• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଟୋଲ୍ ପାଇଁ ଖଣ୍ଡଯୁଦ୍ଧ । ଟୋଲ୍‌ ଗେଟ ନିକଟରେ ଆତଙ୍କରାଜ ଚଳାଇଲେ କାର ଚାଳକ । ଉତ୍ତରାଖଣ୍ଡର ଉଦ୍ଧମ ସିଂ ନଗରରେ ଚାଷୀଙ୍କ ନାମରେ ଟୋଲ ଆଦାୟକୁ ନେଇ ଅନେକ ଅସନ୍ତୋଷ ଦେଖାଦେଇଛି । ତେବେ ସାମାନ୍ୟ କଥାକୁ ନେଇ କିଛି ଲୋକ ଖଣ୍ଡା ଚଳାଇବା ସହ ରକ୍ତପାତ ମଧ୍ୟ ହୋଇଛି । ଫଳରେ ଟୋଲଗେଟରେ ଥିବା ଦୁଇ ଜଣ କର୍ମଚାରୀ ଆହତ ହୋଇଛନ୍ତି । ଟୋଲ୍ ପ୍ଲାଜାରେ ଲାଗିଥିବା ସିସିଟିଭିରେ ଏହି ପୂରା ଘଟଣା କଏଦ ହୋଇଛି । ବର୍ତ୍ତମାନ ଅଭିଯୋଗ ପରେ ଏକ ମାମଲା ରୁଜୁ ହୋଇଛି । ତେବେ ଏହି ଘଟଣାରେ ଏପର୍ଯ୍ୟନ୍ତ କୌଣସି ଗିରଫଦାରୀ କରାଯାଇ ନାହିଁ ।

ସୋମବାର ପୂର୍ବାହ୍ନରେ ଚୁଟକି ଦେଓରିଆ ଟୋଲ ପ୍ଲାଜାରେ କୃଷକମାନଙ୍କ ନାମରେ ଆଦାୟ ହେଉଥିବା ଟୋଲ ନଦେବାକୁ ଜିଦ୍ ଧରି ବସିଥିଲେ କାର ସବାର । ତେବେ ଟୋଲ୍ ଆଦାୟ କରୁଥିବା କର୍ମଚାରୀ ମଧ୍ୟ ସେମାନଙ୍କୁ ଛାଡ଼ିନଥିଲେ । ଫଳରେ କାର ସବାର ଓ କର୍ମଚାରୀଙ୍କ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା । ତେବେ ହଠାତ୍‌ ଦୁଇ କର୍ମଚାରୀଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ ଦୁଇ କାର ସବାର ।

ଏହି ଘଟଣାରେ ଦୁଇଜଣ କର୍ମଚାରୀ ଅଜୟ ଓ ଅରୁଣ ଆହତ ହୋଇଛନ୍ତି । କାରଟି ରୁଦ୍ରପୁରରୁ କିଚା ଆଡକୁ ଯାଉଥିଲା । ତେବେ ଟୋଲ୍ କର୍ମଚାରୀଙ୍କୁ ଆକ୍ରମଣ କରିବା ପରେ ସେଠାରେ ଉପସ୍ଥିତ ଲୋକେ ତାଙ୍କୁ କାବୁ କରିବା ସହ ପୋଲିସ ଜିମା ଦେଇଥିଲେ । ତେବେ ପରେ ପୋଲିସ ସେମାନଙ୍କୁ ପଚରାଉଚରା କରି ଛାଡ଼ି ଦେଇଛି ।

ତେବେ ଏ ସମ୍ପର୍କରେ ଏସପି ମମତା ବୋହରା କହିଛନ୍ତି, ଆଜି ସକାଳେ ଉଦ୍ଧାମ ସିଂ ନଗରର ଦେଓରିଆ ଟୋଲ ପ୍ଲାଜାରେ କିଛି ଲୋକ ଟୋଲ ଟ୍ୟାକ୍ସକୁ ନେଇ ଝଗଡା ଆରମ୍ଭ କରିଥିଲେ । ଅଭିଯୋଗ ପରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିବା ସେ କହିଛନ୍ତି ।

ଏହି ପରିପ୍ରେକ୍ଷୀରେ ପୋଲିସ ପୋଷ୍ଟରେ ଟୋଲ ମ୍ୟାନେଜର ରାହୁଲ ଶର୍ମାଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି । ସୂଚନାଯୋଗ୍ୟ କୃଷକ ଆନ୍ଦୋଳନ ହେବା ପରଠାରୁ ଲଗାତାର ଭାବରେ ଟୋଲ୍ ନଦେବା ନେଇ ବିବାଦ ଲାଗି ରହିଛି ।