• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ହରିୟାଣାରେ ଖଣି ମାଫିଆଙ୍କ ଦୌରାତ୍ମ୍ୟ । ଡିଏସ୍‌ପିଙ୍କୁ ଡମ୍ପର ଚଢାଇ ହତ୍ୟା । ସମୟ ମଧ୍ୟାହ୍ନ ପ୍ରାୟ ୧୨ଟା । ହରିୟାଣା ନୁହ ଜିଲ୍ଲାର ପଛଗାଁଓ । ଆରାବଳୀ ପର୍ବତରେ ବେଆଇନ୍ ଖନନ ଏବଂ ପଥର ଚୋରା ଚାଲାଣ ହେଉଥିବା ଖବର ପାଇ ଘଟଣାସ୍ଥଳରେ ପହଁଚିଥିଲେ ଡିଏସ୍‌ପି ସୁରେନ୍ଦ୍ର ସିଂ ବିଷ୍ଣୋଇ । ସେହି ସମୟରେ ବେଆଇନ୍ ଭାବେ ଡମ୍ପରରେ ପଥର ଚାଲାଣ କରୁଥିଲେ ମାଫିଅ । ଡିଏସପି ବିଷ୍ଣୋଇ ଗାଡି ଅଟକାଇବାକୁ ଉଦ୍ୟମ କରିଥିଲେ । ଏପରିକି ସାହସର ସହ ଗାଡି ଆଗକୁ ଆସି ଡ୍ରାଇଭରକୁ ରୋକିବାକୁ କହିଥିଲେ । ହେଲେ ରୋକିବା ବଦଳରେ ସୁରେନ୍ଦ୍ରଙ୍କ ଉପରେ ଡମ୍ପର ଚଢ଼ାଇ ଦେଇଥିଲା ଡ୍ରାଇଭର ।

ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏଥି ସହିତ ପଥର ଗାଡି ଧରି ଚମ୍ପଟ ମାରିଥିଲେ ମାଫିଆ । ଡମ୍ପରରେ ତିନିରୁ ଚାରି ଜଣ ଥିବା ପୋଲିସ ସୂଚନା ଦେଇଛି । ହରିୟାଣା ଦକ୍ଷିଣ ରେଂଜ୍ ଆଇଜି କହିଛନ୍ତି, ଡିଏସ୍‌ପି ସରପ୍ରାଇଜ୍ ଯାଞ୍ଚରେ ଯାଇଥିଲେ । ତାଙ୍କ ପାଖରେ ପର୍ଯ୍ୟାପ୍ତ ଫୋର୍ସ ନଥିଲା ।

ଡିଏସ୍‌ପି ସୁରେନ୍ଦ୍ର ସିଂ ବିଷ୍ଣୋୟୀଙ୍କ ଘର ହରିୟାଣାର ହିସାରରେ । ୧୯୯୪ରେ ସେ ଆସିଷ୍ଟାଣ୍ଟ ସବ ଇନ୍‌ସପେକ୍ଟର ଭାବେ ହରିୟାଣା ପୋଲିସରେ ଯୋଗ ଦେଇଥିଲେ । ଆଉ ଚାରିମାସ ପରେ ଅବସର ନେଇଥାନ୍ତେ । ହେଲେ ତାପୂର୍ବରୁ ଖଣି ମାଫିଆଙ୍କ ଶିକାର ହୋଇଛନ୍ତି ଏହି ସାହସୀ ପୋଲିସ ଅଧିକାରୀ ।

ଘଟଣାକୁ ଗୁରତର ସହ ନେଇଛି ହରିୟାଣା ପୋଲିସ । ସ୍ୱତନ୍ତ୍ର ଟିମ୍ ଗଠନ କରି ଅଭିଯୁକ୍ତଙ୍କୁ ଧରିବାକୁ ଚାଲିଛି ସର୍ଚ୍ଚ ଅପରେସନ୍ । ପଡୋଶୀ ଜିଲ୍ଲା ପୋଲିସର ସହାୟତା ମଧ୍ୟ ନିଆଯାଉଛି । ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି, ଜଣେ ମଧ୍ୟ ଅପରାଧୀଙ୍କୁ ଛଡାଯିବନି । ମୃତ ଡିଏସପିଙ୍କ ପରିବାରକୁ ୧ କୋଟି ଟଙ୍କାର ଆର୍ଥିକ ସହାୟତା ସହ ପରିବାରର ଜଣଙ୍କୁ ଚାକିରି ଦେବାକୁ ସେ ଘୋଷଣା କରିଛନ୍ତି । ସେପଟେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଥିବା ଅଭିଯୋଗ କରିଛି କଂଗ୍ରେସ ।