/odishatv-khabar/media/post_attachments/uploadimage/library/16_9/16_9_0/pilot_1754922051.jpg)
pilot
ବିମାନଟି ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଆକାଶରେ ରହିଥିଲା। ବିମାନଟି ରାତି ୮ଟା ପରେ ତିରୁବନନ୍ତପୁରମରୁ ଉଡ଼ାଣ ଭରିଥିଲା ଏବଂ ରାତି ପ୍ରାୟ ୧୦:୩୫ରେ ଚେନ୍ନାଇରେ ପହଞ୍ଚିଥିଲା। ତିରୁବନନ୍ତପୁରମରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର ଏହି ବିମାନରେ ଯାନ୍ତ୍ରିକ ସମସ୍ୟା କାରଣରୁ ଚେନ୍ନାଇକୁ ପଠାଯାଇଥିଲା। ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆ ବିମାନ ଚେନ୍ନାଇରେ ଜରୁରୀ ଅବତରଣ କରିଥିଲା ।
ଏହି ବିମାନରେ ପାଞ୍ଚ ଜଣ ସାଂସଦ ମଧ୍ୟ ଉପସ୍ଥିତ ଥିଲେ। କେସି ଭେନୁଗୋପାଲ, କୋଡିକ୍କୁନିଲ ସୁରେଶ, ଅଡୁର ପ୍ରକାଶ, କେ. ରାଧାକୃଷ୍ଣନ ଏବଂ ରବର୍ଟ ବ୍ରୁସ ଏହି ବିମାନରେ ଦିଲ୍ଲୀ ଯାଉଥିଲେ। ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି, ୧୦ ଅଗଷ୍ଟରେ ତିରୁବନନ୍ତପୁରମରୁ ଦିଲ୍ଲୀ ଯାଉଥିବା ଏଆଇ୨୪୫୫ର ପାଇଲଟ୍ ସମ୍ଭାବ୍ୟ ଯାନ୍ତ୍ରିକ ସମସ୍ୟା ଏବଂ ଖରାପ ପାଗ ହେତୁ ବିମାନକୁ ସତର୍କତାପୂର୍ଣ୍ଣ ଭାବେ ଚେନ୍ନାଇ ଆଡ଼କୁ ନେଇ ଯାଇଥିଲେ। ବିମାନରେ ପ୍ରାୟ ୧୦୦ ଜଣ ଯାତ୍ରୀ ଥିଲେ ।
ଏହି ଘଟଣାକୁ ନେଇ ବିମାନରେ ଥିବା କଂଗ୍ରେସ ନେତା କେସି ବେନୁଗୋପାଲ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ କରିଛନ୍ତି ଏବଂ ଏହାକୁ ଏକ ଭୟଙ୍କର ଘଟଣା ବୋଲି ବର୍ଣ୍ଣନା କରିଛନ୍ତି। ସେ ପୋଷ୍ଟ କରି କହିଛନ୍ତି ଯେ ଏହି ବିମାନରେ ତାଙ୍କ ସହ ଅନ୍ୟ ସାଂସଦମାନେ ଏବଂ ଯାତ୍ରୀମାନେ ଥିଲେ। ସେ ଲେଖିଛନ୍ତି, ଯାହା ଏକ ବିଳମ୍ବିତ ଉଡାଣରୁ ଆରମ୍ଭ ହୋଇଥିଲା, ତାହା ଏକ କଷ୍ଟଦାୟକ ଯାତ୍ରାରେ ପରିଣତ ହୋଇଥିଲା।
ଉଡ଼ାଣ ଭରିବାର କିଛି ସମୟ ପରେ, ଆମେ ଅଭୂତପୂର୍ବ ବିପଦର ସାମ୍ନା କରିଥିଲୁ। ପ୍ରାୟ ଏକ ଘଣ୍ଟା ପରେ କ୍ୟାପଟେନ ଉଡ଼ାଣ ସିଗ୍ନାଲରେ ଖରାପ ବିଷୟ ଘୋଷଣା କରିଥିଲେ । ଏହାପରେ ବିମାନକୁ ଚେନ୍ନାଇ ଆଡ଼କୁ ନେଇ ଯାଇଥିଲେ। ପ୍ରାୟ ଦୁଇ ଘଣ୍ଟା ଧରି ଆମେ ଅବତରଣର ଅନୁମତିର ଅପେକ୍ଷାରେ ବିମାନବନ୍ଦର ପାଖରେ ଆକାଶରେ ଚକ୍କର କାଟିଥିଲୁ। ପ୍ରଥମ ପ୍ରୟାସରେ ସେହି ରନୱେରେ ଅନ୍ୟ ଏକ ବିମାନ ଥିଲା। ସେହି ମୁହୂର୍ତ୍ତରେ, କ୍ୟାପଟେନଙ୍କର ଅବତରଣ ନକରିବାର ନିଷ୍ପତ୍ତି ବିମାନରେ ଥିବା ସମସ୍ତଙ୍କ ଜୀବନ ରକ୍ଷା କରିଥିଲା। ଦ୍ୱିତୀୟ ପ୍ରୟାସରେ ବିମାନ ନିରାପଦରେ ଅବତରଣ କରିଥିଲା। ଆମେ କୌଶଳ ଏବଂ ଭାଗ୍ୟରୁ ରକ୍ଷା ପାଇଥିଲୁ। ଯାତ୍ରୀମାନଙ୍କ ନିରାପତ୍ତା ଭାଗ୍ୟ ଉପରେ ନିର୍ଭର କରିବା ଉଚିତ୍ ନୁହେଁ ବୋଲି ଲେଖିଛନ୍ତି ବେନୁଗୋପାଲ ।
ଏୟାର ଇଣ୍ଡିଆ ଏହି ଘଟଣାରେ ବୟାନ ଜାରି କରି ବେନୁଗୋପାଲଙ୍କୁ ଉତ୍ତର ଦେଇ ସ୍ପଷ୍ଟ କରିଛି ଯେ ଉଡ଼ାଣ ରନୱେରେ ଅନ୍ୟ ବିମାନର ଉପସ୍ଥିତି ହେତୁ ଗୋ-ଆରାଉଣ୍ଡ କରିନଥିଲା, ବରଂ ଚେନ୍ନାଇ ଏଟିସିର ନିର୍ଦ୍ଦେଶ ହେତୁ କରାଯାଇଥିଲା। ଏୟାର ଇଣ୍ଡିଆ ଏହି ପୋଷ୍ଟରେ ଲେଖିଛି, ଆମେ ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ ସନ୍ଦିଗ୍ଧ ଯାନ୍ତ୍ରିକ ସମସ୍ୟା ଏବଂ ଖରାପ ପାଗ ହେତୁ ସତର୍କତାପୂର୍ଣ୍ଣ ଭାବେ ଚେନ୍ନାଇ ଆଡ଼କୁ ବିମାନ ନିଆଯାଇଥିଲା।
ଚେନ୍ନାଇ ବିମାନବନ୍ଦରରେ ପ୍ରଥମ ଥର ଅବତରଣ ପ୍ରୟାସ ସମୟରେ ଚେନ୍ନାଇ ଏଟିସି ବିମାନକୁ ଫେରିବାର ନିର୍ଦ୍ଦେଶ ଦେଇଥିଲା । ଆମର ପାଇଲଟମାନେ ଏପରି ପରିସ୍ଥିତିର ମୁକାବିଲା ପାଇଁ ଭଲ ଭାବେ ପ୍ରଶିକ୍ଷିତ ଅଟନ୍ତି ଏବଂ ଏହି ଘଟଣାରେ ସେମାନେ ସମ୍ପୂର୍ଣ୍ଣ ଉଡ଼ାଣ ସମୟରେ ମାନକ ପ୍ରକ୍ରିୟାର ପାଳନ କରିଥିଲେ। “ଆମେ ବୁଝୁଛୁ ଯେ ଏପରି ଅଭିଜ୍ଞତା ଉଦବେଗଜନକ ହୋଇପାରେ ଏବଂ ଆମେ ଦୁଃଖିତ ଯେ ଏହି ଡାଇଭର୍ସନ୍ ହେତୁ ଆପଣଙ୍କୁ ଅସୁବିଧା ହୋଇଥିବ। ତଥାପି ନିରାପତ୍ତା ସର୍ବଦା ଆମର ପ୍ରାଥମିକତା ଅଟେ। ଏୟାର ଇଣ୍ଡିଆ ପକ୍ଷରୁ ଏହା କୁହାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)