍ ।

ସୂଚନାଯୋଗ୍ୟ ପ୍ରାୟ ୭ ମାସ ଧରି ଚାଲେ କେଦାରନାଥ ଯାତ୍ରା । ଯାତ୍ରା ସମୟରେ ଅଧିକାଂଶ ଯାତ୍ରୀ ଖଚର ଚଢ଼ି କେଦାରନାଥ ଯାତ୍ରା କରନ୍ତି । ଏହାଛଡ଼ା କିଛି ଯାତ୍ରୀ ହେଲିକପ୍ଟରରେ ମଧ୍ୟ ଯାଆସ କରନ୍ତି ।