• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏଇଟ୍ ସିଟର୍ ଯାଏଁ ସବୁ କାର୍‌ରେ ବାଧ୍ୟତାମୂଳକ ହେବ ୬ ଏୟାର ବ୍ୟାଗ୍ । ଆସନ୍ତା ଅକ୍ଟୋବର ପହିଲାରୁ ଲାଗୁ ହେବ ଏହି ନୂଆ ନିୟମ । ଅର୍ଥାତ୍ ଅକ୍ଟୋବର ପରଠାରୁ ବଜାରକୁ ଆସିବାକୁ ଥିବା ସବୁ ଏମ୍-ଓ୍ୱାନ୍ ବର୍ଗର ଯାନବାହନ ଅର୍ଥାତ ଆଠ ସିଟ୍ ଯାଏଁ କ୍ଷମତା ବିଶିଷ୍ଟ ସବୁ କାର୍‌ରେ ଲାଗିବ ଅତିକମ୍‌ରେ ୬ଟି ଏୟାର ବ୍ୟାଗ୍ । ଏନେଇ ଚିଠା ନିୟମ ଜାରି କରିଛି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ।

କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ୍ ଗଡ଼କରୀ ଟ୍ୱିଟ୍ କରି କହିଛନ୍ତି, ୨୦୧୯ ଜୁଲାଇରୁ ଦେଶରେ ଡ୍ରାଇଭର ଏୟାର ବ୍ୟାଗ୍‌କୁ ବାଧ୍ୟତାମୂଳକ କରାଯାଇଥିଲା । ୨୦୨୨ ଜାନୁଆରୀ ପହିଲାରୁ ସହ-ଯାତ୍ରୀ ଏୟାର ବ୍ୟାଗ୍ ବାଧ୍ୟତାମୂଳକ କରାଯାଇଛି । ଡ୍ରାଇଭର ସହ-ଯାତ୍ରୀଙ୍କ ଏୟାର ବ୍ୟାଗ୍ ବ୍ୟତୀତ ଆଗ ଓ ପଛ କମ୍ପାର୍ଟମେଣ୍ଟର ଉଭୟ ପାର୍ଶ୍ୱରେ ୨ଟି ଲେଖାଏଁ ଏୟାର ବ୍ୟାଗ୍ ରହିବ । ଦୁର୍ଘଟଣା ବେଳେ ଉଭୟ ଆଗ ଓ ପଛ କମ୍ପାର୍ଟମେଣ୍ଟରେ ବସିଥିବା ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ୪ଟି ଅତିରିକ୍ତ ଏୟାର ବ୍ୟାଗ୍ ବାଧ୍ୟତାମୂଳକ କରିବାକୁ ନିଷ୍ପତ୍ତି ହୋଇଛି ।

ଏପଟେ ପ୍ରତିବର୍ଷ ସଡ଼କ ଦୁର୍ଘଟଣାରେ ପ୍ରାୟ ୫ ହଜାର ଲୋକଙ୍କ ଜୀବନ ଯାଉଥିବାରୁ କେନ୍ଦ୍ର ପଦକ୍ଷେପକୁ ସ୍ୱାଗତ କରିଛନ୍ତି ରାଜ୍ୟ ସରକାର । ଏସମ୍ପର୍କରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାରଙ୍କ ଏ ପଦକ୍ଷେପ ଆଗାମୀ ଦିନରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ହ୍ରାସରେ ସହାୟକ ହେବ । ସଡ଼କ ସୁରକ୍ଷା କର୍ମୀଙ୍କ ମତରେ, ଏହା ବହୁ ପୂର୍ବରୁ ଆରମ୍ଭ ହେବାର ଥିଲା, ଏହାଛଡ଼ା ଗାଡ଼ିର ଛାତକୁ ମଧ୍ୟ ଅଧିକ ସୁରକ୍ଷିତ କରିବା ନେଇ ଏବେ ପଦକ୍ଷେପ ନେବାର ସମୟ ଆସିଛି । 

ଏପଟେ ଏମ୍-ଓ୍ୱାନ୍ ଯାନବାହନରେ ୬ ଏୟାର ବ୍ୟାଗ୍ ବାଧ୍ୟତାମୂଳକ ନେଇ ଚିଠା ବିଜ୍ଞପ୍ତି ପ୍ରକାଶ ପରେ ଚିନ୍ତାରେ ଗ୍ରାହକ ଓ କାର୍ ଡିଲର । ଯଦିଓ ଏହି ନିୟମ ଦୁର୍ଘଟଣାଜନିତ ନିରାପତ୍ତାରେ ସହାୟକ ହେବ, ତେବେ କାର୍ ଦାମ୍ ନିଶ୍ଚିତ ବଢ଼ିବ । ତାଉପରେ ସରକାର ଦୃଷ୍ଟି ଦେବା ଉଚିତ ବୋଲି କହିଛନ୍ତି ଗ୍ରାହକ । କାର୍ ଡିଲରଙ୍କ କହିବା ଅନୁସାରେ, ୪ଟି ଅତିରିକ୍ତ ଏୟାର ବ୍ୟାଗ୍ ଲାଗିବା ପରେ କାର୍ ଦାମ୍ ଅତିକମରେ ୩୦-୪୦ ହଜାର ଟଙ୍କା ବଢ଼ିବ । ତେବେ ନିରାପତ୍ତା ସୁନିଶ୍ଚିତ ହେଉଥିବାରୁ ବର୍ଦ୍ଧିତ ଦାମ୍ ସହ କମ୍ପରମାଇଜ୍ କରିବେ ଗ୍ରାହକ ।

ଅପରପକ୍ଷରେ ପୁରୁଣା କାର୍ ବିକ୍ରି ନେଇ ଅକ୍ଟୋବର ଯାଏ ସମୟ ଥିବାରୁ କାର୍ ନିର୍ମାତାଙ୍କ ଉପରେ ବି ନୂଆ ନିୟମର ବିଶେଷ ପ୍ରଭାବ ପଡ଼ିବ ନାହିଁ । ସେହଭଳି ୬ ଏୟାର ବ୍ୟାଗ୍ ଲାଗିବା ଫଳରେ ଗାଡ଼ିକୁ ପାର୍ଶ୍ୱରୁ ଆଘାତ ଲାଗିଲେ ବି ଗ୍ରାହକ ମୃତ୍ୟୁ ମୁଖରୁ ବର୍ତ୍ତିଯିବେ ବୋଲି କହିଛନ୍ତି ଅଟୋମୋବାଇଲ ଇଞ୍ଜିନିୟର ।